ବିଶାଖାପାଟଣା ଗ୍ୟାସ୍ ଲିକ୍: ମନରେ ତାଜା କରି ଦେଲା ଭୋପାଳ ଗ୍ୟାସ୍ ଟ୍ରାଜେଡିର ସେହି ଭୟାନକ ଦୃଶ୍ୟ ଘଟଣା

Published By : Prameya-News7 Bureau | May 07, 2020 IST

ବିଶାଖାପାଟଣା ୦୭।୦୫: ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ଘଟିଥିବା ଗ୍ୟାସ୍‌ ଲିକ୍‌ ଘଟଣାରେ କ୍ଷୟକ୍ଷତି କେତେ ଘଟିଛି ତାର ଅନୁମାନ ଏବେ କରିବା ବହୁତ ମୁସ୍କିଲ। ଘଟଣାସ୍ଥଳରୁ ଯାହା ସୂଚନା ଆସୁଛି, ଅନେକ ଘରର କବାଟ ଏବଂ ଝରକା ଭାଙ୍ଗି ଲୋକଙ୍କୁ ଉଦ୍ଧାର କରାଯାଉଛି। ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଟିମ୍ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାରେ ଜୁଟିଛନ୍ତି। କେମିକାଲ ପ୍ଲାଣ୍ଟର ତିନି କିଲୋମିଟର ପରିଧିରେ ଆସୁଥିବା ଗାଁର ଲୋକଙ୍କୁ ବାହାର କରାଯାଉଛି। ଦରକାର ପଡିଲେ ଅଧିକ ଅଞ୍ଚଳରୁ ଲୋକଙ୍କୁ ଖାଲି କରିବାକୁ ପଡିପାରେ। ଘଟଣାର ପୂରା ଦୃଶ୍ୟ ଏତେ ଭୟାନକ ଥିଲା ଯାହା ମନରେ ୧୯୮୪ ଭୋପାଳ ଗ୍ୟାସ୍ ଟ୍ରାଜେଡିର ସ୍ମୁତିକୁ ତାଜା କରି ଦେଇଛି। ଏମିତି ଭୟର ମାହୋଲ ଏବଂ ହୃଦୟ ବିଦାରକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି।

{"id":266139,"sizeSlug":"large"}

ଭୟାନକ ଥିଲା ସକାଳର ଦୃଶ୍ୟ

ଗୁରୁବାର  ସକାଳେ ପ୍ଲାଣ୍ଟର ଆଖପାଖ ଅନେକ ଜାଗାରେ ଲୋକଙ୍କୁ ବେହୋସ୍ ପଡିଥିବା ଦେଖିବାକୁ ମିଳିଛି। ରାସ୍ତା କଡରେ ଗୋରୁଗାଈ ମରି ପଡିଥିବା ଦେଖିବାକୁ ମିଳିଛି। ପିଲାଙ୍କୁ କାନ୍ଧରେ ବୋହି ଲୋକ ହସ୍ପିଟାଲ ଅଭିମୁଖେ ଧାଉଁଥିବାର ବିକଳ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ହସ୍ପିଟାଲରେ ଭର୍ତ୍ତି ରୋଗୀଙ୍କ ମଧ୍ୟରୁ ଅଧିକାଂଶ ଛୋଟ ଛୋଟ ପିଲା ସାମିଲ। ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ ଅନୁଯାୟୀ ରାତି ପ୍ରାୟ ୩ଟାରେ ଅଚାନକ ନିଃଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ହେବା ଆରମ୍ଭ ହୋଇଥିଲା। ଭୟଭୀତ ହୋଇ ଲୋକେ ଘରୁ ବାହାରକୁ ଚାଲି ଆସିଥିଲେ। ସେତେବେଳକୁ ବାୟୁ ବିଷାକ୍ତ ହୋଇ ସାରିଥିଲା। କେମିକାଲ ୟୁନିଟ୍‌ର ଆଖପାଖ ୩ କିଲୋମିଟର ପରିଧିରେ ଆସୁଥିବା ଅଞ୍ଚଳର ସମସ୍ତ ଲୋକଙ୍କୁ ହଟାଯାଇଛି। ପ୍ରାୟ ୮ ହଜାର ଲୋକଙ୍କୁ ନିଜ ନିଜର ଘର ଖାଲି କରିବାକୁ ପଡିଛି। ସେମାନଙ୍କ ଲାଗି ଭୋଜନ ସହିତ ଅନ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି।

