Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଗରିବ କରିଦେଲା କରୋନା, ୯ ବର୍ଷ ପଛକୁ ପଳାଇଲା ଭାରତ

22/05/2021 at 1:57 PM

ନୂଆଦିଲ୍ଲୀ,୨୨/୦୫: ଗରିବ କରିଦେଇଛି କରୋନା । ବର୍ଷକରୁ ଅଧିକ ସମୟ ହେବ କରୋନା ସହ ସଂଘର୍ଷ କରୁଛି ବିଶ୍ୱ । ଭାରତ ମଧ୍ୟ ମହାମାରୀର ତାଣ୍ଡବଲୀଳା ମଧ୍ୟରେ ଅଣନିଶ୍ୱାସୀ ହୋଇପଡ଼ିଛି । ଗରିବ ଆହୁରି ଗରିବ ହୋଇଚାଲିଛି । ଏକଦା ଦାରିଦ୍ର୍ୟରୁ ବାହାରିଥିବା ବ୍ୟକ୍ତି ପୁଣି ଥରେ ଗରିବ କର୍ଷଣରେ ଫସିଯାଇଛି । ଦାରିଦ୍ର୍ୟ  ଦୂରୀକରଣ କ୍ଷେତ୍ରରେ ଭାରତ ବର୍ଷ ବର୍ଷ ଧରି ହାସଲ କରିଥିବା ଉପଲବ୍ଧିକୁ ହରାଇ ବସିଛି । ଏ କ୍ଷେତ୍ରରେ ୯ ବର୍ଷ ତଳକୁ ଖସିଯାଇଛି ଦେଶ । ଲୋକଙ୍କ ଆୟ ଏବଂ ଜୀବିକାକୁ କରୋନା ଏକ୍‌ଦମ୍‌ ଖାଇଦେଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ।

ରିପୋର୍ଟ ଅନୁସାରେ, ୨୦୨୦ ଏପ୍ରିଲରୁ ୨୦୨୧ ଏପ୍ରିଲ ମଧ୍ୟରେ ଅର୍ଥାତ୍‌ କରୋନା କାଳରେ ଦେଶର ୨୩ କୋଟି ଲୋକ ଦାରିଦ୍ର୍ୟ ସୀମା ରେଖା ତଳକୁ ଖସିଯାଇଛନ୍ତି । ଅନ୍ତିମ ଥର ପାଇଁ ଯେତେବେଳେ ଜାତିସଂଘ ରିପୋର୍ଟ ଆସିଥିଲା ସେତେବେଳେ କୁହାଯାଇଥିଲା ଯେ, ୨୦୦୬ରୁ ୨୦୧୬, ୧୦ ବର୍ଷରେ ଦେଶର କେବଳ ୨୭ କୋଟି ୩୦ ଲକ୍ଷ ଲୋକ ଦାରିଦ୍ର‌୍ୟରୁ ବାହାରିଥିଲେ । ଅର୍ଥାତ କରୋନାର ଏହି ବର୍ଷେ ଦାରିଦ୍ର୍ୟ ମାମଲାରେ ଦେଶକୁ ୯ ବର୍ଷ ତଳକୁ ଠେଲିଦେଇଛି ।

ଏହି ରିପୋର୍ଟ ଅଜୀମ ପ୍ରେମ୍‌ଜୀ ୟୁନିଭର୍ସିଟି ଅଧୀନ ସେଣ୍ଟର ଫର୍‌ ସଷ୍ଟେନେବଲ୍‌ ଏମ୍ପ୍ଲୟମେଣ୍ଟ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ରିପୋର୍ଟର ନାଁ ରହିଛି ‘ଷ୍ଟେଟ୍‌ ଅଫ୍‌ ୱାର୍କିଂ ଇଣ୍ଡିଆ ୨୦୨୧-ୱାନ୍‌ ଇୟର ଅଫ୍‌ କୋଭିଡ୍‌-୧୯’ । ନିଯୁକ୍ତି ଚାଲିଯିବା ପରେ ଜୀବନ ମାନ ଉପରେ ପଡ଼ିଥିବା ପ୍ରଭାବକୁ ନେଇ ଏହି ସର୍ବେକ୍ଷଣ କରାଯାଇଛି । ଏଥିରେ କୁହାଯାଇଛି ଯେ, କରୋନାର ବର୍ଷକ ମଧ୍ୟରେ ୨୩ କୋଟି ଲୋକ ଦାରିଦ୍ର‌୍ୟ ପରିସରଭୁକ୍ତ ହୋଇଛନ୍ତି । ଫଳରେ ଦାରିଦ୍ର୍ୟ ମାମଲାରେ ଦେଶ ପୁଣି ଥରେ ୨୦୦୬ ସ୍ତରକୁ ଚାଲିଯାଇଛି ।

