ଗେହଲଟ୍ ବନାମ ପାଇଲଟ୍: କଂଗ୍ରେସ  ହାଇକମାଣ୍ଡ ଗେହଲଟ୍‌ଙ୍କୁ ଦେଲେ ଝଟକା, ବଢିବ ସଚିନଙ୍କ ପତିଆରା

Published By : Prameya-News7 Bureau | June 30, 2021 IST

ଜୟପୁର ୩୦।୦୬: ରାଜସ୍ଥାନ କଂଗ୍ରେସରେ ସଚିନ ପାଇଲଟ୍ ଓ ଅଶୋକ ଗେହଲଟଙ୍କ ମଧ୍ୟରେ ଚାଲିଥିବା ବିବାଦରେ କଂଗ୍ରେସ ହାଇକମାଣ୍ଡ ଗେହଲଟ୍‌ଙ୍କୁ ଝଟକା ଦେଇଛନ୍ତି। କଂଗ୍ରେସ ହାଇକମାଣ୍ଡ ଜିଲ୍ଲା ସଭାପତି ନିଯୁକ୍ତି ପାଇଁ ସିଧାସଳଖ ଜିଲ୍ଲା ପ୍ରଭାରୀଙ୍କୁ ନାମ ଦେବାକୁ କହିଛନ୍ତି। ଅର୍ଥାତ ଜିଲ୍ଲା କଂଗ୍ରେସ ସଭାପତି କିଏ ହେବ ତାର ନିଷ୍ପତ୍ତି ଏବେ ରାଜସ୍ଥାନ କଂଗ୍ରେସ ନୁହେଁ ପାର୍ଟି ହାଇକମାଣ୍ଡ କରିବେ। ଏଥିରେ ପାଇଲଟ୍‌ଙ୍କ ରାଜନୈତିକ ପତିଆରା ବଢିବ।

ଜିଲ୍ଲା କଂଗ୍ରେସର କାର୍ଯ୍ୟକାରିଣୀ ପ୍ରାୟ ୧୧ ମାସ ହେବ ବନ୍ଦ ରହିଛି। ବାରମ୍ବାର ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୁଏ କିନ୍ତୁ ପ୍ରତିଥର କୌଣସି ନା କୌଣସି ବାଧା ଉପୁଜି ତାହା ବନ୍ଦ ହୋଇଯାଏ। ଏବେ ପୁଣି ଥରେ ରାଜସ୍ଥାନ କଂଗ୍ରେସରେ ସଂଗଠନ ବିସ୍ତାରର ପ୍ରକ୍ରିୟା ଆରମ୍ଭ  ହୋଇ ଯାଇଛି। କଂଗ୍ରେସରେ ଖୁବ୍ ଶୀଘ୍ର ଜିଲ୍ଲା ସଭାପତି ସମେତ ଅନ୍ୟ ପଦାଧିକାରୀଙ୍କ ନିଯୁକ୍ତି ପାଇଁ ପ୍ରସ୍ତୁତି କରାଯାଉଛି। ପ୍ରଥମ ଥର ରାଜ୍ୟ କଂଗ୍ରେସ କମିଟିକୁ ଅଣ ଦେଖା କରାଯାଇ ଏଆଇସିସି ଦ୍ଵାରା ସିଧାସଳଖ ନାର ପ୍ୟାନେଲ ମଗାଯାଇଛି।

ସାଧାରଣତଃ ରାଜ୍ୟ କଂଗ୍ରେସ କମିଟି ମାଧ୍ୟମରେ ଜିଲ୍ଲା ସଭାପତି ଏବଂ ଅନ୍ୟ ନିଯୁକ୍ତି ପାଇଁ ନାମଗୁଡିକୁ ଦିଲ୍ଲୀ ପଠାଯାଇଥାଏ। ଏଥିରେ ହାଇକମାଣ୍ଡ ମୋହର ମାରନ୍ତି। ହେଲେ ଏଥର ପିସିସି ପରିବର୍ତ୍ତେ ସିଧାସଳଖ ଏଆଇସିସି ଦ୍ଵାରା ଜିଲ୍ଲା ସଭାପତି ନାମ ମଗାଯାଇଛି। ଜୁନ ୩୦ ସୁଦ୍ଧା ତିନି ଜଣଙ୍କ ନାମ ପଠାଇବାକୁ କୁହାଯାଇଛି। ଅର୍ଥାତ ଆଜି ନାମ ପଠାଇବାର ଶେଷ ତାରିଖ।

ରାଜ୍ୟ କଂଗ୍ରେସ ସଭାପତି ଗୋବିନ୍ଦ ସିଂହ ଡୋଟାସର ସିଧାସଳଖ ନାମ ମଗାଯିବା ପ୍ରଶ୍ନ ଉପରେ କହିଛନ୍ତି, ପିସିସିଠୁ ନାମ ମଗାରେ  ଚାରି ମାସ ବିତି ସାରିଛି। ସିଧାସଳଖ ନାମ ମଗାଯିବାରେ ଆମର କୌଣସି ଆପତ୍ତି ନାହିଁ। ମୋତେ ମଧ୍ୟ ନାମ ମଗାଯାଇଥିବା ଡୋଟାସର କହିଛନ୍ତି। ସେ କହିଛନ୍ତି, ସମସ୍ତ ନେତାଙ୍କ ସହ ଆଲୋଚନା କରି ଜିଲ୍ଲା ସଭାପତିଙ୍କ ନାମ ଉପରେ ନିର୍ଣ୍ଣୟ ନିଆଯିବ ଏବଂ ପିସିସି ଦ୍ଵାରା ପଠାଯାଇଥିବା ପ୍ରସ୍ତାବ ଉପରେ ହାଇକମାଣ୍ଡ ଜିଲ୍ଲା ସଭାପତି ଚୟନ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.