ସତ ସ୍ଵୀକାର କଲା RBI, ମାଇନସ୍ ହୋଇପାରେ ଦେଶର ଜିଡିପି ହାର

Published By : Prameya-News7 Bureau | May 22, 2020 IST

ନୂଆଦିଲ୍ଲୀ ୨୨।୦୫: କରୋନା ସଙ୍କଟ କାରଣରୁ ଆର୍ଥିକ ବର୍ଷ ୨୦୨୦-୨୧ରେ ଭାରତ ଅର୍ଥବ୍ୟବସ୍ଥାରେ ବଡ ଧରଣର ହ୍ରାସ ଘଟିପାରେ। ରିଜର୍ଭ ବ୍ୟାଙ୍କ ଅନୁମାନ କରିଛି ଯେ, ଲକ୍‌ଡାଉନ୍‌ କାରଣରୁ ଚଳିତ ଆର୍ଥିକ ବର୍ଷରେ ଜିଡିପିର ଅଭିବୃଦ୍ଧିହାର ବିଯୁକ୍ତାତ୍ମକ(ନେଗେଟିଭ୍) ହୋଇପାରେ। ଆଜି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ପୂର୍ବାନୁମାନ କରିଛନ୍ତି।

ଗଭର୍ଣ୍ଣରଙ୍କ ଅନୁଯାୟୀ ମ୍ୟାନୁଫେକଚରିଂ ସେକ୍ଟରରେ ସବୁଠୁ ବଡ ଭାଗିଦାରୀ ରଖୁଥିବା ଶୀର୍ଷ ୬ ରାଜ୍ୟରେ ମହାମାରୀର ପ୍ରକୋପ ସବୁଠୁ ଅଧିକ ରହିଛି। ଅନ୍ୟପଟେ ବିଜୁଳି ଓ ଇନ୍ଧନର ଚାହିଦାରେ ମଧ୍ୟ ଅହେତୁକ ହ୍ରାସ ଘଟିଛି। ସବୁଠୁ ବଡ ଚିନ୍ତାର ବିଷୟ ଦେଶରେ ଉତ୍ପାଦନ ଏବଂ ଚାହିଦା ଉଭୟ ନିମ୍ନଗାମୀ ହୋଇଛି। ଘରୋଇ କ୍ଷେତ୍ରରେ ଖର୍ଚ୍ଚ ସବୁଠୁ କମ ରହିଛି। କଞ୍ଜ୍ୟୁମର ଡ୍ୟୁରେବଲ୍ସ ଉତ୍ପାଦନରେ ୩୩ ପ୍ରତିଶତ ହ୍ରାସ ଘଟିଛି। ବାଣିଜ୍ୟିକ ଉତ୍ପାଦନ ୩୦ ବର୍ଷର ସବୁଠୁ ନିମ୍ନସ୍ତରକୁ ଖସି ଆସିଛି।

ଏହା ସହିତ ରିଜର୍ଭ ବ୍ୟାଙ୍କ ସମଗ୍ର ଦୁନିଆରେ ହେଉଥିବା କାରବାରର ଆକାର ୧୩ ରୁ ୩୨ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିଛି। ରିଜର୍ଭ ବ୍ୟାଙ୍କ ଅନୁଯାୟୀ ସାରା ଦୁନିଆରେ ଜାରି ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ଭାରତ ଉପରେ ମଧ୍ୟ ପଡିବ। ଏଥିରେ ଦେଶର ଅର୍ଥବ୍ୟବସ୍ଥା ନିମ୍ନଗାମୀ ହେବ।

ଗଭର୍ଣ୍ଣରଙ୍କ ଅନୁଯାୟୀ ସଂପ୍ରତି ଅବସ୍ଥାକୁ ଦୃଷ୍ଟି ଦେଲେ ଦେଶରେ ମହଙ୍ଗା ହାର ବଢିପାରେ। ଏପ୍ରିଲ ମାସରେ ଆରମ୍ଭ  ହୋଇଥିବା ଯୋଗାଣର ଚାପ ଆଗାମୀ ଅନେକ ମାସ ପର୍ଯ୍ୟନ୍ତ ଜାରି ରହିପାରେ। ଆଶା କରାଯାଉଛି ଯେ, ଆର୍ଥିକ ବର୍ଷର ଦ୍ଵିତୀୟ ତ୍ରୈମାସରେ ମହଙ୍ଗା ହାର ଉପରୁ ଚାପ କମିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.