ଚର୍ଚ୍ଚାରେ ଦୁଇ ଭଉଣୀ । ଜଣେ ଓଡିଶାରେ ଆଉ ଜଣେ ଉତ୍ତରପ୍ରଦେଶରେ । ରାଜନୀତିର କିଟିମିଟିଆ ଗଣିତକୁ ସମାଧାନ କରିବା ସହ ଭାଇଙ୍କ ନିର୍ବାଚନୀ ବୈତରଣୀ ପାର କରାଇବାକୁ ଜଣେ ନିଜେ ମଇଦାନକୁ ଓହ୍ଲାଇଛନ୍ତି । ଆଉ ଜଣେ ଭାଇଙ୍କୁ ସହାୟତା ଦେବାକୁ ପାଖେ ପାଖେ ଠିଆ ହୋଇଥିବା ଚର୍ଚ୍ଚା ଜୋର ଧରିଛି ।
ନବୀନ ନିବାସରେ ଦେଖିବାକୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ବଡ ଭଉଣୀ ଗୀତା ମେହଟ୍ଟାଙ୍କୁ । ଆମେରିକାରେ ରହନ୍ତି ଗୀତା, କିନ୍ତୁ ତାଙ୍କୁ ନେଇ ଓଡିଶା ରାଜନୀତିରେ ଚର୍ଚ୍ଚା ସେବେଠୁ ଆସିଛି ଯେବେଠୁ ନବୀନ ଓଡିଶା ଆସିଲେଣି । ବିଜୁବାବୁଙ୍କ ଦେହାନ୍ତ ପରେ ନବୀନ ରାଜନୀତିକୁ ଆସିବା ପଛରେ ଗୀତା ମେହେଟ୍ଟାଙ୍କ ବଡ ଭୂମିକା ଥିବା କୁହା ଯାଉଛି । ଏବେ ଟିକେଟ ବଣ୍ଟନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ନବୀନ ନିବାସରେ ଗୀତା ଏବଂ ନବୀନଙ୍କ ମଧ୍ୟରେ ରାଜନୈତିକ ଆଲୋଚନା ହୁଏ । ୨୦୧୭ରେ ବିଜେଡି ତାଙ୍କୁ ରାଜ୍ୟସଭା ପଠାଇବା ନେଇ କଥା ଉଠିଥିଲା । ତେବେ ନବୀନ ଏହାକୁ ଖଣ୍ଡନ କରିବା ପରେ ଏହା ସ୍ପଷ୍ଟ ହୋଇ ଯାଇଥିଲା ଯେ ଗୀତା ସକ୍ରିୟ ରାଜନୀତିକୁ ଆସିବେନି । ତେବେ ନବୀନଙ୍କ ରାଜନୈତିକ କ୍ୟାରିଅର ପ୍ରତି ସେ ଯେ ଆଞ୍ଚ ଆସିବାକୁ ଦେବେନି ତାହା ସ୍ପଷ୍ଟ । ନିକଟରେ ପଦ୍ମଶ୍ରୀ ପୁରସ୍କାର ପାଇଁ ନାଁ ମନୋନୀତ ହୋଇଥିଲେ ମଧ୍ୟ ନିର୍ବାଚନୀ ମାହୋଲରେ ଏହା ଭୁଲ୍ ବାର୍ତ୍ତା ଦେଇପାରେ କହି ଗୀତା ମେହଟ୍ଟା ବିନମ୍ରତାର ସହ ମନା କରିଦେଇଥିଲେ । ରାଜନୀତିର ଗତିକୁ ବୁଝି ବିଚାରି ନିଷ୍ପତ୍ତି ନେଇଥିଲେ ଗୀତା ।
ଆଉ ଜଣେ ଭଉଣୀ ହେଉଛନ୍ତି ପ୍ରିୟଙ୍କା ଗାନ୍ଧୀ । ଡେରିରେ ହେଉ ପଛେ ସକ୍ରିୟ ରାଜନୀତିକୁ ଓହ୍ଲାଇଛନ୍ତି ପ୍ରିୟଙ୍କା । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ କାନ୍ଧକୁ କାନ୍ଧ ମିଶାଇ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ଭଉଣୀ ପ୍ରିୟଙ୍କା ଗାନ୍ଧୀ । ଦେଶର ରାଜନୈତିକ ସମୀକରଣକୁ ଓଲଟପାଲଟ କରି ଦେଉଥିବା ଉତ୍ତରପ୍ରଦେଶର ପ୍ରଭାରୀ ଭାବରେ ରାହୁଲଙ୍କ ଦାୟିତ୍ବ ମୁଣ୍ଡକୁ ନେଇଛନ୍ତି । କଂଗ୍ରେସକୁ ମିଳି ଯାଇଛି ନୂଆ ଚେହେରା, ଆଉ ରାହୁଲଙ୍କୁ ମିଳି ଯାଇଛି ସାନ ଭଉଣୀର ଦମ୍ଭ । ଆଜିଠୁ ଉତ୍ତରପ୍ରଦେଶରେ ୪ଦିନିଆ କ୍ୟାମ୍ପେନ ଆରମ୍ଭ କରିଛନ୍ତି ପ୍ରିୟଙ୍କା । କାଲିଠୁ ଗଙ୍ଗାରେ ୧୪୦କିଲୋମିଟର ବୋଟ୍ ଯାତ୍ରା ଆରମ୍ଭ କରିବେ । ୨୦୧୪ରେ ମୋଦି କହିଥିଲେ ମୁଝେ ଗଙ୍ଗା ନେ ବୁଲାୟା ହେ । ମୋଦି ନିଜେ ବାରଣାସୀରୁ ଜିତିବା ସହ ୟୁପିରେ ବିଜେପି ଆଶାତୀତ ସଫଳତା ପାଇଥିଲେ । ଏବେ ସେହି ଗଙ୍ଗା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି ପ୍ରିୟଙ୍କା।