ମ୍ୟାକ୍ସଓ୍ଵେଲଙ୍କୁ ଚଳିତ ସିଜିନ୍‌ରେ ରୋକିବା ବହୁତ ମୁସ୍କିଲ, ଏପରି କାହିଁକି କହିଲେ ସୁନିଲ୍ ଗାଭାସ୍କର

Published By : Prameya-News7 Bureau | April 24, 2021 IST

ନୂଆଦିଲ୍ଲୀ ୨୪।୦୪: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)ର ଆଇପିଏଲ୍‌ ୨୦୨୧ରେ ଦମଦାର ପ୍ରଦର୍ଶନ ଜାରି ରହିଛି। ଦଳ କ୍ରମାଗତ ୪ଟି ମ୍ୟାଚ୍‌ ଜିତି ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟସମ୍ୟାନ ଗ୍ଲେନ ମ୍ୟାକ୍ସଓ୍ଵେଲ ସାମିଲ ହେବା ପରେ ଦଳର ଶକ୍ତି ବୃଦ୍ଧି ଘଟିଛି। ଚଳିତ ସିଜିନ୍‌ରେ ଆରସିବି ଏକ ମାତ୍ର ଦଳ ଭାବେ ଗୋଟିଏ ହେଲେ ମ୍ୟାଚ୍ ହାରି ନାହିଁ। ପୂର୍ବତନ ଭାରତୀୟ ଅଧିନାୟକ ସୁନିଲ ଗାଭାସ୍କର ମଧ୍ୟ ମ୍ୟାକ୍ସଓ୍ଵେଲଙ୍କ ଖେଳରେ ପ୍ରଭାବିତ ହୋଇଛନ୍ତି। ତାଙ୍କ ମତରେ ଏବି ଡିଭିଲିୟର୍ସଙ୍କ ପରେ ମ୍ୟାକ୍ସଓ୍ଵେଲ ଆରସିବିର ଦ୍ଵିତୀୟ ୩୬୦ ଡିଗ୍ରୀ ଖେଳାଳି।

ଗାଭାସ୍କର ଷ୍ଟାର ସ୍ପୋର୍ଟ୍ସ ଶୋରେ କହିଛନ୍ତି ଯେ, ମ୍ୟାକ୍ସଓ୍ଵେଲ୍‌ ଚଳିତ ଆଇପିଏଲ୍‌ରେ ରିଭର୍ସ ସ୍ଵିପ୍, ସ୍କୁପ୍, ସ୍ଵିଚ୍ ହିଟ୍ ପରି ସଟ୍ ଅନାୟସରେ ମାରି ଚାଲିଛନ୍ତି। ଏମିତି ସମୟରେ ତାଙ୍କୁ ରୋକିବା ମୁସ୍କିଲ। ଏହି କାରଣରୁ ବିରାଟ କୋହଲି ଓ ଏବି ଡିଭିଲିୟର୍ସଙ୍କ ଉପରେ ଚାପ ହ୍ରାସ ପାଇଛି। ଦଳକୁ ଭଲ ଭାବେ ଜଣା ଯେ, ତାଙ୍କ ପାଖରେ ଆଉ ଜଣେ ବ୍ୟାଟସମ୍ୟାନ୍ ଅଛନ୍ତି, ଯାହାଙ୍କ ଉପରେ ବିଶ୍ଵାସ କରାଯାଇ ପାରିବ। ଗତ ବର୍ଷ ଦେବଦତ୍ତ ପାଡିକଲ ଦଳକୁ ଭଲ ଆରମ୍ଭ ଦେଉଥିବା ବେଳେ ଚଳିତ ଥର ମ୍ୟାକ୍ସଓ୍ଵେଲ ଅସାଧାରଣ ବ୍ୟାଟିଂ କରୁଛନ୍ତି।

ଗାଭାସ୍କର କହିଛନ୍ତି, ଏବେ ଆପଣ ଏହା କହି ପାରିବେ ଯେ, ଆରସିବି ପାଖରେ ମ୍ୟାକ୍ସଓ୍ଵେଲଙ୍କ ରୂପେ ଆଉ ଜଣେ ୩୬୦ ଡିଗ୍ରୀ ଖେଳାଳି ଆସିଗଲେ। ମ୍ୟାକ୍ସଓ୍ଵେଲ୍ କେବଳ ରିଭର୍ସ ସ୍ଵିପ୍ ଖେଳୁ ନାହାନ୍ତି ବରଂ ଅଫ ସାଇଡ୍ ଏବଂ ଲେଗ୍ ସାଇଡ୍‌ରେ ସ୍କୁପ୍ ମଧ୍ୟା ମାରୁଛନ୍ତି। ଏହି ସଟ୍ ଖେଳିବା ଏତେ ସହଜ ନୁହେଁ। ମାତ୍ର ସେ ବଡ ସହଜରେ ଏହି ସଟ୍ ମାରି ଚାଲିଛନ୍ତି। ସେ ଅଫ ସାଇଡ୍‌ରେ ୩୦ ଗଜ୍‌ ଉପରେ ସଟ୍ ଖେଳୁଛନ୍ତି। ଏହାର ଅର୍ଥ ସେ ୩୬୦ ଡିଗ୍ରୀର ଖେଳାଳି। ଏମିତି ସ୍ଥିତିରେ ତାଙ୍କୁ ରୋକିବା ବୋଲରଙ୍କ ପକ୍ଷେ ମୁସ୍କିଲ ବୋଲି ଗାଭାସ୍କର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.