{"id":266140,"sizeSlug":"large"}

ଭୋପାଳ ପରି ଅବସ୍ଥା

ଏହି ଘଟଣା ଦେଶକୁ ଭୋପାଳ ଗ୍ୟାସ୍ ଟ୍ରାଜେଡିକୁ ମନେ ପକାଇ ଦେଇଛି। ୧୯୮୪ ଡିସେମ୍ବର ୨ ରାତିରେ ଠିକ୍ ଏହି ପ୍ରକାର ଭୋପାଳରେ ୟୁନିୟନ କର୍ବାଇଟ୍ ଫ୍ୟାକ୍ଟ୍ରିରୁ ବିଷାକ୍ତ ଗ୍ୟାସ୍ ମିଥାଇଲ ଆଇସୋସାଇନାଇଡ୍ ନିର୍ଗତ ହୋଇଥିଲା। ଗ୍ୟାସ୍‌ ସହରର ପୂରା ବାୟୁରେ ଖେଳି ଯାଇଥିଲା। ଗ୍ୟାସ୍ ଏତେ ବିଷାକ୍ତ ଥିଲା ଯେ, ଶତାଧିକ ଲୋକଙ୍କ ମୃତ୍ୟୁ ଶୋଇବା ଅବସ୍ଥାରେ ହିଁ ଘଟିଥିଲା। ଯେଉଁମାନଙ୍କ ଜୀବନ ବଞ୍ଚି ଯାଇଥିଲା, ସେମାନଙ୍କର ଫୁସ୍‌ଫୁସ୍‌ ଦୁର୍ବଳ ହୋଇଗଲା। କିଏ ଦୃଷ୍ଟିଶକ୍ତି ହରାଇଲା ତ କାହାର ଦୃଷ୍ଟି ଶକ୍ତି ହ୍ରାସ ପାଇଥିଲା। କିଏ ମନୋରୋଗୀ ହୋଇଗଲେ ଏବଂ କିଏ ସ୍ଥାଣୁ ପାଲଟିଗଲେ। କାହାର ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ ଅକାମି ହୋଇଗଲା।

{"id":266144,"sizeSlug":"large"}

ସରକାରୀ ତଥ୍ୟ ମୁତାବକ ଏହି ଦୁର୍ଘଟଣାରେ ୩,୭୮୭ ଲୋକଙ୍କ ପ୍ରାଣହାନୀ ଘଟିଥିଲା ଏବଂ ପ୍ରାୟ ଏକ ଲକ୍ଷ ୨୦ ହଜାର ଲୋକ ପ୍ରଭାବିତ  ହୋଇଥିଲେ। ମାତ୍ର ବେସରକାରୀ ତଥ୍ୟ ଅନୁଯାୟୀ ଏହି ଭୟାନକ ଦୁର୍ଘଟଣାରେ ପ୍ରାୟ ୧୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଅନେକ ପୀଡିତଙ୍କ ସନ୍ତାନ ଦିବ୍ୟାଙ୍ଗ ହୋଇ ଜନ୍ମ ନେଲେ କାରଣ ଗ୍ୟାସ୍ ଲୋକଙ୍କ ଆନୁବଂଶିକ କ୍ରମିକ ଉପରେ ପ୍ରଭାବ ପକାଇଥିଲା।

