ପାରାଦୀପରେ ଭୂତ ଆତଙ୍କ
20/08/2018 at 4:42 AM

ପାରାଦୀପ ଉପକଣ୍ଠର ନୂଆଗଡ଼ ଗାଁରେ କିଛି ପିଲାଙ୍କୁ ଭୂତ ଲାଗୁଛି । ଭୂତ ଲାଗିବା ସମୟରେ ପିଲାମାନଙ୍କ ଠାରେ ଅସ୍ବାଭାବିକ ଆଚରଣ ସବୁ ଦେଖିବାକୁ ମିଳୁଛି । ଏମିତି ସବୁ ଅଭିଯୋଗ କରୁଛନ୍ତି ସେମାନଙ୍କ ପରିବାର ଲୋକେ । ଆଉ ବିଭିନ୍ନ ଗୁଣିଆ ପାଖକୁ ଦଉଡ଼ୁଛନ୍ତି । ହେଲେ ପିଲାମାନଙ୍କୁ ଡାକ୍ତରଙ୍କ ପାଖକୁ ନା କେହି ନେଇଛନ୍ତି ନା ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରିଛନ୍ତି ।
ପିଲାମାନଙ୍କୁ ଭୂତ ଲାଗିଛି, ଯାହା ଫଳରେ ସେମାନେ ଏଭଳି ଅସ୍ବାଭାବିକ ଆଚରଣ ପ୍ରଦର୍ଶନ କରୁଛନ୍ତି ବୋଲି ସେମାନଙ୍କ ପରିବାର ଲୋକେ ଅଭିଯୋଗ କରୁଛନ୍ତି । ପାଖରେ ଜଣେ ଗୁଣିଆ ଠିଆ ହୋଇ ଭୂତ ଛଡ଼ାଇ ଦେବାର ଦାବି କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଅଗଷ୍ଟ ୧୫ରୁ ଏପର୍ଯ୍ୟନ୍ତ ଗଲା ୩ଦିନ ହେବ କୁଆଡ଼େ ଏଭଳି କାଣ୍ଡ ସବୁ ଦେଖିବାକୁ ମିଳୁଛି ।
ଏହି ଘଟଣାକୁ ନେଇ ପରିବାର ଚିନ୍ତାରେ ଅଛନ୍ତି । ଆଉ ଭୂତ ଭୟରେ ଭୟଭୀତ ହୋଇଛନ୍ତି ଗାଁଲୋକେ । ହେଲେ ଯେଉଁ ପିଲାମାନେ ଗଲା ୧୫ ତାରିଖ ପର୍ଯ୍ୟନ୍ତ ଠିକ୍ ଠାକ୍ ସ୍କୁଲ ଯାଉଥିଲେ, ସେମାନେ ଏବେ କାହିଁକି ଏଭଳି ଅସ୍ବାଭାବିକ ଆଚରଣ ପ୍ରଦର୍ଶନ କରୁଛନ୍ତି, କାହିଁକି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଏମିତି ଅସ୍ବାଭାବିକ ପରିବର୍ତ୍ତନ ଦେଖିବାକୁ ମିଳୁଛି, ସେ ସମ୍ପର୍କରେ ଡାକ୍ତରଙ୍କ ପରାମର୍ଶ ନେବାକୁ କେହି ବି ଉଚିତ୍ ମନେ କରିନାହାନ୍ତି । ଯେଉଁଠି ପିଲାମାନଙ୍କୁ ହସ୍ପିଟାଲ ନେଇ ଚିକିତ୍ସା କରାଯିବା କଥା ସେଠି ପିଲାମାନଙ୍କୁ ଧରି ଏ ଗୁଣିଆ ପାଖରୁ ସେ ଗୁଣିଆ ପାଖକୁ ଦଉଡ଼ୁଛନ୍ତି ପରିବାର ଲୋକ । ଅନ୍ଧ ବିଶ୍ବାସର ଅନ୍ଧ ଗଳିରେ ବାଟବଣା ନହୋଇ ବରଂ ପିଲାମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେଇ ପାରିଲେ ସେମାନେ ସୁସ୍ଥ ହୋଇ ପୂର୍ବ ଅବସ୍ଥାକୁ ଫେରିଆସିବେ । ଏଠି କେବଳ ଦରକାର ସଚେତନତା ।