ଶକ୍ତିଶାଳୀ ହେଉଛନ୍ତି ବାଜୱା, ମିଲେଟ୍ରି ଶାସନ ଆଡକୁ ବଢୁଛି ପାକିସ୍ତାନ

Published By : Prameya-News7 Bureau | August 21, 2019 IST

ଇସ୍ଲାମାବାଦ : ପାକିସ୍ତାନର ଶାସନ ବ୍ୟବସ୍ଥାକୁ ନେଇ ସୀମା ସେପାଖରୁ ଫୁସରଫାସର ସେବେଠୁ ଆରମ୍ଭ ହେଲାଣି, ଯେବେଠୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କାର୍ଯ୍ୟାଳୟ ଆର୍ମି ମୁଖ୍ୟ କମର ଜାଭେଦ ବାଜୱାଙ୍କ ନାମରେ ଚିଠି ଜାରି କଲାଣି। ପାକ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବାଜୱାଙ୍କ ନାମରେ ଜାରି ପତ୍ରରେ ସେନାରେ ତାଙ୍କ କାର୍ଯ୍ୟକାଳକୁ ଆହୁରି ୩ ବର୍ଷ ବୃଦ୍ଧି କରାଯାଇଛି। ଏଣୁ ଇମ୍ରାନ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ସତ ହେଲେ ସେନା ଏବେ ବାସ୍ତବ ଶାସକ ବୋଲି ଭାବୁଛନ୍ତି ଦେଶର ଲୋକେ। 

{"id":146994}

ପାକିସ୍ତାନ ସ୍ଥାପନାକୁ ଇତିମଧ୍ୟରେ ୭୨ ବର୍ଷ ବିତିଛି। ଏଥିରୁ ଅଧାରୁ ଅଧିକ କାଳ ଦେଶର ଶାସନ ସେନା ହାତରେ ରହିଆସିଛି। ଦେଶର ସଙ୍କଟ ବେଳେ ସେନା ମୁଖ୍ୟମାନେ ଲୋକତନ୍ତ୍ରକୁ ପଦଦଳିତ କରି କ୍ଷମତା ଛଡାଇ ନେଇଛନ୍ତି। ଫିଲ୍ଡ ମାର୍ଶଲ ଆୟୁବ ଖାନଙ୍କ ହୁଅନ୍ତୁ କି ୟାହୟା ଖାନ, ଜିଆ ଉଲହକ୍  ହୁଅନ୍ତୁ କି ଜେନରାଲ ପରଭେଜ ମୁଶର୍ରଫ ଦେଶକୁ ଦୀର୍ଘ ୩୫ବର୍ଷରୁ ଊର୍ଦ୍ଧ୍ୱକାଳ ନିଜ ହାତମୁଠାରେ ରଖିଛନ୍ତି। ହେଲେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଦେଶରେ ନିର୍ବାଚିତ ସରକାର ନଥିବାରୁ ଅନ୍ତର୍ଜାତୀୟ ସ୍ତରରେ ଉପୁଜିଥିବା ସମସ୍ୟା ସମାଧାନ କରି ନପାରି ସେନା ନିଜ ଇଚ୍ଛାରେ ନିର୍ବାଚନ କରାଇ ସରକାର ଗଠନ କରି ହାତର କ୍ରିଡନକ କରି ରଖିଛନ୍ତି। ଏବେ କାଶ୍ମୀର ପ୍ରସଙ୍ଗରେ ଭାରତ ତାର ଅଭିମୁଖ୍ୟ ବଦଳାଇ ଦେବା ହୁଏତ ପାକ୍ କୁ ସେହି ରାସ୍ତାରେ ପୁଣି ଚାଲିବାକୁ ବାଧ୍ୟ କରିଥିବା ଆଶଙ୍କା କରାଗଲାଣି। 

{"id":146995}

କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର କଲା ଭାରତ, ହେଲେ ସଙ୍କଟରେ ପଡିଛି ପାକର ନିର୍ବାଚିତ ସରକାର। କାରଣ ପାକ୍ ର ରାଜନୀତି କାଶ୍ମୀରରୁ ଆରମ୍ଭ ଓ କାଶ୍ମୀରରେ ହିଁ ଶେଷ। ଏଣୁ ସେହି କାଶ୍ମୀର ଲାଗି ଭାରତ କରିଥିବା ନିଷ୍ପତ୍ତି ଏବେ ପାକ୍ ଗଳାରେ କଣ୍ଟା ହୋଇଛି। ଯାହାକୁ ସରକାର ଏବେ ନା ଗିଳି ପାରୁଛନ୍ତି ନା ବାହାର କରିପାରୁଛନ୍ତି । ଏଣୁ ଦେଶର ଶାସନ ଏବେ କମର ବାଜୱାଙ୍କୁ ହାତକୁ ଯାଇଥିବା ଲୋକେ ଏକପ୍ରକାର ନିଶ୍ଚିତ ହୋଇଯାଇଛନ୍ତି।  

