ଜେନେରାଲ ଏମ୍.ଏମ.ନରୱାଣେଙ୍କ ସରପ୍ରାଇଜ୍ ଭିଜିଟ୍, ଲକ୍ଷ୍ନୌରେ ଭେଟିଲେ ଯୋଗୀଙ୍କୁ
7/08/2020 at 7:05 PM

ଲକ୍ଷ୍ନୌ ୭।୮: ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍.ନରୱାଣେ ଶୁକ୍ରବାର ଅଚାନକ ଅଧିକାରୀକ ଗସ୍ତରେ ଲକ୍ଷ୍ନୌ ଯାଇଥିଲେ। ଏହି ଗସ୍ତକାଳରେ ସେନାଧ୍ୟକ୍ଷ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି ଆଲୋଚନା କରିବା ସହ ସେଣ୍ଟ୍ରାଲ କମାଣ୍ଡ ମୁଖ୍ୟାଳୟ ମଧ୍ୟ ପରିଦର୍ଶନ କରିଛନ୍ତି। ଚୀନ୍ ଲାଗି ଏଲଏସିରେ ଏବେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଉପୁଜିଛି। ଏଥିରେ ନେପାଳ ଏକ ତରଫା ନକ୍ସା ପରିବର୍ତ୍ତନ କରି ଭାରତ ସୀମୀରେ ଚୀନ ସେନା ଠୁଳ ହେବାକୁ ସୁଯୋଗ ସୃଷ୍ଟି କରିବା ନୂଆ ସମସ୍ୟା ସୃଷ୍ଟି କରିଛି। ଏଣୁ ଜେନେରାଲ ନରୱାଣେଙ୍କ ୟୁପି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଅବସରରେ ସ୍ଥଳସେନାଧ୍ୟକ୍ଷ ନେପାଳକୁ ନେଇ ଆଲୋଚନା କରିଥିବାର ଅନୁମାନ କରାଯାଉଥିବା ବେଳେ ଏଠାରୁ ସିଧା ସେନା ମୁଖ୍ୟାଳୟକୁ ଯାଇ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ଲିପୁଲେଖ ପାସ୍ ନିକଟରେ ଚୀନ୍ ସେନା ଠୁଳ କରିଥିବାର ସୂଚନା ମିଳିଥିଲା। ସେହି ଅନୁସାରେ ଭାରତ ପକ୍ଷରୁ ମଧ୍ୟ ସୀମାରେ ଆବଶ୍ୟକ ପ୍ରସ୍ତୁତି କରାଯିବା ସହ ସେନା ମୁତୟନ କରାଯାଇଛି।

ଲିପୁଲେଖ ସେଣ୍ଟ୍ରାଲ କମାଣ୍ଡ ନିୟନ୍ତ୍ରଣାଧୀନ ଅଞ୍ଚଳ ଏଣୁ ଏଠାରେ ଉତ୍ତେଜନା ବଢିବା ଆଶଙ୍କା ଥିବାରୁ ପରିସ୍ଥିତି ନେଇ ସ୍ଥଳ ସେନାଧ୍ୟକ୍ଷ ଅଧିକାରୀଙ୍କ ସହ ଆଲୋଚନା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ଚୀନ୍ ଭାରତର ଦୁଇ ପଡୋଶୀଙ୍କୁ ନେଇ ନୂଆ ନକ୍ସା କୂଟନୀତି ଆରମ୍ଭ କରିଛି। ଏଥିରେ ନେପାଳ ପ୍ରଥମେ ଏକ ତରଫା ଭାବେ ନକ୍ସା ସଂଶୋଧନ କରି ସଂସଦରେ ଗୃହୀତ କରିବା ସହ ସୀମାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଏବେ ପାକିସ୍ତାନ ମଧ୍ୟ ଏକତରଫା ନକ୍ସାକୁ କ୍ୟାବିନେଟରେ ଗୃହୀତ କରିଥିବାର ସୂଚନା ମିଳିଛି।