ଭାରତ ମହାସାଗରରେ ଏକ ବିରଳ ସାମୁଦ୍ରିକ ଅସରପା, ୧୪ ଗୋଡ ଓ ଅଦ୍ଭୁତ ଆକାର
20/07/2020 at 4:39 PM

ହଙ୍ଗକଙ୍ଗ, ୨୦|୦୭: ଭାରତ ମହାସାଗରରୁ ଏକ ବିରଳ ପ୍ରଜାତିର ଜୀବ ଉଦ୍ଧାର ହୋଇଛି । ଯାହା ଏକ ଅସରପା ଭଳି ଦେଖାଯାଉଛି । ତେବେ ଏହାର ଗୋଡ ସଂଖ୍ୟା ଅଧିକ ରହିଥିବା ବେଳେ ଆକାର ମଧ୍ୟ ବହୁତ ବଡ । ସାଧାରଣତଃ ଅସରପାର ୬ଟି ଗୋଡ ରହିଥାଏ । ତେବେ ଏହି ସାମୁଦ୍ରିକ ଅସରପାର ୧୪ଟି ଗୋଡ ରହିଛି । ସିଙ୍ଗାପୁରର କିଛି ଗବେଷର ଭାରତ ମହାସାଗରରେ ପ୍ରଥମ ଥର ପାଇଁ ଏହି ଜୀବକୁ ଦେଖିଛନ୍ତି ।
ଏହାକୁ ଜିଆଣ୍ଟ ସି କକରୋଚ୍ ବା ଡିପ୍ ସି କକରୋଚ୍ କୁହାଯାଏ । ଏହି ୧୪ ଗୋଡିଆ ଜୀବର ବାୟୋଲୋଜିକାଲ୍ ନାମ ହେଉଛି ବୈଥିନିମସ୍ ରକସାସା । ଏହାପୂର୍ବରୁ ୨୦୧୮ ଇଣ୍ଡୋନେସିଆର ପଶ୍ଚିମ ଜାଭା ତଟରେ ଏହା ଦେଖିବାକୁ ମିଳିଥିଲା । ଏହାପରେ ନିକଟରେ ପୁଣି ଏହି କକରୋଚ୍ ଚିହ୍ନଟ ହୋଇଛି ।

ଏହି ସାମୁଦ୍ରିକ ଅସରପାକୁ ନ୍ୟାଶନାଲ ୟୁନିଭର୍ସିଟି ଅଫ୍ ସିଙ୍ଗାପୁର ଓ ଇଣ୍ଡୋନେସିଆ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନସ ରିସର୍ଚ୍ଚ ସେଣ୍ଟରର ବୈଜ୍ଞାନିକମାନେ ଠାବ କରିଥିଲେ । ବୈଜ୍ଞାନିକମାନେ ଏହାକୁ ଷ୍ଟାର୍ ଓ୍ୱାର୍ସ ଫିଲ୍ମ ସିରିଜର ଡାର୍ଥ ଓ୍ୱେଡର୍ କ୍ୟାରେକ୍ଟର ବୋଲି ମଧ୍ୟ ଡାକୁଛନ୍ତି । ଏହା ସାମୁଦ୍ରିକ ଆଇସୋପୋଡ୍ ପ୍ରଜାତିର ଏକ କ୍ରଷ୍ଟେସିଆନ୍ ଜୀବ । ଏହା ସାଧାରଣ ଅସରପାର ଗଠନ ଭଳି ହୋଇଥାଏ । ଏହାର ଆକାର ୫୦ ସେମି ଯାଏଁ ବଢିଥାଏ । ଏହା ଦ୍ୱିତୀୟ ବୃହତ ଆଇସୋପୋଡ୍ ଅଟେ ।
ଏହି ଜିଆଣ୍ଟ କକରୋଚ୍ ମୃତ ଜୀବକୁ ଖାଇ ବଞ୍ଚିଥାଏ । ଏପରିକି ଅନେକ ଦିନ ନଖାଇ ମଧ୍ୟ ଏମାନେ ବଞ୍ଚିଯାଆନ୍ତି ।ଏହି ଜୀବକୁ ନେଇ ବୈଜ୍ଞାନିକମାନେ ଅଧିକ ଗବେଷଣା ଜାରି ରଖିଛନ୍ତି ।