ବିରାଟ କୋହଲିଙ୍କ ଉପରେ ବର୍ଷିଲେ ଗମ୍ଭୀର, କହିଲେ- ମୁଁ ପ୍ରବନ୍ଧକ ହୋଇଥିଲେ କୋହଲିଙ୍କୁ ଆରସିବିର ଅଧିନାୟକ ପଦରୁ ହଟାଇ ଦିଅନ୍ତି

Published By : Prameya-News7 Bureau | November 07, 2020 IST

ନୂଆଦିଲ୍ଲୀ ୦୭।୧୧: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ର ଆଇପିଏଲ ଟ୍ରଫି ଜିତିବାର ସ୍ଵପ୍ନ ପୁଣି ଥରେ ଧୂଳିସାତ ହୋଇଛି। ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଆରସିବିକୁ ଏଲିମିନେଟର ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ୬ ଓ୍ଵିକେଟ୍‌ରେ ପରାସ୍ତ କରି ଆଇପିଏଲରୁ ବିଦା କରିଛି।

ଏହି ପରାଜୟ ପରେ ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର କହିଛନ୍ତି,  ବେଙ୍ଗାଲୁରୁ ପାଇଁ ବର୍ତ୍ତମାନ ସମୟ ଆସି ଯାଇଛି ଯେ ଦଳ ଅଧିନାୟକ ପଦ ବିଷୟରେ ବିରାଟ କୋହଲିଙ୍କଠୁ ଆଗକୁ ଚିନ୍ତା କରନ୍ତୁ। ସେ କହିଛନ୍ତି ଯଦି ସେ ବେଙ୍ଗାଲୁରୁ ଟିମ୍‌ର ପ୍ରବନ୍ଧକ ଥାନ୍ତେ ତେବେ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇ ଦିଅନ୍ତେ।

କୋହଲି ୨୦୧୩ରେ ଆରସିବିର ଅଧିନାୟକତ୍ଵ  ଭାର ସମ୍ଭାଳିଥିଲେ। ମାତ୍ର ତେବେଠୁ ଏ ପର୍ଯ୍ୟନ୍ତ ୮ ସିଜିନରେ ଦଳ ୩ ଥର ପ୍ଲେଅଫ୍‌ ପର୍ଯ୍ୟନ୍ତ ପହଞ୍ଚି ପାରିଛି। ୨୦୧୬ ସଂସ୍କରଣରେ ଦଳ ଉପ ବିଜେତା ରହିଥିଲେ ମଧ୍ୟ ଗତ ୨ଟି ସିଜିନରେ ପଏଣ୍ଟ ତାଲିକାର ନିମ୍ନ ଦଳ ମଧ୍ୟରେ ରହିଥିଲା।

ଦୁଇ ଥର ଚମ୍ପିଆନ ହୋଇଥିବା କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଥିବା ଗମ୍ଭୀର କହିଛନ୍ତି, ସମୟ ଆସି ଯାଇଛି ଯେ ଆରସିବି କୋହଲିଙ୍କଠୁ ଆଗକୁ ଯାଇ  ଚିନ୍ତା କରନ୍ତୁ। କୋହଲି ଆଗକୁ ଆସନ୍ତୁ ଏବଂ ଦଳର ପରାଜୟ ପାଇଁ ନିଜକୁ ଦାୟୀ କରନ୍ତୁ।

ଯଦି ସେ ଫ୍ରାଞ୍ଚାଇଜିର ପ୍ରଭାରୀ ଥାନ୍ତେ ତେବେ କଣ ଅଧିନାୟକ ପରିବର୍ତ୍ତନ କରନ୍ତେ ? ଏହି ପ୍ରଶ୍ନର ଉତ୍ତରରେ ଗମ୍ଭୀର କହିଛନ୍ତି ୧୦୦ ପ୍ରତିଶତ କାରଣ ପ୍ରସଙ୍ଗ ଉତ୍ତରଦାୟିତ୍ଵର ରହିଛି। ଟୂର୍ଣ୍ଣାମେଣ୍ଟରେ ଆଠ ବର୍ଷ ପର୍ଯ୍ୟନ୍ତ ଅଧିନାୟକ ରହିବା ପରେ ମଧ୍ୟ ଦଳ ଥରୁଟିଏ ମଧ୍ୟ ଚମ୍ପିଆନ ହୋଇ ପାରିନାହିଁ। ଆଠ  ବର୍ଷ ବହୁତ ଲମ୍ବା ସମୟ ହୋଇଥାଏ। ଅନ୍ୟ ଅଧିନାୟକ  ବିଷୟରେ  ଭୁଲି ଯାଆନ୍ତୁ। ମୋତେ କେବଳ ଜଣେ ଅଧିନାୟକଙ୍କ ବିଷୟରେ କହି ଦିଅନ୍ତୁ ଯିଏ ଆଠ ବର୍ଷ ଦଳର ମଙ୍ଗ ସମ୍ଭାଳିବା ପରେ ମଧ୍ୟ ହାତ ଖାଲି ରହିଛି। ତେଣୁ ଅଧିନାୟକଙ୍କୁ ଉତ୍ତରଦାୟୀ ହେବାର ଆବଶ୍ୟକତା ରହିଛି।

ଗମ୍ଭୀର କହିଛନ୍ତି, ଆଠ ବର୍ଷ ଏକ ବହୁତ ଲମ୍ବା ସମୟ। ରବିଚନ୍ଦ୍ରନଙ୍କ ସହିତ କଣ ହେଲା। କିଙ୍ଗ୍ସ ଏକାଦଶ ପଞ୍ଜାବ ପାଇଁ ଦୁଇ ବର୍ଷ ଅଧିନାୟକ ରହିଥିଲେ ଏବଂ ପରିଣାମ ଦେଇନପାରିବାରୁ ତାଙ୍କୁ ପଦରୁ ହଟାଇ ଦିଆଗଲା। ଆମେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବଂ ରୋହିତ ଶର୍ମାଙ୍କ ବିଷୟରେ କଥା ହେଉଛନ୍ତି। ମାତ୍ର  ବିରାଟ କୋହଲିଙ୍କ ବିଷୟରେ ଭୁଲି ଯାଉଛନ୍ତି। ଧୋନୀ ନିଜ ଦଳକୁ ତିନି ଥର ଚମ୍ପିଆନ ଏବଂ ରୋହିତ ଶର୍ମା ଚାରି ଥର ଚମ୍ପିଆନ କରାଇ ସାରିଛନ୍ତି। ଏହି କାରଣରୁ ସେମାନଙ୍କୁ ଏତେ ଲମ୍ବା ସମୟ ଦଳର ଅଧିନାୟକ ଦାୟିତ୍ଵ ମିଳିଛି। କାରଣ ସେମାନେ ନିଜକୁ ସାବ୍ୟସ୍ତ କରିଛନ୍ତି। ମୋତେ ବିଶ୍ଵାସ ଯେ ଯଦି ରୋହିତ ଶର୍ମା ନିଜକୁ ସାବ୍ୟସ୍ତ କରିପାରିନଥାନ୍ତେ ତେବେ ତାଙ୍କୁ  ତାଙ୍କର ଫ୍ରାଞ୍ଚାଇଜି ପଦରୁ ହଟାଇ ସାରନ୍ତାଣି। ଭିନ୍ନ ଭିନ୍ନ ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ନୀତି ହେବା ଉଚିତ୍ ନୁହେଁ  ବୋଲି ଗମ୍ଭୀର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.