ଘରୋଇ ହିଂସା : 'ଶାଶୂ ଘରେ ସ୍ତ୍ରୀ ମାଡ ଖାଇଲେ ଦାୟୀ ରହିବେ ସ୍ୱାମୀ'

Published By : Prameya-News7 Bureau | March 09, 2021 IST

ନୂଆଦିଲ୍ଲୀ, ୦୯/୦୩ :  ସୁପ୍ରିମକୋର୍ଟ ସୋମବାର ପତ୍ନୀଙ୍କୁ ମାଡ ମାରିବା ଘଟଣାରେ ଜଣେ ବ୍ୟକ୍ତିଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।ଏହି ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟଳୟ କହିଥିଲେ ଯେ, ପତ୍ନୀଙ୍କୁ ଲାଗିଥିବା ଯେକୌଣସି ଆଘାତ ପାଇଁ ପତି ହିଁ ଦାୟୀ ରହିବେ ।

ପ୍ରଧାନ ବିଚାରପତି ଏସଏ ବୋବଡେଙ୍କ ନେତୃତ୍ୱରେ ଗଠିତ ବେଞ୍ଚ୍ କହିଥିଲେ ଯେ, ଶାଶୂଘରେ ମହିଳାଙ୍କୁ ଯଦି ଆଉ କେହି ସମ୍ପର୍କୀୟ ଆକ୍ରମଣ କରନ୍ତି ତେବେ ଏଥିପାଇଁ ସ୍ୱାମୀ ହିଁ ଦାୟୀ ରହିବେ ।

ସୂଚନାନୁସାରେ, ପତ୍ନୀଙ୍କୁ ମାଡମାରିଥିବା ବ୍ୟକ୍ତିଙ୍କର ଏହା ତୃତୀୟ ବିବାହ ଅଟେ । ମହିଳାଙ୍କର ମଧ୍ୟ ଏହା ଦ୍ୱିତୀୟ ବିବାହ । ବିବାହର ଗୋଟିଏ ବର୍ଷ ପରେ ୨୦୧୮ରେ ମହିଳା ଜଣେ ଶିଶୁପୁତ୍ରଙ୍କୁ ଜନ୍ମ ଦେଇଥିଲେ । ଗତବର୍ଷ ଜୁନରେ ମହିଳା ଲୁଧିଆନା ପୋଲିସରେ ନିଜ ପତି ଓ ଶାଶୂ ଘର ଲୋକଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଯୌତୁକ ନଦେବାରୁ ତାଙ୍କୁ ସ୍ୱାମୀ ଓ ଶାଶୂ ଘର ଲୋକେ ମାଡ ମାରିଥିବା ସେ କହିଥିଲେ ।

ଅଭିଯୁକ୍ତଙ୍କ ଓକିଲ କୁଶାଗ୍ର ମହାଜନ କୋର୍ଟରେ କହିଥିଲେ ଯେ, ତାଙ୍କ ମହୋକିଲଙ୍କ ଜାମିନ ଦିଆଯାଉ । ଏହାକୁ ନେଇ କୋର୍ଟ ପଚାରିଥିଲେ ଯେ, ଆପଣ କିଭଳି ଲୋକ । ମହିଳା ସ୍ୱାମୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗ ଆଣିଥିଲେ । ଏପରିକି ତାଙ୍କୁ ଗର୍ଭପାତ କରିବାକୁ ଚାପ ପକାଇଥିଲେ । ଆହୁରି ମଧ୍ୟ ମାଡ ମାରିବାକୁ କ୍ରିକେଟ ବ୍ୟାଟ୍ ବ୍ୟବହାର କରିଥିଲେ । କିଏ ମାଡ ମାରୁଛି କିଛି ଫରକ ପକାଏ ନାହିଁ । ଏଥିପାଇଁ କେବଳ ସ୍ୱାମୀ ହିଁ ଦାୟୀ ରହିବେ ।

ଏହାପରେ ଖଣ୍ଡପୀଠ ଆବେଦନକୁ ଖାରଜ କରିଦେଇଥିଲେ । ଏହାପୂର୍ବରୁ ଏହି ମାମଲା ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଚାଲିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.