ମୋ କଥା ନମାନିଲେ ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ବିରୋଧୀ ଆସନରେ ବସିବ କଂଗ୍ରେସ: ଗୁଲାମ ନବି ଆଜାଦ

Published By : Prameya-News7 Bureau | August 29, 2020 IST

ନୂଆଦିଲ୍ଲୀ ୨୯।୦୮: ଦେଶର ସର୍ବ ପୁରାତନ ରାଜନୈତିକ ପାର୍ଟି କଂଗ୍ରେସରେ ଦଳୀୟ କନ୍ଦଳ ଘନିଭୂତ ହେବାରେ ଲାଗିଛି। ଦଳର ସାଙ୍ଗଠନିକ ପରିବର୍ତ୍ତନକୁ ନେଇ ଦଳ ଭିତରେ ଏବେ ମଧ୍ୟ ଚାପା ଗୁଞ୍ଜରଣ ରହିଛି। ଏହା ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବି ଆଜାଦ ନିଜର ଆଭିମୁଖ୍ୟରେ ଅଟଳ ରହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି କଂଗ୍ରେସର କାର୍ଯ୍ୟକାରିଣୀ ସମେତ ସଂଗଠନର ପ୍ରମୁଖ ପଦ ପାଇଁ ନିର୍ବାଚନ ହେବା ଉଚିତ୍। ସେ କହିଛନ୍ତି ଯେଉଁ ଲୋକ ନିର୍ବାଚନକୁ ବିରୋଧ କରୁଛନ୍ତି ସେମାନଙ୍କ ମନରେ ନିଜ ପଦ ଚାଲି ଯିବାର ଭୟ ରହିଛି। ସେ ଏହା ମଧ୍ୟ କହିଛନ୍ତି ନିର୍ବାଚନ ହେବା ଉଚିତ୍ କାରଣ କଂଗ୍ରେସ ଅଧ୍ୟକ୍ଷଙ୍କ ପାଖରେ ହୋଇପାରେ ଏକ ପ୍ରତିଶତ ଭୋଟ୍ ନଥିବ। ଆଜାଦ କହିଛନ୍ତି ଯଦି ପାର୍ଟିର ଯେ କୌଣସି ସଂଗଠନ ପାଇଁ ନିର୍ବାଚିତ ନେତା ନେତୃତ୍ଵ ନିଅନ୍ତି ତେବେ ଦଳର ସ୍ଥିତି ମଜବୁତ ହେବ। ନଚେତ୍ କଂଗ୍ରେସ ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ବିରୋଧୀ ଆସନରେ ବସି ରହିଥିବ।

ଆଜାଦ କହିଛନ୍ତି ଗତ ଅନେକ ଦଶନ୍ଧି ହେବ ପାର୍ଟିରେ ନିର୍ବାଚିତ ସଂଗଠନ ହିଁ ନାହିଁ। ବୋଧହୁଏ ଆମକୁ ୧୦-୧୫ ବର୍ଷ ପୂର୍ବରୁ ହିଁ ଏମିତି କରିବା ଉଚିତ୍ ଥିଲା। ଏବେ ଆମେ ଗୋଟିଏ ପରେ ଗୋଟିଏ ନିର୍ବାଚନ ହାରି ଚାଲିଛୁ। ଯଦି ଆମକୁ ପ୍ରତ୍ୟାବର୍ତ୍ତନ କରିବାର ଅଛି ତେବେ ପାର୍ଟିକୁ ମଜବୁତ କରିବାକୁ ପଡିବ। ଯଦି ମୋ ପାର୍ଟି ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ବିରୋଧୀ ଆସନରେ ବସିବାକୁ ଚାହୁଁଛି ତେବେ ପାର୍ଟି ଭିତରେ କୌଣସି ନିର୍ବାଚନ ଆବଶ୍ୟକ ନାହିଁ।

ଆଜାଦ କହିଛନ୍ତି ତାଙ୍କର କୌଣସି ବ୍ୟକ୍ତିଗତ ମହତ୍ଵକାଂକ୍ଷୀ ନାହିଁ। ମୁଁ ଥରେ ମୁଖ୍ୟମନ୍ତ୍ରୀ ହୋଇ ସାରିଛି, କେନ୍ଦ୍ର ମନ୍ତ୍ରୀ ରହି ସାରିଛି। ପାର୍ଟିରେ କାର୍ଯ୍ୟକାରିଣୀ ସଦସ୍ୟ ଏବଂ ସଂପାଦକ ରହିଛି। ମୁଁ ନିଜ ପାଇଁ କିଛି ଚାହେଁ ନାହିଁ। ମୁଁ ଆଗାମୀ ୫ ରୁ ୭ ବର୍ଷ ସକ୍ରିୟ ରାଜନୀତିରେ ରହିବି। ମୁଁ ପାର୍ଟି ସଭାପତି ହେବାକୁ ଚାହୁଁ ନାହିଁ। ଜଣେ ସଚ୍ଚା କଂଗ୍ରେସୀ ଭାବେ ମୁଁ ପାର୍ଟିର ଉତ୍ତୋରତର ବିକାଶ ପାଇଁ ନିର୍ବାଚନ ନାହୁଁଛି।

ବିରୋଧକାରୀଙ୍କୁ ଜବାବ ଦେଲେ ଆଜାଦ

ନିର୍ବାଚନର ବିରୋଧ କରୁଥିବା ନେତାଙ୍କୁ ଆାଜାଦ ଉଚିତ୍ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେଉଁମାନେ ନିଜକୁ ବିଶ୍ଵସ୍ତ ବୋଲି ଦାବି କରୁଛନ୍ତି ବାସ୍ତବରେ ସେମାନେ ତୁଚ୍ଛ ରାଜନୀତି କରୁଛନ୍ତି, ଯାହା ପାର୍ଟି ଓ ଦେଶର ହିତ ପାଇଁ ବିପଦ। ସେ ଏହା ମଧ୍ୟ କହିଛନ୍ତି ଯେଉଁ ପଦାଧିକାରୀ କିମ୍ବା ରାଜ୍ୟ ସଂଗଠନର ସଭାପତି ଆମର ପ୍ରସ୍ତାବକୁ ବିରୋଧ କରୁଛନ୍ତି ତେବେ ସେମାନେ ଜାଣିଛନ୍ତି ଯେ ନିର୍ବାଚନ ହେଲେ ସେମାନେ ଆଉ ପଦରେ ରହି ପାରିବେ ନାହିଁ। ମୋର କହିବା କଥା ରାଜ୍ୟ, ଜିଲ୍ଲା ଓ ବ୍ଲକସ୍ତରୀୟ ସଭାପତିଙ୍କ ଚୟନ ପାର୍ଟିର କର୍ମକର୍ତ୍ତାଙ୍କୁ କରିବା ଉଚିତ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.