କରୋନା ଭାଇରସ ପାଇଁ ଜର୍ମାନୀର ହୋଇଛି ୧୩୦ ବିଲିୟନ ପାଉଣ୍ଡ କ୍ଷତି, ଭରଣା କରିବାକୁ ଚୀନକୁ ପଠାଇଲା ବିଲ୍

Published By : Prameya-News7 Bureau | April 20, 2020 IST

ବର୍ଲିନ, ୨୦|୦୪:  ସାରା ବିଶ୍ୱର କରୋନା ଭାଇରସର ଆତଙ୍କ ଜାରି ରହିଛି । ଚୀନର ଉହାନ ସହର ଏହି ମାରାତ୍ମକ ଭାଇରସର ଉତ୍ପତିସ୍ଥଳ ବୋଲି କୁହାଯାଉଛି । ଏହି ଭାଇରସ ସାରା ବିଶ୍ୱରେ ଏକ ଲକ୍ଷ ୬୦ ହଜାରରୁ ଅଧିକ ଜୀବନ ନେଇଥିବା ବେଳେ ୨୪ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି । କେବଳ ୟୁରୋପରେ ଏକ ଲକ୍ଷରୁ ଅଧିକ ପ୍ରାଣ ହରାଇଛନ୍ତି । ଏହି ଭାଇରସ ପ୍ରାୟ ସମସ୍ତ ଦେଶର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଛି । ବିଶ୍ୱ ଅର୍ଥବ୍ୟବସ୍ଥା ଉପରେ ଏହା ପ୍ରଭାବ ପକାଇଛି । ତେବେ ଆମେରିକା ସମେତ ଅନେକ ୟୁରୋପୀୟ ଚୀନକୁ ଏଥିପାଇଁ ଦାୟୀ କରି ଆସୁଛନ୍ତି । କାରଣ ଚୀନ କରୋନା ଭାଇରସ ବାବଦରେ ଅନେକ ତଥ୍ୟ ଲୁଚାଇଥିବା ଅଭିଯୋଗ ହୋଇଆସୁଛି। ଏହା ମଧ୍ୟରେ ଜର୍ମାନୀ ଚୀନକୁ ୧୩୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ରାଶି ଦେବାକୁ ବିଲ୍ ପଠାଇଛି । କରୋନା ପାଇଁ ଚୀନକୁ ଦାୟୀ କରିଛି ଜର୍ମାନୀ ।

ଜର୍ମାନୀର ସବୁଠାରୁ ବଡ ଖବର କାଗଜ ବ୍ଲିଡରେ ଏକ ସମ୍ବାଦକୀୟ ଆସିଛି । ଏଥିରେ ଏହି ସଂକ୍ରମଣ ପାଇଁ ଚୀନକୁ ଦାୟୀ କରାଯିବା ସହ ଦେଶର ୧୩୦ ବିଲିୟନ ପାଉଣ୍ଡର କ୍ଷତି ହୋଇଥିବା ପ୍ରକାଶ ପାଇଛି । ଏହି ତାଲିକାରେ ପର୍ଯ୍ୟଟନ ଶିଳ୍ପରେ ୨୭ ମିଲିୟନର କ୍ଷତି ହୋଇଛି । ଫିଲ୍ମ ଇଣ୍ଡଷ୍ଟ୍ରୀରେ ୭.୨ ମିଲିୟନ ୟୁରୋ କ୍ଷତି, ଜର୍ମାନ ଏୟାର ଲାଇନ୍ସରେ ୧ ମିଲିୟନ ୟୁରୋ, ଦେଶର ଛୋଟ ଶିଳ୍ପରେ ୫୦ ମିଲିୟନ ୟୁରୋ କ୍ଷତି ହୋଇଥିବା ଏହି ସମ୍ପାଦକୀୟରେ ଉଲ୍ଲେଖ ହୋଇଛି । ବ୍ଲିଡ୍ ଅନୁସାରେ ପ୍ରତି ବ୍ୟକ୍ତି ପିଛା ପ୍ରାୟ୧୭୮୪ ୟୁରୋ କ୍ଷତି ହୋଇଛି । ଏହାସହ ଦେଶର ଜିଡିପି ମଧ୍ୟ ୪.୨ ପ୍ରତିଶତ ହ୍ରାସ ପାଇଛି ।

ତେବେ ଚୀନ ଏହି ଦାବି ଉପରେ ଜବାବ ଦେଇ କହିଛି ଯେ, ଏହା ରାଷ୍ଟ୍ରବାଦକୁ ବୃଦ୍ଧି କରିବା ସହ ବିଦେଶୀଙ୍କ ପ୍ରତି ଘୃଣା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରକାଶ ପାଇଛି । ଏହା ପୂର୍ବରୁ ଫ୍ରାନ୍ସ, .ୟୁକେ, ଆମେରିକା ଚୀନକୁ ସିଧାସଳଖ କରୋନା ଭାଇରସ ପାଇଁ ଦାୟୀ କରିଛନ୍ତି । ଚୀନ ସତ୍ୟତା ଓ ମୃତକଙ୍କ ସଂଖ୍ୟା ଲୁଚାଇଥିବା ମଧ୍ୟ ଅଭିଯୋଗ ହେଉଛି । ଚୀନ ଯଦି ଜାଣିଶୁଣି ଏପରି କରିଛି ତେବେ ଏହାର ପରିଣାମ ଭୋଗିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର କହିଥିଲେ ।

ଟ୍ରମ୍ପ କହିଥିଲେ ଯେ, ଯଦି ଭୁଲ ଅଜଣା ଭାବେ ହୋଇଛି ତାହା ଠିକ ଅଛି, କିନ୍ତୁ ଜାଣିଶୁଣି ଭୁଲ ହୋଇଥିଲେ କିଛି ଠିକ ହେବ ନାହିଁ । ନିକଟରେ ଚୀନ ଉହାନ ସହରରେ ମୃତ୍ୟୁ ସଂଖ୍ୟାରେ ୫୦ ପ୍ରତିତ ବୃଦ୍ଧି ପାଇଥିବା ଦର୍ଶାଇଥିଲା । ଏହାସହ ଆମେରିକା ଓ ୟୁକେ ଲଗାତାର ଭାବେ ଏହି ଭାଇରସ ଚୀନ ଲ୍ୟାବରେ ତିଆରି ହୋଇଥିବା ନେଇ ତଦନ୍ତ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.