ଦୀପାବଳି ପୂର୍ବରୁ ଦିଲ୍ଲୀରେ ୫ ପେଚା ଶାବକଙ୍କ ସହ ୨ ପକ୍ଷୀ ତସ୍କର ଗିରଫ, ଅନ୍ଧବିଶ୍ୱାସ ଯୋଗୁ ବିପଦରେ ବନ୍ୟପ୍ରାଣୀ

Published By : Prameya-News7 Bureau | October 23, 2019 IST

ନୂଆଦିଲ୍ଲୀ : ପୋଲିସ  ଏକ ୨ ଜଣିଆ ପେଚା ତସ୍କର ରାକେଟକୁ କାବୁ କରିଛି। ସେମାନଙ୍କ ନିକଟରୁ ୫ଟି ପେଚା ଶାବକ ଜବତ ହୋଇଥିବା ବେଳେ ଦୀପାବଳି ରାତ୍ରିରେ ତନ୍ତ୍ରମନ୍ତ୍ର କ୍ରିୟା ଲାଗି ଉଚ୍ଚ ମୂଲ୍ୟରେ ସେଗୁଡିକୁ ବିକିଥାନ୍ତେ। ତେବେ କ୍ରେତା ସେମାନଙ୍କ ନିକଟକୁ ଆସିବା ପୂର୍ବରୁ ପୋଲିସ ହାତରେ ସେମାନେ ଧରାପଡିଯାଇଛନ୍ତି । ତେବେ ପେଚାଙ୍କ କ୍ରେତା ଖୁବ୍ ଶୀଘ୍ର ଧରାପଡିବେ ବୋଲି ସିଟି ଏସପି ମନିଷ ମିଶ୍ର କହିଛନ୍ତି।

{"id":173793,"width":580,"height":326}

ଗିରଫ ୨ ଜଣ ଦିଲ୍ଲୀ ସଲଗ୍ନ ଗାଜିଆବାଦର ବୋଲି ଜଣାପଡିଛି। ସେମାନେ ଦୀପାବଳି ଅବସରରେ ପକ୍ଷୀଗୁଡିଙ୍କୁ ଉଚ୍ଚ ଦରରେ ବିକ୍ରି କରିଥାନ୍ତେ। ରାଜଧାନୀ ଦିଲ୍ଲୀରେ ଦୀପାବଳି ବେଳେ ପୂଜାସାମଗ୍ରୀ ଓ ବାଣ ଭଳି ପେଚା ବିକ୍ରି ସମ୍ପର୍କରେ ଏପର୍ଯ୍ୟନ୍ତ ଶୁଣା ଯାଉଥିଲା। ହେଲେ କେବେ ପୋଲିସ ହାତରେ ପକ୍ଷୀ ବେପାରୀ ଧରାପଡିନଥିଲେ। ତେବେ ଗାଜିଆବାଦର ୨ ଯୁବକଙ୍କ ଗିରଫ ପରେ ଏବେ ଦିଲ୍ଲୀର ଦୀପାବଳି ବଜାର ଉପରେ ଏବେ ପୋଲିସର ନଜର ପଡିଛି।

{"id":173797}

ପେଚା ମା ଲକ୍ଷ୍ମୀଙ୍କ ବାହନ ହୋଇଥିବାରୁ ଦୀପାବଳି ରାତ୍ରିରେ ପୂଜାର୍ଚ୍ଚନା ଲାଗି ଲୋକେ ଏହି ପକ୍ଷୀକୁ ଆବଶ୍ୟକ କରିଥାନ୍ତି। ଏଥିଲାଗି ଗୋଟିଗୋଟିଏ ପକ୍ଷୀକୁ ଲୋକେ ୧୦ ହଜାରରୁ ୧ ଲକ୍ଷ ଟଙ୍କା ଦେଇ କିଣୁଥିବା ଗିରଫ ଯୁବକଙ୍କ ସୂଚନାରୁ ଜଣାପଡିଛି। ତେବେ ଭାରତ ସରକାରଙ୍କ ବନ୍ୟପ୍ରାଣୀ ଆଇନ ୧୯୭୨ରେ ପେଚା ଏକ ସଂରକ୍ଷିତ ଶ୍ରେଣୀର ପକ୍ଷୀ। ଏହା ସଂରକ୍ଷଣ ଆଇନର ୧ ନମ୍ବରରେ ଆସୁଥିବା ବେଳେ ଏଭଳି ପକ୍ଷୀଙ୍କୁ ଘରେ ରଖି ପାଳନ ପୋଷଣ କରିବା ଅଥବା ଧରିବା ଧର୍ତ୍ତବ୍ୟ ଅପରାଧ ବୋଲି ନବାବ ୱାଜିଦ ଅଲ୍ଲୀ ଶାହ ପ୍ରାଣୀ ଉଦ୍ୟାନର ନିର୍ଦ୍ଦେଶକ ଡ. ଆର.କେ. ସିଂହ କହିଛନ୍ତି। ତେବେ ଜବତ ପେଚାଗୁଡିଙ୍କୁ ବନ୍ୟପ୍ରାଣୀ ବିଭାଗକୁ ହସ୍ତାନ୍ତର କରିଦିଆଯାଇଥିବା ସିଟି ଏସପି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.