{"id":266146,"sizeSlug":"large"}

ଏବେ ଆହୁରି ବଢିପାରେ ପ୍ରଭାବିତଙ୍କ ସଂଖ୍ୟା

ଘଟଣାସ୍ଥଳର  ଆଖପାଖ ଅଞ୍ଚଳର  ଲୋକଙ୍କୁ କାଢିବାର କାମ ଜାରି ରହିଛି। ଅଦ୍ୟାବଧି ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାର ଯେଉଁ ଦୃଶ୍ୟ ଓ ଭିଡିଓ ସାମ୍ନାକୁ ଆସିଛି, ତାହା ବହୁତ  ହୃଦୟ ବିଦାରକ ରହିଛି। ନିଃଶ୍ଵାସ ନେବାରେ ଯନ୍ତ୍ରଣା ହେବା ଓ ଆଖି ଜୋଳାପୋଡା ଯୋଗୁଁ ଶତାଧିକ ଲୋକଙ୍କୁ  ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତିନି କିଲୋମିଟର ପରିଧିରେ ପାଞ୍ଚଟି ଗାଁ ଏହି ଗ୍ୟାସ୍ ଦୁର୍ଘଟଣାରେ ପ୍ରଭାବିତ ହୋଇଛନ୍ତି। ଅଧିକାରୀଙ୍କ କହିବା କଥା ଏହି ଗ୍ୟାସ୍‌ ବାତାବରଣ କେତେ ଦୂର ପର୍ଯ୍ୟନ୍ତ ବ୍ୟାପିବ ତାହା ପବନର ଗତି ଉପରେ ନିର୍ଭର କରେ। ତେଣୁ ଆଶଙ୍କା କରାଯାଉଛି, ପୀଡିତଙ୍କ ସଂଖ୍ୟା ଆହୁରି ବଢିପାରେ। ଅଧିକାରୀଙ୍କ ଅନୁଯାୟୀ ଷ୍ଟାଇରିନ୍  ପରି ବିଷାକ୍ତ ଗ୍ୟାସ୍‌ ଏହି ଦୁର୍ଘଟଣାର କାରଣ ହୋଇଛି।

{"id":266141,"sizeSlug":"large"}

କେତେ ବିପଦଜ୍ଜନକ ଏହି ଗ୍ୟାସ୍‌ ?

ଷ୍ଟାଇରିନ୍ ପରି ଗ୍ୟାସ୍‌ର ବ୍ୟବହାର ପ୍ଲାଷ୍ଟିକ ଓ ରେଜିନ ତିଆରିରେ କରାଯାଏ। ଷ୍ଟାଇରିନ୍ ଗ୍ୟାସ୍‌ ରଙ୍ଗହୀନ ତରଳ ପଦାର୍ଥ ହୋଇଥାଏ। ଏହା ମିଠା ସୁଗନ୍ଧ ଦେଇଥାଏ। ଅଳ୍ପ ସମୟ ଏହି ଗ୍ୟାସ୍‌ର ପ୍ରଭାବରେ ଆସିଲେ ବି ଲୋକଙ୍କୁ ନିଃଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ ହୁଏ। ଆଖି ପୋଡାଜୋଳା ହୁଏ ଓ ଅନ୍ତବୁଜୁଳା ଉପରେ ମଧ୍ୟ ପ୍ରଭାବ ପଡିଥାଏ। ଦୀର୍ଘ ସମୟ ଏହି ଗ୍ୟାସ୍‌ ମଧ୍ୟରେ ରହିଲେ ବ୍ୟକ୍ତିଙ୍କ ସେଣ୍ଟ୍ରାଲ ନର୍ଭସ ସିଷ୍ଟମ ଖରାପ ହୋଇଯାଏ। ଏଥିରେ ମୁଣ୍ଡ ବ୍ୟଥା, ଦୁର୍ବଳତା, ମାନସିକ ଚାପ, ଶୁଣିବା କ୍ଷମତା ସମାପ୍ତ ହୋଇପାରେ। ଏହି ଗ୍ୟାସ୍‌ ପୁନଃଉତ୍ପାଦନ ସିଷ୍ଟମ ଉପରେ ମଧ୍ୟ ପ୍ରଭାବ ପକାଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.