ଗ୍ୟାସ୍ ସିଲିଣ୍ଡରରୁ ଗ୍ୟାସ୍ ଚୋରୀ…ଦୋଷ କାହାର ପଚାରିବା ବେଳକୁ ମାଲିକ କିମ୍ବା କମ୍ପାନୀ କେହି ଜାଣନ୍ତିନି…ସୋସିଆଲ ମିଡିଆରେ ଭିଡିଓ ଭାଇରାଲ….
30/12/2019 at 6:30 PM

ବାଲେଶ୍ବର୩୦/୧୨: ଆଖିରେ ଆଙ୍ଗୁଠି ଗେଞ୍ଜି ଗ୍ୟାସ୍ ଚୋରି । ଗ୍ୟାସ୍ ସିଲିଣ୍ଡରରୁ କାଢି ନେଉଛନ୍ତି ଗ୍ୟାସ୍। ବଡ କଥାଟି ହେଲା , ଜଣେ ବିଧାୟକଙ୍କ ମାଲିକାନାରେ ଥିବା ଗ୍ୟାସ୍ ବିତରଣ କେନ୍ଦ୍ରରେ ଚାଲିଛି ଘୋଟଲା। କମ୍ପାନୀରୁ ସିଲ୍ ହୋଇ ଆସିଥିବା ଗ୍ୟାସ୍ ସିଲିଣ୍ଡରରୁ ୨ କିଲୋ ଲେଖାଏଁ ଗ୍ୟାସ୍ ବାହାର କରି ନିଆଯାଉଛି। ଏକ ଅଭିନବ ଢ଼ଙ୍ଗରେ ଗ୍ରାହକଙ୍କୁ ଠକୁଛନ୍ତି ଗ୍ୟାସ୍ ବିତରଣ କେନ୍ଦ୍ରର କର୍ମଚାରୀ। ବିଧାୟକଙ୍କ ମାଲିକାନାରେ ଥିବା ଗ୍ୟାସ ବିତରଣ କେନ୍ଦ୍ରରେ ଦିନ ଦ୍ବିପହରେ ଗ୍ୟାସ ଚୋରି କରାଯାଉଛି ।

ବାଲେଶ୍ବର ଜିଲ୍ଲାର ରେମୁଣା ବ୍ଲକର ଗୁଡୁପାହୀ ଅଞ୍ଚଳରେ ଗ୍ରାମୀଣ ଗ୍ୟାସ ବିତରଣ କେନ୍ଦ୍ରରେ ଏଭଳି ଗ୍ୟାସ ଚୋରି ହେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଠି ପ୍ରଶ୍ନ ଉଠିଛି ବିଧାୟକଙ୍କ ମାଲିକାନାରେ ଥିବା ଏହି ଗ୍ୟାସ୍ ବିତରଣରେ କିଭଳି ଚାଲିଛି କଳାକାରନାମା? ତେବେ ଏ ସଂପର୍କରେ ନ୍ୟୁଜ ସେଭେନ୍ ର ପ୍ରତିନିଧି ଗ୍ୟାସ୍ କମ୍ପାନୀ କର୍ମଚାରୀଙ୍କ ସମେତ ବିଧାୟକଙ୍କୁ ମଧ୍ୟ ପଚାରି ଥିଲେ , ତେବେ କିଏ, କାହା ଇଙ୍ଗିତରେ କରୁଛନ୍ତି ଗ୍ୟାସ ଚୋରୀ, ଫାଇଦା କାହାର ତାହା ମାନୁ ନାହାନ୍ତି କେହି ।

ଗ୍ୟାସ ଗୋଦାମରେ ସିଲିଣ୍ଡରରୁ କଢା ହେଉଛି ଗ୍ୟାସ୍ । ସୋସିଆଲ ମିଡିଆରେ ଘୂରି ବୁଲୁଛି ଫଟୋ । ଏହି ଭିଜୁଆଲରୁ ଏକଥା ସ୍ପଷ୍ଟ ହୋଇଯାଉଛି । ଏହା ହେଉଛି ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକର ଗୁଡୁପାହୀ ଗାଁରେ ଥିବା ଗ୍ରାମୀଣ ଗ୍ୟାସ ବିତରଣ କେନ୍ଦ୍ରରେ ଘଟିଥିବା ଘଟଣା । ୧୪ କେଜିଆ ଇଣ୍ଡେନ ଗ୍ୟାସ ସିଲିଣ୍ଡରରୁ ୨ କେଜି ବାହାର କରି ନିଆଯାଉଛି। ତେବେ ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଭିଡିଓର ସତ୍ୟସତ ଯାଞ୍ଚ କରିଥିଲେ ଇଣ୍ଡେନ ଗ୍ୟାସର ସିନିଅର ମ୍ୟାନେଜର ରଂଜିତ ଦାସ ।
ଭିଜୁଆଲରେ ଥିବା କାନ୍ଥ ସହ ଗ୍ୟାସ ଗୋଦାମ ଘରର କାନ୍ଥ ମିଶି ଯାଉଥିବା ସେ ସ୍ବୀକାର କରିବା ବେଳେ କମ୍ପାନୀରୁ ସିଲ ହୋଇ ଆସିଥିବା ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଚୋରି କରିବା ଅପରାଧ ବୋଲି କହିଥିଲେ । ସେପଟେ ପ୍ରଥମ ଏହି ଅଭିଯୋଗକୁ ବିଧାୟକ ଖଣ୍ଡନ କରିଥିଲେ। ସେ କହିଥିଲେ ଯେ ‘କିଏ ସେହି ଭିଡିଓକୁ ଏଡିଟ୍ କରି ଏଭଳି କରିଥିବେ”। ଏପରିକି , ସେଥିରେ ଷଡଯନ୍ତ୍ର ଥିବା ମଧ୍ୟ ସନ୍ଦେହ କରିଥିଲେ ।

ତେବେ ଏହି ଘଟଣାକୁ ଇଣ୍ଡେନ ଗ୍ୟାସ କର୍ତ୍ତୁପକ୍ଷ କେତେ ଗୁରୁତର ସହ ନେଉଛନ୍ତି ଏବଂ ଦୋଷୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହେବ ? ଏହା ଯୋଜନାବଦ୍ଧ କି ଷଡଯନ୍ତ୍ର ତାହା ଆଗକୁ ଜଣାପଡିବ ।