ଚିଙ୍ଗୁଡି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍ ଘଟଣା : ଅସୁସ୍ଥଙ୍କ ସଂଖ୍ୟା ୨୦୦କୁ ବୃଦ୍ଧି
14/11/2019 at 8:25 AM

ସାେର ୧୪।୧୧: ବାଲେଶ୍ୱର ଖନ୍ତାପଡାରେ ଥିବା ଏକି ଚିଙ୍ଗୁଡି ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ୍ ହେବା ଘଟଣା । ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ୍ ହୋଇ ୧୦୦ରୁ ଅଧିକ କର୍ମଚାରୀ ଅସୁସ୍ଥ ହୋଇପଡ଼ିଛନ୍ତି । ଅସୁସ୍ଥ ମାନଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । କେତେକ ଗୁରୁତର ଅସୁସ୍ଥଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଖନ୍ତାପଡ଼ା ଥାନା ଓଳିଆ ପାଟଣା ନିକଟରେ ଫାଲକନ ମେରାଇନ ନାମକ ଏକ ଚିଙ୍ଗୁଡ଼ି ପ୍ରସେସିଂ ପ୍ଲାଣ୍ଟ ରହିଛି । ଯେଉଁଠି ହଜାର ହଜାର ଶ୍ରମିକ କାର୍ଯ୍ୟ କରନ୍ତି । ବିଶେଷକରି ମହିଳା ଏବଂ ଯୁବତୀ ଏଠାରେ କାର୍ଯ୍ୟକରନ୍ତି । ବୁଧବାର ସନ୍ଧ୍ୟା ୮ ଟା ସମୟରେ ପ୍ଲାଣ୍ଟରେ ଶ୍ରମିକ କାର୍ଯ୍ୟ କରୁଥିବା ବେଳେ ହଠାତ ପ୍ଲାଣ୍ଟରୁ ଆମୋନିଆ ଗ୍ୟାସ ଲିକ ଫଳରେ ହଠାତ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ୨୦୦ ରୁ ଅଧିକ ମହିଳା ଏବଂ ଯୁବତୀ ମାନଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା ଏବଂ ସେମାନେ ଅଚେତ ହୋଇ ପଡ଼ିଯାଇଥିଲେ ।

ଖବର ପାଇ ସଙ୍ଗେସଙ୍ଗେ ଆମ୍ବୁଲାନ୍ସ ଏବଂ କମ୍ପାନୀ ବସ ଯୋଗେ ଗୁରୁତର ଅବସ୍ଥାରେ ଶ୍ରମିକ ମାନଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ , ଉପ ଜିଲ୍ଲାପାଳ ନିଲୁ ମହାପାତ୍ର, ଏସପି ବି. ଯୁଗୋଳ କିଶୋର, ସିଡ଼ିଏମଓ , ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଗୁରୁତରଙ୍କ ଅବସ୍ଥା ବୁଝିବା ସହ ଏକାଧିକ ୧୦୮ ଆମ୍ବୁଲାନ୍ସ ଏବଂ ପୋଲିସ ଗାଡି ଯୋଗେ ପ୍ଲାଣ୍ଟ ଓ ମେଡିକାଲରୁ ଗୁରୁତର ଶ୍ରମିକଙ୍କୁ ଉଦ୍ଧାର କରାଯାଇ ବାଲେଶ୍ୱର ସଦର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ସେହିପରି ବାଲେଶ୍ୱର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏସପି , ଉପଜିଲ୍ଲାପାଳ ନିଲୁ ମହାପାତ୍ର, ଡ଼ିଏସପି ମନୋଜ ରାଉତ , ବାହାନଗା ତହସିଲଦାର ଦେବଯାନୀ ଭୂୟାଁ, ବିଡ଼ିଓ ରାମଦାସ ଟୁଡୁ ଚିଙ୍ଗୁଡ଼ି ପ୍ଲାଣ୍ଟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ସହ ପୋଲିସ ଅଧିକାରୀ, ଜିଲ୍ଲା ପ୍ରଶାସନ , ଏନଡ଼ିଆରଏଫ ଏବଂ ଅଗ୍ନିଶମ ବିଭାଗର ଅଧିକାରୀ ଉପସ୍ଥିତ ରହିଛନ୍ତି ।