ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ କୋଟିରେ ଦାନ କଲେ ଗୌତମ ଗମ୍ଭୀର
21/01/2021 at 4:01 PM

ନୂଆଦିଲ୍ଲୀ ୨୧/୦୧ : ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଏକ କୋଟି ଟଙ୍କା ଦାନ କରିଛନ୍ତି। ପୂର୍ବ ଦିଲ୍ଲୀ ସାଂସଦ ଗୌତମ ଗମ୍ଭୀର କହିଛନ୍ତି, “ଅନ୍ତତଃ ରାମ ମନ୍ଦିର ନିର୍ମାଣ ଦ୍ୱାରା ଏକ ପୁରୁଣା ପ୍ରସଙ୍ଗ ଶେଷ ହୋଇଛି। ମନ୍ଦିର ନିର୍ମାଣ ଦ୍ୱାରା ଏକତା ଓ ଶାନ୍ତିର ମାର୍ଗ ପ୍ରଶସ୍ତ ହେବ। ମନ୍ଦିର ନିର୍ମାଣ ପାଇଁ ମୁଁ ଓ ମୋ ପରିବାର ଏକ ଛୋଟ ଯୋଗଦାନ ଦେଇଛୁ।”
ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ ଅଭିଯାନ ଜାରି ରହିଛି। ଅଭିଯାନର ପ୍ରଥମ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୫ ଲକ୍ଷ ଶହେ ଟଙ୍କା ଦାନ କରିଥିଲେ। ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ତାଙ୍କ ପରିବାର ୫ ଲକ୍ଷ ୧୧ ହଜାର ୧୧୬ ଟଙ୍କା ଦାନ କରିଛନ୍ତି। ତାଛଡା ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ, ବିହାର ରାଜ୍ୟପାଳ ଫାଗୁ ଚୌହାନ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ ନେତା ଓ ଅଭିନେତା ଚାନ୍ଦା ଦେଇଛନ୍ତି।
ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଅନୁସାରେ, ରାମ ମନ୍ଦିର ଭିତ୍ତିପ୍ରସ୍ତର ନିର୍ମାଣ କାର୍ଯ୍ୟ ପୁରା ହେବାପରେ ମନ୍ଦିର ନିର୍ମାଣ କାର୍ଯ୍ୟ ୩୬ ରୁ ୪୦ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହୋଇପାରେ।
ସୂଚନା ଅନୁଯାୟୀ, ପ୍ରଥମ ଦିନ ଆରଏସଏସ ମୁଖ୍ୟ ମୋହନ ଭାଗବତ ଦିଲ୍ଲୀ ସ୍ଥିତ ବାଲ୍ମୀକି ମନ୍ଦିରରେ ଏକ ପୂଜା କରିଥିଲେ। ରାୟବରେଲୀ ଜିଲ୍ଲା ତେଜଗାଁର ପୂର୍ବତନ ବିଧାୟକ ସୁରେନ୍ଦ୍ର ବହାଦୁର ସିଂହ ସବୁଠାରୁ ବଡ ଯୋଗଦାନ ଦେଇଛନ୍ତି। ସେ ୧ କୋଟି ୧୧ ଲକ୍ଷ ୧୧ ହଜାର ୧୧୧ ଟଙ୍କାର ଚେକ ଦେଇଛନ୍ତି। ରାମ ମନ୍ଦିର ନିର୍ମାଣ ଆନ୍ଦୋଳନରେ ବିଶ୍ୱ ହିନ୍ଦୁ ପରିଷଦ ସବୁଠାରୁ ଆଗରେ ଥିଲା।
ବଲିଉଡ ଅଭିନେତା ଅକ୍ଷୟ କୁମାର ରବିବାର ଦିନ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ରାଶି ଦାନ କରିଛନ୍ତି। ସୋସିଆଲ ମିଡ଼ିଆରେ ଏକ ଭିଡିଓ ଜାରି କରି ଅକ୍ଷୟ କୁମାର ନିଜେ ଏ ସମ୍ବନ୍ଧରେ ସୂଚନା ଦେଇଥିଲେ।