ଶାଳୀକୁ ବିବାହ କରିବାକୁ ଚାହୁଁଥିଲା ଭିଣୋଇ, ମନା କରିବାରୁ ଫିଙ୍ଗିଲା ଏସିଡ୍
13/12/2020 at 8:53 PM

ନୂଆଦିଲ୍ଲୀ ୧୩/୧୨ : ଗାଜିଆବାଦର ମୁରାଦନଗର ଅଞ୍ଚଳରେ ଜଣେ ଯୁବତୀଙ୍କ ଉପରକୁ ଏସିଡ୍ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ରାତିରେ ଶୋଇଥିବା ବେଳେ ଜଣେ ବ୍ୟକ୍ତି ଯୁବତୀଙ୍କ ଉପରେ ଏସିଡ୍ ଫିଙ୍ଗି ଫେରାର ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ମୁହଁ ସଂପୂର୍ଣ୍ଣ ଭାବେ ଜଳିଯାଇଛି ଏବଂ ସେ ସଙ୍କଟାପନ୍ନ ଥିବା ଡାକ୍ତର ସୂଚନା ଦେଇଛନ୍ତି । ଘଟଣାର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ କାବୁ କରିଛି ପୋଲିସ ।
ତେବେ ଖୁଲାସା ବେଳେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଗିରଫ ଅଭିଯୁକ୍ତ ଆଉ କେହି ନୁହେଁ ବରଂ ପୀଡିତାଙ୍କ ଭିଣୋଇ ବୋଲି ଜଣା ପଡିଛି । ଗାଜିଆବାଦ ପୋଲିସ ଅଧୀକ୍ଷକ ଇରାଜ୍ ରାଜା କହିଛନ୍ତି ଅଭିଯୁକ୍ତଜଣକ ମେରଠ ଅଞ୍ଚଳର ଏବଂ ପୀଡିତାଙ୍କ ଭଉଣୀ ସହିତ ଗତ ୬ ମାସ ତଳେ ବିବାହ ହୋଇଥିଲା । ତେବେ ବିବାହର କିଛି ଦିନ ପରେ ନିଜ ଶାଳୀକୁ ମନେ ମନେ ଭଲ ପାଇ ବସିଥିଲା ଅଭିଯୁକ୍ତ । ବାରମ୍ବାର ପ୍ରେମ ନିବେଦନ କରୁଥିଲା ଅଭିଯୁକ୍ତ ସିରାଜ କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରିଦେଉଥିଲେ ପୀଡିତା ଶାଳୀ । କିଛି ଦିନ ତଳେ ପୀଡିତାଙ୍କ ବିବାହ ଠିକ ହୋଇଯାଇଥିଲା ।
ଏହାକୁ ସହିପାରିନଥିଲା ଅଭିଯୁକ୍ତ ସିରାଜ । ସେ ନିଜ ପତ୍ନୀର ସାନ ଭଉଣୀକୁ ବିବାହ କରିବାକୁ ଚାହୁଁଥିଲା । ଶାଳୀର ବିବାହ ଅନ୍ୟ ସ୍ଥାନରେ ଠିକ ହୋଇଯାଇଥିବା ଜାଣିବା ପରେ ପ୍ରତିଶୋଧ ପରାୟଣ ହୋଇପଡିଥିଲା ଅଭିଯୁକ୍ତ । ରାତିରେ ସମସ୍ତେ ଶୋଇଥିବା ବେଳେ ପୂର୍ବ ଯୋଜନା ମୁତାବକ ଶାଳୀଙ୍କ ଉପରେ ଏସିଡ୍ ମାଡ କରି ଫେରାର ହୋଇଯାଇଥିଲା । ତେବେ ପୋଲିସ ଅଭିଯୁକ୍ତ ଭିଣୋଇକୁ ଗିରଫ କରିବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।