ଇସ୍ରାଏଲ ଏୟାରଷ୍ଟାଇକ୍‌ରେ ଧ୍ଵଂସ ହେଲା ଗାଜାର ଏକ ମାତ୍ର କରୋନା ଟେଷ୍ଟିଂ ଲ୍ୟାବ୍, କାମ ଠପ୍

Published By : Prameya-News7 Bureau | May 18, 2021 IST

ଗାଜା ୧୮।୦୫; ଇସ୍ରାଏଲ ଆକ୍ରମଣରେ ଗାଜା ପଟି ସ୍ଥିତ ଏକ ମାତ୍ର କରୋନା ଭାଇରସ୍ ଟେଷ୍ଟିଂ ଲ୍ୟାବ୍‌ କ୍ଷତିଗ୍ରସ୍ତ ହୋଇଛି। ଇସ୍ରାଏଲ ପକ୍ଷରୁ ଏୟାରଷ୍ଟ୍ରାଇକ୍ ପରେ ଏହି ଲ୍ୟାବ୍‌ରେ କାମ ଠପ୍ ହୋଇ ଯାଇଛି। ଏଥିରେ କରୋନା ସଂକ୍ରମଣ ବିରୋଧରେ ପାଲେଷ୍ଟାଇନ୍‌ର ମୁକାବିଲା ଦୁର୍ବଳ ହୋଇ ପଡିଛି।

ଗାଜା ପଟି ସ୍ଥିତ ଅଲ-ରିମଲ କ୍ଲିନିକ୍‌ର ଗୋଟିଏ ଅଂଶ ଇସ୍ରାଏଲ ଦ୍ଵାରା ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ଧ୍ଵଂସ ହୋଇ ଯାଇଛି। ଏହା ବ୍ୟତୀତ ଗାଜାର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଓ କାତାରର ରେଡ୍ କ୍ରେସେଣ୍ଟ କାର୍ଯ୍ୟାଳୟ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଆକ୍ରମଣରେ ସ୍ଵାସ୍ଥ୍ୟ ବିଭାଗର ଅନେକ ଅଧିକାରୀ ଆହତ ହୋଇଛନ୍ତି। ଏଥିରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି।

ଗାଜାର ଉପ ସ୍ଵାସ୍ଥ୍ୟ ମନ୍ତ୍ରୀ ୟୁସୁଫ ଅବୁ-ଅଲ-ରିଶ କହିଛନ୍ତି, ଏହି ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି। ମନ୍ତ୍ରଣାଳୟର ମୁଖପାତ୍ର ଅଶରଫ କିଦରା କହିଛନ୍ତି, ଇସ୍ରାଏଲୀ ଆକ୍ରମଣ ଯୋଗୁଁ ପାଲେଷ୍ଟାଇନ୍‌ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର କାର୍ଯ୍ୟ ପ୍ରଭାବିତ ହୋଇଛି। ଏହି ହମଲା ଏମିତି ସମୟରେ ହୋଇଛି, ଯେଉଁ ସମୟରେ କରୋନା ସଂକ୍ରମଣ ଶିଖରରେ ରହିଛି। ବିଶେଷ କରି ଟେଷ୍ଟିଂ ଲ୍ୟାବ୍‌ର ବଡ କ୍ଷତି ଘଟିଛି। ସ୍କ୍ରିନିଂ ଟେଷ୍ଟ ମଧ୍ୟ ପ୍ରଭାବିତ ହୋଇଛି।

ଇସ୍ରାଏଲ ଓ ହମାସ ମଧ୍ୟରେ ଗତ କେଇ ଦିନଠୁ ଆରମ୍ଭ ସୈନ୍ୟ ସଂଘର୍ଷ ପୂର୍ବରୁ ଗାଜା ପଟିରେ ପ୍ରତିଦିନ ୧୬୦୦ଲୋକଙ୍କ କରୋନା ଟେଷ୍ଟିଂ କରାଯାଇଥିଲା। ଏଠାରେ ପଜିଟିଭହାର ୨୮ ପ୍ରତିଶତ ରହିଛି। ଅପରପକ୍ଷେ ଇସ୍ରାଏଲ ରାଷ୍ଟ୍ରପତି ବେଞ୍ଜାମିନ ନେତନ୍ୟାହୁ କହିଛନ୍ତି, ହମସା ଉପରେ ପ୍ରତିଟି ଦୁଃସାହାସର ଜବାବ ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.