ବିଷାକ୍ତ ଗ୍ୟାସ୍ ଲିକ୍ : ହଜାରରୁ ଅଧିକ ଅସୁସ୍ଥ, ଖାଲି ହେଲା ୫ଟି ଗାଁ, ରେସକ୍ୟୁ ଅପରେସନ୍ ଜାରି

Published By : Prameya-News7 Bureau | May 07, 2020 IST

ବିଶାଖାପାଟନମ୍ ୭।୫ : ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ସ୍ଥିତ ଏକ ଫାର୍ମା କମ୍ପାନୀରେ ଗ୍ୟାସ୍ ଲିକ୍ ହୋଇଛି । ଗୁରୁବାର ସକାଳେ ଏହି ଘଟଣା ଘଟିଛି । ଏହାପରେ ସମଗ୍ର ସହରରେ ଉତ୍ତେଜନା ଦେଖାଦେଇଛି । ପରିସ୍ଥିତି ଏପର୍ଯ୍ୟନ୍ତ ନିୟନ୍ତ୍ରଣରେ ନାହିଁ । ସ୍ଥାନୀୟ ପ୍ରଶାସନ ଏବଂ ନୌସେନା କାରଖାନା ନିକଟ ଗ୍ରାମଗୁଡିକୁ ସ୍ଥାନାନ୍ତର କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆର.ଆର ଭେଙ୍କଟାପୁରମରେ ଥିବା ବିଶାଖା ଏଲଜି ପଲିମର କମ୍ପାନୀରୁ ବିପଜ୍ଜନକ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଛି । ଏହି ବିଷାକ୍ତ ଗ୍ୟାସ୍ ଯୋଗୁଁ କାରଖାନାର ତିନି କିଲୋମିଟର ପ୍ରଭାବିତ ହୋଇଛି । ବର୍ତ୍ତମାନ ୫ଟି ଗାଁକୁ ଖାଲି କରାଯାଇଛି । ଶତାଧିକ ଲୋକ ମୁଣ୍ଡବିନ୍ଧା, ବାନ୍ତି ଏବଂ ନିଶ୍ବାସ ନେବାରେ ସମସ୍ୟା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ।

ତେବେ ଗ୍ୟାସ୍ ଲିକ୍ ହେବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ବର୍ତ୍ତମାନ ବିଶାଖାପାଟନମ୍ ଜିଲ୍ଲା ମାଜିଷ୍ଟ୍ରେଟ୍ ଭି ବିନୟ ଚାନ୍ଦ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି । ସେ କହିଛନ୍ତି ଯେ, ଦୁଇ ଘଣ୍ଟା ମଧ୍ୟରେ ଏହି ଅବସ୍ଥା ନିୟନ୍ତ୍ରଣକୁ ନିଆଯାଇଥିଲା । କିଛି ଲୋକଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେଉଛି, ସେମାନଙ୍କୁ ଅକ୍ସିଜେନ୍ ସହାୟତା ଦିଆଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.