‘ଆନୁବଂଶିକ ସଂରଚନା ଉପରେ ନିର୍ଭର କରେ କରୋନା ସଂକ୍ରମଣ’

Published By : Prameya-News7 Bureau | May 12, 2021 IST

ନୂଆଦିଲ୍ଲୀ ୧୨/୫:  ଦେଶରେ କରୋନା କାୟା ବିସ୍ତାର କରିଥିବା ବେଳେ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି। ଭୂତାଣୁ ସଂକ୍ରମଣ ଉପରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି।  ଏକ ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ ଏବି ଏବଂ ବି ବ୍ଲଡ୍‌ ଗ୍ରୁପ୍‌ର ଲୋକମାନଙ୍କୁ କରୋନା ସଂକ୍ରମଣ ଭୟ ଅଧିକ ରହିଛି। ‘ଓ’ ବ୍ଲଡ୍‌ ଗ୍ରୁପ୍‌ର ଲୋକଙ୍କୁ ସଂକ୍ରମଣ ଭୟ କମ୍‌ ରହିଛି। ଏହି ବ୍ଲଡ୍‌ ଗ୍ରୁପ୍‌ର ଅଧିକରୁ ଅଧିକ କରୋନା ରୋଗୀ ଲକ୍ଷଣ ବିହୀନ କିମ୍ବା ସେମାନଙ୍କ ଠାରେ କମ୍‌ ଲକ୍ଷଣ ଦେଖିବାକୁ ମିଳେ । ଏନେଇ କାଉନସିଲ୍‌ ଅଫ ସାଇଣ୍ଟିଫିକ୍‌ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ୍ଚ (ସିଏସଆଇଆର) ପକ୍ଷରୁ ଏକ ରିସର୍ଚ୍ଚ ପେପର ପ୍ରକାଶ ପାଇଛି। ସିରୋ ପଜିଟିଭ୍‌ ସର୍ଭେର ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଛି। ୧୦ ହଜାର ଲୋକଙ୍କୁ ନେଇ ହୋଇଥିବା ଏହି ଗବେଷଣାରେ ୧୪୦ ଜଣିଆ ଡାକ୍ତରଙ୍କ ଏକ ଟିମ୍‌ ସାମିଲ ହୋଇଥିଲେ। ରିପୋର୍ଟ ଅନୁସାରେ, ଶାକାହାରୀ ଲୋକଙ୍କ ତୁଳନାରେ ମାଂସାହାରୀଙ୍କୁ କରୋନା ଭାଇରସ୍‌ ସଂକ୍ରମଣ ଆଶଙ୍କା ଅଧିକ ରହିଛି।

୧.  ଏହି ସର୍ଭେକୁ ନେଇ ଆଗ୍ରାର ପାଥୋଲୋଜିଷ୍ଟ ଡାକ୍ତର ଅଶୋକ ଶର୍ମାଙ୍କ ଅନୁସାରେ ସବୁକିଛି ଜଣେ ବ୍ୟକ୍ତିଙ୍କ ଜେନେଟିକ୍‌ (ଆନୁବଂଶିକ) ସଂରଚନା ଉପରେ ନିର୍ଭର କରେ। ଯେମିତି ଜଣେ ଥ୍ୟାଲେସିମିଆ ପୀଡ଼ିତ ବ୍ୟକ୍ତିଙ୍କୁ ହୁଏତ ମାଲେରିଆ ହୋଇନପାରେ। ଅନକେ ଉଦାହରଣ ଏମିତି ଅଛି, ଯେଉଁଥିରେ ପୂରା ପରିବାର ସଂକ୍ରମିତ ହୋଇଥିବା ବେଳେ କେହି ଜଣେ ଏଥରୁ ବର୍ତ୍ତିଯାଉଛନ୍ତି। ଏହାର କାରଣ ଜେନେଟିକ୍‌ ସଂରଚନା।

୨. ଡାକ୍ତର ଶର୍ମା କହିଛନ୍ତି ଏବି ଏବଂ ବି ବ୍ଲଡ ଗ୍ରୁପ୍‌ ତୁଳନାରେ ‘ଓ’ ବ୍ଲଡ୍‌ ଗ୍ରୁପ୍‌ର ଭାଇରସ୍‌ ବିପକ୍ଷରେ ପ୍ରତିରୋଧକ ଶକ୍ତି ଅଧିକ ମଜଭୁତ। ଏବେ ଏହା ଉପରେ ଆହୁରି ଗବେଷଣା କରିବାର ଆବଶ୍ୟକତା ରହିଛି। ଯଦିଓ  ‘ଓ’ ବ୍ଲଡ୍‌ ଗ୍ରୁପ୍‌ ବ୍ୟକ୍ତିଙ୍କୁ ସଂକ୍ରମଣ ଭୟ କମ୍‌ ରହିଛି ତେବେ ଏହାର ଅର୍ଥ ନୁହେଁ ସେମାନେ କରୋନା ନିୟମ ମାନିବେ ନାହିଁ। ସେମାନେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ନୁହନ୍ତି। ତେଣୁ ସେମାନଙ୍କୁ ଅସୁବିଧା ହୋଇପାରେ ବୋଲି ସେ କହିଛନ୍ତି।

୩. ବରିଷ୍ଠ ଫିଜିସିଆନ୍‌ ଡାକ୍ତର ଏସକେ କାଲରାଙ୍କ ମତରେ ଏହା କେବଳ ଏକ ସାମ୍ପଲ୍‌ ସର୍ଭେ।  ଭିନ୍ନ ବ୍ଲଡ୍‌ ଗ୍ରୁପ୍‌ର ବ୍ୟକ୍ତିଙ୍କ ପ୍ରତି ସଂକ୍ରମଣ ହାର ଅଲଗା କାହିଁକି ଏନେଇ ବୈଜ୍ଞାନିକମାନଙ୍କ ଦ୍ବାରା ଗବେଷଣା କରାଯାଇନାହିଁ। ଏବେ ‘ଓ’ ବ୍ଲଡ୍‌ ଗ୍ରୁପ୍‌ ଏବଂ ଭଲ ଇମ୍ୟୁନିଟିକୁ ନେଇ କିଛି ସିଦ୍ଧାନ୍ତରେ ପହଞ୍ଚିବା ଭୁଲ ହେବ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.