ଜାତିସଂଘ ରିପୋର୍ଟ ଅନୁସାରେ ୨୦୦୫-୦୬ରେ ଭାରତରେ ପାଖାପାଖି ୬୪ କୋଟି ଲୋକ(୫୫.୧%) ଗରିବ ଥିଲେ । କିନ୍ତୁ ତତ୍କାଳୀନ ମନମୋହନ ସିଂହ ସରକାରଙ୍କ ଯୋଜନା ମହାତ୍ମାଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଅଧିନିୟମ-୨୦୦୫(ମନରେଗା) ଯୋଗୁ ଏଥିରେ ଦ୍ରୁତ ସୁଧାର ଆସିଲା । ଲୋକେ ଧୀରେ ଧୀରେ ଦାରିଦ୍ର୍ୟରୁ ବାହାରିଲେ । ଦେଶର ୮୦% ଗରିବ ଗାଁରେ ରହୁଥିଲେ । ସେମାନଙ୍କୁ ମନରେଗା ଅଧୀନରେ କାମ ମିଳିଲା । ଫଳରେ ସେମାନଙ୍କର ଆର୍ଥିକ ବିକାଶ ଘଟିଲା । ୨୦୧୫-୧୬ ସୁଦ୍ଧା ଦେଶରେ ଗରିବ ସଂଖ୍ୟା ହ୍ରାସ ପାଇ ୩୬.୯ କୋଟି(୨୭.୯%)କୁ ଖସିଗଲା । ବର୍ତ୍ତମାନ ଉକ୍ତ ସଫଳତାକୁ କରୋନା ଧୋଇଦେଇଛି ।

ବିଶ୍ୱ ଅର୍ଥନୈତିକ ଫୋରମ(ଡବ୍ଲ୍ୟୁଇଏଫ୍‌)ର ଗ୍ଲୋବାଲ ସୋସିଆଲ ମୋବିଲିଟି ରିପୋର୍ଟ-୨୦୨୦ ଅନୁସାରେ, ଭାରତର ଏକ ଗରିବ ପରିବାରକୁ ମଧ୍ୟବିତ୍ତ ବର୍ଗକୁ ଉଠିବା ପାଇଁ ୭ ପିଢ଼ିର ସମୟ ଲାଗିଯାଏ । ଏଭଳି କ୍ଷେତ୍ରରେ ୨୩ କୋଟି ଲୋକ କରୋନା ଯୋଗୁ ଦାରିଦ୍ର‌୍ୟକୁ ଖସିଯିବା ଅତ୍ୟନ୍ତ ଚିନ୍ତାର ବିଷୟ । ଏମାନଙ୍କୁ ପୁଣି ଥରେ ଦାରିଦ୍ର‌୍ୟରୁ ବାହାର କରିବା ପାଇଁ ଅନେକ ବର୍ଷ ଲାଗିଯାଇପାରେ । ସମ୍ପ୍ରତି ଭାରତରେ ପ୍ରତି ୪ ଜଣରେ ଜଣେ ଦାରିଦ୍ର‌୍ୟ ଥିବାବେଳେ ଆଗକୁ ସ୍ଥିତି ଆହୁରି ଭୟଙ୍କର ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଅଜୀମ ପ୍ରେମ୍‌ଜୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ରିପୋର୍ଟ ଅନୁସାରେ, ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରାୟ ୫୦% ଲୋକଙ୍କୁ ଚାକିରି ହରାଇବାକୁ ପଡ଼ିଛି କିମ୍ବା ସେମାନଙ୍କ ଦରମା ବହୁ ମାତ୍ରାରେ ସଙ୍କୁଚିତ ହୋଇଛି । ଯେଉଁମାନଙ୍କ ଚାକିରି ଯାଇଛି, ସେମାନଙ୍କ ମଧ୍ୟରୁ ୭% ପୁରୁଷଙ୍କୁ ପୁଣି ଥରେ ଚାକିରି ମିଳିପାରିନାହିଁ । ଅନ୍ୟପକ୍ଷରେ, ମହିଳାଙ୍କ କ୍ଷେତ୍ରରେ ଏହା ୪୬.୬% ରହିଛି । ଅର୍ଥାତ୍‌ କରୋନା କାଳରେ ଯେଉଁ ମହିଳାମାନଙ୍କ ଚାକିରି ଚାଲିଯାଇଛି, ସେମାନଙ୍କ ମଧ୍ୟରୁ ଅଧାଙ୍କୁ ଏ ଯାଏ କାମ ମିଳିପାରିନାହିଁ ।