{"id":146996}

ଦେଶରେ ଇମ୍ରାନ ପ୍ରଧାନମନ୍ତ୍ରୀ ହେବା ପରଠାରୁ ସବୁ ବଡବଡ ରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ଇମ୍ରାନଙ୍କ ସମାନ୍ତରାଳରେ ଲୋକେ ବାଜୱାଙ୍କୁ ଦେଖିଆସୁଛନ୍ତି। ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ ଆଲୋଚନା ହେଉ କି ଆମେରିକା ରାଷ୍ଟ୍ରପତିଙ୍କ ସହ ଭେଟ ସବୁଠି ଇମ୍ରାନଙ୍କ କଡରେ ଲୋକେ ବାଜୱାଙ୍କୁ ଦେଖୁଛନ୍ତି। ଏଣୁ ଏପର୍ଯ୍ୟନ୍ତ ଦେଶରେ ସେନା ଶାସନକୁ ନେଇ ହେଉଥିବା ସନ୍ଦେହ ଉପରୁ ଇମ୍ରାନଙ୍କ କାର୍ଯ୍ୟାଳୟର ପତ୍ର ପରଦା ହଟେଇ ଦେଇଛି। ଏଥିରୁ ଜେନେରାଲ ବାଜୱା ହିଁ ଦେଶର ଅସଲ ଶାସକ ବୋଲି ଏବେ ଏକପ୍ରକାର ସ୍ପଷ୍ଟ ହୋଇଗଲାଣି। 

{"id":146998}

ତେବେ ବିନାପ୍ରମାଣରେ କେହି ଏଭଳି ଅଭିଯୋଗ କରୁନାହାନ୍ତି। ଗତବର୍ଷ ହୋଇଥିବା ସାଧାରଣ ନିର୍ବାଚନରେ ଇମ୍ରାନଙ୍କ ପିଟିଆଇକୁ ଜିତାଇବାରେ ସିଧା ସେନାର ହାତ ଥିଲା ବୋଲି ପ୍ରମୁଖ ବିରୋଧୀ ଦଳ ଅଭିଯୋଗ କରୁଛି। ତେବେ ବିରୋଧୀଙ୍କ ଏହି ଅଭିଯୋଗକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଚିଠି ଏବେ ପ୍ରମାଣିତ କରିଛି। ସେନାମୁଖ୍ୟଙ୍କ କାର୍ଯ୍ୟକାଳକୁ ଆହୁରି ୩ ବର୍ଷ ବୃଦ୍ଧି କରିବାକୁ ନିଜେ ବାଜୱା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚିଠି କରାଇଥିବା ବିରୋଧୀ କହୁଛନ୍ତି। 

{"id":147005}

ସୂଚନା ଯୋଗ୍ୟଯେ ପାକ୍ ସେନା ମୁଖ୍ୟ ଜନେରାଲ କମର ଜାଭେଦ ବାଜୱାଙ୍କ ଅବସର ଆସନ୍ତା ନଭେମ୍ବରରେ। ହେଲେ ତା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତାଙ୍କ କାର୍ଯ୍ୟକାଳକୁ ଆହୁରି ୩ବର୍ଷ ବୃଦ୍ଧି କରିଛି। କାଶ୍ମୀରର ବର୍ତ୍ତମାନ ପରିସ୍ଥିତି ପାକିସ୍ତାନର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏଥିରେ ସେନାମୁଖ୍ୟ ବାଜୱା ଶାସନକୁ ନିଜ ହାତମୁଠାରେ ରଖିବାକୁ ଚାହୁଁଛନ୍ତି।

{"id":147006}

ପାକିସ୍ତାନ ହାତରେ ରହିଛି ବିଶ୍ୱର ଷଷ୍ଠ ସେନାବଳ। ଯାହାର ନିୟନ୍ତ୍ରଣ ଦେଶର ପରମାଣୁ ଅସ୍ତ୍ର ଉପରେ ବି ରହିଛି। ଏଣୁ କାଶ୍ମୀର ଯୋଗୁ ଭାରତ ସହ ଉପୁଜିଥିବା ଯୁଦ୍ଧଭଳି ପରିସ୍ଥିତିରେ ଯେକୌଣସି ମୁହୁର୍ତ୍ତରେ ସେନା ଦେଶର ଶାସନ ଅକ୍ତିଆର କରିପାରେ। ବିରୋଧୀ ଦେଶର ନିର୍ବାଚିତ ସରକାରଙ୍କୁ ସେନାର ଖେଳନା ବୋଲି କହୁଛନ୍ତି। ଏଥିରେ ବାଜୱାଙ୍କ ଏକ୍ସଟେନସନକୁ ଦେଶର ବୈଦେଶିକ ନୀତି ଉପରେ ସୈନ୍ୟ ବର୍ଚ୍ଚସ୍ୱକୁ ପ୍ରମାଣିତ କରୁଛି। କେବଳ ବୈଦେଶିକ ନୁହେଁ ସେନା ଦେଶର ଘରୋଇ ମାମଲାରେ ମଧ୍ୟ ହସ୍ତକ୍ଷେପ କରୁଛି। ଏପରିକି କାଶ୍ମୀର ପ୍ରସଙ୍ଗରେ ବାଜୱା ନିଜେ ନିଷ୍ପତ୍ତି ନେଇଉଥିବା ଜଣାପଡିଛି। ଏଣୁ ଭାରତ ସହ ମୁହାଁମୁହିଁ ପରିସ୍ଥିତିରେ ଦେଶର ଶାସନକୁ ହାତକୁ ନେବା ଲାଗି ବାଜୱାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହୋଇଥିବା କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.