ଦେଶର ଅର୍ଥନୀତି ଉପରେ କରୋନାର କଳା ବାଦଲ : ଋଣ-ଜିଡିପି ଅନୁପାତ ୯୦ ପ୍ରତିଶତ, ଆଇଏମଏଫ ରିପୋର୍ଟରେ ଚିନ୍ତାଜନକ ତଥ୍ୟ

Published By : Prameya-News7 Bureau | April 08, 2021 IST

ନୂଆଦିଲ୍ଲୀ, ୦୮/୦୪:   କରୋନା ଭାଇରସ ପାଇଁ ଦେଶର ଆର୍ଥିକ ସ୍ଥିତି ବିଗିଡି ଯାଇଛି । ଦେଶର କରଜ, ଋଣ ବା ଲୋନ୍ ଏବଂ ଜିଡିପି ବା ମୋଟ୍ ଆଭ୍ୟନ୍ତରୀଣ ଉତ୍ପାଦନର ଅନୁପାତ ରେକର୍ଡ ସ୍ତରରେ ପହଁଚିଛି । ୨୦୨୦ରେ କରଜ-ଜିଡିପି ଅନୁପାତ ୭୪ ପ୍ରତିଶତରୁ ୯୦ ପ୍ରତିଶତ  ଛୁଇଁଛି । ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ବା ଆଇଏମଏଫ ଏକ ରିପୋର୍ଟରେ ଏନେଇ ସୂଚନା ଦେଇଛି ।

ଆଇଏମଏଫର ରିପୋର୍ଟ ଅନୁସାରେ, ଯଦି ୨୦୨୦ରେ ଭାରତର ମୋଟ୍ ଉତ୍ପାଦନ ୧୦୦ ଟଙ୍କା ଥିଲା, ତେବେ ଋଣ ବୋଝ ୯୦ ଟଙ୍କା ହୋଇଯାଇଛି । ୨୦୨୦ରେ ଦେଶର ମୋଟ୍ ଜିଡିପି ୧୮୯ ଲକ୍ଷ କୋଟି ଓ ଋଣ ୧୭୦ ଲକ୍ଷ କୋଟି ରହିଥିଲା । ଏବେକିନ୍ତୁ ଦେଶରେ ଅର୍ଥନୀତି ସୁଧାରିବା ପାଇଁ ଯେଉଁ ପଦକ୍ଷେପ ନିଆଯାଇଛି, ସେହି କାରଣରୁ ଅନୁପାତ ୮୦ ପ୍ରତିଶତକୁ ଖସିପାରେ ।

ଆଇଏମଏଫ ଅର୍ଥ ବିଭାଗର ଉପ ନିର୍ଦ୍ଦେଶକ ପାଓଲୋ ମାରୋ କହିଛନ୍ତି ଯେ, କରୋନା ମହାମାରୀ ପୂର୍ବରୁ ୨୦୧୯ରେ ଭାରତର ଋଣ ଓ ଜିଡିପି ଅନୁପାତ ୭୪ ପ୍ରତିଶତ ଥିଲା । କିନ୍ତୁ ୨୦୨୦ରେ ଏହା ପ୍ରାୟ ୯୦ ପ୍ରତିଶତରେ ପହଁଚିଯାଇଛି । ଯାହା ବହୁତ ଅଧିକ ଅଟେ । ଭାରତର ଅର୍ଥବ୍ୟବସ୍ଥା ସୁଧୁରିଲେ ଋଣ ଓ ଜିଡିପି ଅନୁପାତରେ ସୁଧାର ଆସିବ । ଏପରି ହେଲେ ଅନୁପାତ ୮୦ ପ୍ରତିଶତକୁ ଖସି ଆସିବ । ପ୍ରଥମେ ସରକାର ସବୁଠାରୁ ପ୍ରଭାବିତ ହୋଇଥିବା ସେକ୍ଟର ଉପରେ ନଜର ଦିଅନ୍ତୁ ।

ସୂଚନାଯୋଗ୍ୟ, କୌଣସି ଦେଶର ମୋଟ୍ ଋଣ ବୋଝ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ଋଣକୁ ମିଶାଇ ପ୍ରସ୍ତୁତ କରାଯାଏ । ଏହାକୁ ଦେଶର ଜିଡିପି ସହ ବିଭାଜିତ କରାଯାଇ ଋଣ-ଜିଡିପି ଅନୁପାତ ପ୍ରସ୍ତୁତ କରାଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.