ଘରକୁ ଫେରିବା ଚିନ୍ତାରେ ହେମନ୍ତ, ଲକ୍‌ଡାଉନ୍‌ ଯୋଗୁଁ ବାରଦୂଆର ଶୁଣ୍ଢି ପିଣ୍ଡା

Published By : Prameya-News7 Bureau | April 28, 2020 IST

ଝାରସୁଗୁଡା୨୮।୦୪: ସାଙ୍ଗ ସହ ଚେନ୍ନାଇ ରୁ ଫେରିବାର ୪୦ ଦିନ ପରେ ବି ନିଜ ଘରକୁ ଫେରି ନପାରି ବାର ଦୁଆର ଶୁଣ୍ଢି ପିଣ୍ଡା ହେଉଛନ୍ତି ଜଣେ ଯୁବକ। ଝାରସୁଗୁଡା ରୁ ନିଜ ଘର ମାତ୍ର ୪୦ କିଲୋମିଟର ଦୂର। ଘର ପଡୋଶୀ ସୁନ୍ଦରଗଡ଼ ଜିଲ୍ଲାରେ। ତଥାପି ଘରେ ପହଞ୍ଚି ନ ଓଆରୀ ପର ଆଶ୍ରିତ ହୋଇଛନ୍ତି ସୁନ୍ଦରଗଡ ଜିଲ୍ଲା ସବଡେଗା ଅଞ୍ଚଳର ହେମନ୍ତ ଆପଟ।

ଦାଦନ ଖଟିବାକୁ ଯାଇ ଚେନ୍ନାଇ ରୁ ଗତ ମାର୍ଚ୍ଚ ମାସ ୨୦ ତାରିଖରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର କିରିତମାଲ ଗାଁ ର ଜଣେ ସାଙ୍ଗ ସହ ଫେରିଥିଲେ। ହଠାତ ଲକଡାଉନ ଘୋଷଣା ହେବା ପରେ ହେମନ୍ତ ନିଜ ଘରକୁ ଫେରି ପାରି ନଥିଲେ। ଲକଡାଉନ ହେବା ଯୋଗୁଁ ସାଙ୍ଗ ମଧ୍ୟ ହେମନ୍ତର ସହଯୋଗ କଲେ ନାହିଁ। ଫାକରେ ଅନ୍ୟର ବାରଣ୍ଡାରେ ଦିନ କାଟୁଥିବା ଏହି ଯୁବକ ଭିକ ମାଗି ଚଳିବା ପରିସ୍ଥିତି ସୃଷ୍ଟି ହେଲା।

ଯୁବକ ଜଣକର ଏହିଭଳି ଅବସ୍ଥା ଦେଖି ସେହ ଗାଁର ଅନ୍ୟ ଜଣେ ବୃଦ୍ଧ ବ୍ୟକ୍ତି ନିଜର ସକ୍ଷମ ନଥିବା ସତ୍ତ୍ୱେ ହେମନ୍ତର ଖାଇବା ପିଇବା ବ୍ୟବସ୍ଥା ବୁଝୁଥିଲେ। କିନ୍ତୁ ତାଙ୍କ ଅବସ୍ଥା ମଧ୍ୟ କାମଧନ୍ଦା ଅଭାବରୁ ଖରାପ ହୋଇ ପଡ଼ିଛି। ତଥାପି ସେ ନିଜ ସାଧ୍ୟ ମତେ ସହାୟତା ଜାରୀ ରଖିଛନ୍ତି। ଏ ପରିସ୍ଥିତି ରେ ହେମନ୍ତ ସ୍ଥାନୀୟ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ତାଙ୍କୁ ଚୂଡ଼ା ଓ ଚାଉଳ ଦିଆଯାଇଛି। କିନ୍ତୁ ଏହି ଯୁବକ କିପରି ନିଜ ଘରକୁ ଫେରିବେ ତାହା ତାଙ୍କ ପାଇଁ ବଡ ଚିନ୍ତା ହୋଇଥିଲା ବେଳେ ପ୍ରଶାସନ ର ହସ୍ତକ୍ଷେପ ଲୋଡିଛନ୍ତି ସ୍ଥାନୀୟ ଲୋକେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.