ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ସାମ୍ନାରୁ ଜିଲେଟିନ୍ ଭର୍ତ୍ତି ସ୍କର୍ପିଓ ଜବତ : ଗାଡିରୁ ମିଳିଲା ଧମକପୂର୍ଣ୍ଣ ଚିଠି

Published By : Prameya-News7 Bureau | February 25, 2021 IST

ମୁମ୍ବାଇ ୨୫/୦୨ : ଦେଶର ସବୁଠୁ ଧନୀ ତଥା ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ସାମ୍ନାକୁ ସନ୍ଦିଗ୍ଧ ଅବସ୍ଥାରେ ଗୋଟିଏ ସ୍କର୍ପିଓକୁ ଜବତ କରାଯାଇଛି । ଉକ୍ତ ଗାଡିରୁ ପ୍ରାୟ ୨୦ଟି ଜିଲେଟିନ୍‌ ଛଡ ଜବତ କରାଯାଇଥିବା ସୂଚନା ମିଳିଛି । ଘଟଣା ବାବଦରେ ଜଣାପଡିବା ପରେ ପୋଲିସ ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସିଙ୍କ ନିଦ ହଜିଯାଇଛି । ଗାଡି ଜବତ ହେବାପରେ ମୁମ୍ବାଇ ପୋଲିସର ବମ୍‌ ସ୍କ୍ବାଡ୍‌ ତୁରନ୍ତ ଆଣ୍ଟିଲିଆ ନିକଟରେ ପହଞ୍ଚିଯାଇଥିଲେ ।

ସୂଚନା ଅନୁସାରେ, ଆଖପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରିବା ସହିତ ଯାଞ୍ଚ ଜୋରଦାର କରିଛି ପୋଲିସ । ପୋଲିସ କହିଛି ​‌ଯେ ସ୍କର୍ପିଓ ଗାଡିଟି ଦୀର୍ଘ ସମୟ ଧରି ଅମ୍ବାନୀଙ୍କ ଘର ବାହାରେ ଛିଡା ହୋଇଥିଲା । ସନ୍ଦେହ ହେବାରୁ ସୁରକ୍ଷା ଦାୟିତ୍ବରେ ଥିବା କର୍ମୀମାନେ ପୋଲିସକୁ ଏ ବାବଦରେ ସୂଚନା ଦେଇଥିଲେ ।

ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଯାଞ୍ଚ ବେଳେ ଗାଡିରୁ ଜିଲେଟିନ୍‌ ଜବତ କରାଯାଇଥିଲା । ଜିଲେଟିନ୍‌ ବିସ୍ଫୋରଣ ପାଇଁ ବ୍ୟବହାର କରାଯାଏ । ତେଣୁ ଏତେ ପରିମାଣର ଜିଲେଟିନ୍‌ କିପରି ସେଠାକୁ ଆସିଲା ଏବଂ କଣ ପାଇଁ ସେଠାରେ ରଖାଯାଇଥିଲା ତାହାର ତଦନ୍ତ ଆରମ୍ଭ କରିଛି ପ୍ରଶାସନ ।

ଗାଡିରୁ ଗୋଟିଏ ଧମକପୂର୍ଣ୍ଣ ଚିଠି ମିଳିଥିବା ପୋଲିସ ସୂଚନା ଦେଇଛି । ମହାରାଷ୍ଟ୍ର ସରକାର ଘଟଣାକୁ ଗୁରୁତର ସହ ନେଇ ଅମ୍ବାନୀ ପରିବାରର ସୁରକ୍ଷା ବଢାଇବାକୁ ନିର୍ଦେଶ ଦେଇଛନ୍ତି । ଆଣ୍ଟିଲିଆ ଆଖପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ୍‌ କରିଦିଆଯାଇଛି ଏବଂ ସୁରକ୍ଷା ବ୍ୟବସ୍ଥା ବଢାଇଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.