ଜର୍ମାନ ଗୁଇନ୍ଦା ସଂସ୍ଥାର ଦାବି - କରୋନା ଆଲର୍ଟ ବିଳମ୍ବରେ ଜାରି କରିବାକୁ WHO ଉପରେ ଚାପ ପକାଇଥିଲା ଚୀନ

Published By : Prameya-News7 Bureau | May 11, 2020 IST

ବର୍ଲିନ ୧୧/୦୫ : ଆମେରିକା ପରେ ବର୍ତ୍ତମାନ ଜର୍ମାନୀ କରୋନା ଭାଇରସକୁ ନେଇ ଚୀନକୁ ଖୋଲାଖୋଲି ଭାବେ ନିନ୍ଦା କରୁଛି | ଚୀନ ରାଷ୍ଟ୍ରପତି ଜିନ ପିଙ୍ଗ ବ୍ୟକ୍ତିଗତ ଭାବେ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟଙ୍କୁ ଫୋନ କରି କରୋନା ଭାଇରସ ସମ୍ପର୍କରେ ବିଳମ୍ବରେ ଚେତାବନୀ ଜାରି କରନ୍ତୁ ବୋଲି ଜର୍ମାନୀ ଅଭିଯୋଗ କରିଛି | ଜର୍ମାନୀର ସାପ୍ତାହିକ ମାଗାଜିନରେ ଗୁଇନ୍ଦା ସଂସ୍ଥା ବିଏନଡି ଦ୍ୱାରା ଏହା ପ୍ରକାଶିତ ହୋଇଛି |

ବିଏନଡି ଅନୁଯାୟୀ, ଜାନୁଆରୀ ୨୧ ତାରିଖରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ ଗେବେରେୟେସସଙ୍କୁ କହିଥିଲେ ଯେ, କରୋନା ଭାଇରସ ମନୁଷ୍ୟ ଠାରୁ ମନୁଷ୍ୟକୁ ବିସ୍ତାର କରୁଥିବା ସୂଚନାକୁ ରୋକି ଦିଅନ୍ତୁ ଏବଂ ମହାମାରୀ ସମ୍ବନ୍ଧୀୟ ଚେତାବନୀ ବିଳମ୍ବରେ ଜାରି କରନ୍ତୁ | ମାଗାଜିନରେ ଖବର ପ୍ରକାଶ ପାଇବା ପରେ WHO ମୁଖ୍ୟ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି | ସଂଯୁକ୍ତ ରାଷ୍ଟ୍ର ଏଜେନ୍ସି ତରଫରୁ ଜାରି କରାଯାଇଥିବା ବୟାନ ଅନୁଯାୟୀ, ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଡ.ଟେଡ୍ରୋସ ଗେବେରେୟେସସଙ୍କ ମଧ୍ୟରେ ଜାନୁଆରୀ ୨୧ ତାରିଖରେ କୌଣସି ଆଲୋଚନା ହୋଇନଥିଲା କି ସେମାନେ ଫୋନରେ କଥା ହୋଇନାହାନ୍ତି |

WHO କହିଛନ୍ତି ଯେ, ଜାନୁଆରୀ ୨୦ ତାରିଖରେ ଚୀନ ସ୍ପଷ୍ଟ କରିଥିଲା କରୋନା ମନୁଷ୍ୟରୁ ମନୁଷ୍ୟକୁ ବ୍ୟାପିଥାଏ | ଅର୍ଥାତ ଜାନୁଆରୀ ୨୧ ତାରିଖରେ ଫୋନରେ କଥାବାର୍ତା ହୋଇଥିବା ଅଭିଯୋଗ ପୂର୍ବରୁ ଚୀନ ଏ ସମ୍ପର୍କରେ ସୂଚନା ଦେଇଥିବା ସେ କହିଛନ୍ତି | WHO ଜାନୁଆରୀ ୨୨ ତାରିଖରେ ମହାମାରୀ ସମ୍ପର୍କରେ ଘୋଷଣା କରିଥିଲେ | WHO ଘୋଷଣା କରିଥିଲା ଯେ, ପ୍ରାପ୍ତ ଡାଟା ଅନୁସାରେ ଚୀନର ବୁହାନରୁ ଆରମ୍ଭ ହୋଇଥିବା ସଂକ୍ରମଣ ମନୁଷ୍ୟରୁ ମନୁଷ୍ୟକୁ ସଂକ୍ରମିତ ହେଉଛି | ଅପରପକ୍ଷରେ ଯଦି ଜର୍ମାନୀର ଗୁଇନ୍ଦା ସଂସ୍ଥାର ଦାବି ସତ ହୋଇଥାଏ ତାହେଲେ ଏହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ଭୁଲ ପ୍ରମାଣିତ କରିଦେବା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.