ହତ୍ୟା ନା’ ଆତ୍ମହତ୍ୟା ? ପ୍ରେତାତ୍ମା କହିଲା ‘ରଡ୍‌ରେ ପିଟି ପିଟି ମାରିଦେଲେ ଘର ଲୋକେ’ !

Published By : Prameya-News7 Bureau | September 19, 2020 IST

ଆଠଗଡ ୧୯।୯: ପରିବାର ଲୋକେ କହୁଛନ୍ତି ଆତ୍ମହତ୍ୟା କିନ୍ତୁ ପ୍ରେତାତ୍ମା କହୁଛି ହତ୍ୟା। କଥାଟା ଆଶ୍ଚର୍ଯ୍ୟ ଲାଗୁଥଲେ ବି ସତ। ଏମିତି ଏକ ଘଟଣା ଘଟିଛି ଆଠଗଡ ବ୍ଲକ ଅନ୍ତର୍ଗତ ମଞ୍ଚେଶ୍ବର ପଂଚାୟତ ମଞ୍ଚେଶ୍ୱର ଗାଁ କୈବର୍ତ୍ତ ସାହିରେ।

ଘଟଣା ଅନୁଯାୟୀ, ସେହି ସାହିର ୩୧ ବର୍ଷ ବୟସ୍କ ସୁଧାକର ଦାଶଙ୍କ ମଝିଆ ପୁଅ ଶାନ୍ତନୁ ଦାଶ ଖୋର୍ଦ୍ଧା ବିଜିପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ଦୁଇ ବର୍ଷ ହେଲା ଭଲ ପାଉଥିଲେ । ବିବାହ କରିବା ପାଇଁ ମଧ୍ୟ ଜିଦ୍ କରିଥିଲେ। ଯୁବତୀ ଜଣଙ୍କ ଅନ୍ୟ ଜାତିର ହୋଇଥିବାରୁ ପରିବାର ଲୋକେ ଏହାକୁ ବାରଣ କରିବା ସହିତ ବିରୋଧ କରିଥିଲେ। ଶେଷରେ ଦୁଇ ଜଣଙ୍କ ସହମତି କ୍ରମେ ଶାନ୍ତନୁ ଯୁବତୀ ଜଣଙ୍କୁ ତାଙ୍କ ଘରୁ ନେଇଆସି ନିଜ ଘରେ ରଖିଥିଲେ।

ପରେ ସାନ୍ତନୁଙ୍କ ଜିଦ୍ ପାଇଁ ପରିବାର ଲୋକେ ବୁଧବାର ଦିନ ଦୁହିଁଙ୍କ ବିବାହ ପାଇଁ ତାରିଖ ଧାର୍ଯ୍ଯ କରିଥିଲେ। ଶାନ୍ତନୁଙ୍କ ବଡ ଭାଇଙ୍କ ଶ୍ବଶୁର ଘର ସେହି ଗାଁରେ ହୋଇଥିବାରୁ ଯୁବତୀ ଜଣଙ୍କ ତାଙ୍କ ଘରେ ରହିଥିଲେ। ଖୁସିରେ ଶାନ୍ତନୁ ନିଜର ଭାବି ପତ୍ନୀଙ୍କ ପାଇଁ ଏକ ଦାମୀ ମୋବାଇଲ ଫୋନ କିଣିବା ସହିତ କିଛି ସୁନା ଗହଣା ମଧ୍ୟ କିଣିଥିଲେ।

କିନ୍ତୁ ବୁଧବାର ଦିନ କୌଣସି ଅସୁବିଧା ଦର୍ଶାଇ ଶାନ୍ତନୁଙ୍କ ପରିବାର ଲୋକେ ବିବାହ ବୁଧବାର ହୋଇପାରିବନାହିଁ ବରଂ ଆସନ୍ତା ରବିବାର ଦିନ କରିବା ପାଇଁ କହିଥିଲେ। କିନ୍ତୁ ସେହି ବୁଧବାର ରାତିରେ ଶାନ୍ତନୁ ଆତ୍ମହତ୍ୟା କରିଥିବା ପରିବାର ଲୋକ ସକାଳୁ କହିଥିଲେ । ତରବରିଆ ଭାବରେ ଶବସତ୍କାର କରିବାକୁ ଉଦ୍ୟମ ମଧ୍ୟ କରିଥିଲେ। ଯାହାକୁ ଗ୍ରାମର ସାଙ୍ଗ ସାଥି ଏବଂ ଗ୍ରାମବାସୀ ବିରୋଧ କରିଥିଲେ। ଶେଷରେ ସ୍ଥାନୀୟ ପୋଲିସ ପହଞ୍ଚି ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲେ ଓ ପରେ ଶବ ସତ୍କାର କରାଯାଇଥିଲା।

ତେବେ ସେହି ରାତିରେ ଜଣେ ୧୪ ବର୍ଷ ଝିଅ ଦେହରେ ଶାନ୍ତନୁଙ୍କ ପ୍ରେତାତ୍ମା ଆସି ମୋତେ ମୋ ପରିବାର ଲୋକ ରଡ଼ ଦ୍ବାରା ପିଟି ପିଟି ମାରିଦେଇଥିବା କଥା କହିଥିଲେ। ଏହି କଥା ଗ୍ରାମରେ ପ୍ରଚାରିତ ହେବା ପରେ ଗ୍ରାମବାସୀମାନେ ଏକଜୁଟ ହୋଇ ଏହାର ପୁଙ୍ଖାନୁପୁଙ୍ଖ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ କରିବା ସହ ଉଚିତ୍ ତଦନ୍ତ ପାଇଁ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.