କଲମ୍ବିଆ ୟୁନିଭର୍ସିଟିର ଅର୍ଥ ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ଜେଫ୍ରି ସୈସ୍‌ କୁହନ୍ତି, ଦାରିଦ୍ର‌୍ୟର ଅର୍ଥ ହେଉଛି ଦୈନନ୍ଦିନ ଜୀବନ ଜିଇଁବା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ । ଖାଦ୍ୟ, ପାନୀୟ ଏବଂ ସାଧାରଣ ଚିକିତ୍ସା ସୁବିଧା ପାଇ ପାରୁ ନ ଥିବା ବ୍ୟକ୍ତିଙ୍କୁ ଗରିବ କୁହାଯିବ ।

ବିଶ୍ୱ ଅର୍ଥନୈତିକ ଫୋରମ୍‌(ଡବ୍ଲ୍ୟୁଇଏଫ୍‌) ୪ଟି ମାପଦଣ୍ଡ ଆଧାରରେ ଦାରିଦ୍ର୍ୟ ହାରକୁ ହିସାବ କରିଥାଏ । ଗୁଣବତ୍ତାଯୁକ୍ତ ଶିକ୍ଷା ଉପଲବ୍ଧତା, ଟେକ୍ନୋଲୋଜି ପ୍ରତି ପହଞ୍ଚ, କାର୍ଯ୍ୟ ଅବସର ଓ ଦରମା ଏବଂ ସାମାଜିକ ସୁରକ୍ଷା ଆଦିକୁ ଦୃଷ୍ଟିରେ ରଖି ଏହା ଦାରିଦ୍ର‌୍ୟ ମାପିଥାଏ ।

ବିଶ୍ୱ ବ୍ୟାଙ୍କକୁ ଦେଶର ଦାରିଦ୍ର୍ୟ ସ୍ତର ବିଷୟରେ ଜଣାଇବା ପାଇଁ ଭାରତ ୨୦୧୦ରେ ତେନ୍ଦୁଲକର କମିଟି ଗଠନ କରିଥିଲା । ଏହା ଅନୁସାରେ, ସହରରେ ରହୁଥିବା ପରିବାର ଯଦି ମାସକୁ ୮୫୯ ଟଙ୍କା ୬୦ ପଇସା ଏବଂ ଗ୍ରାମାଞ୍ଚଳରେ ରହୁଥିବା ପରିବାର ୬୭୨ ଟଙ୍କା ୮୦ ପଇସାରୁ କମ୍‌ ଖର୍ଚ୍ଚ କରିଥାଏ ଉକ୍ତ ପରିବାରକୁ ଗରିବ କୁହାଯିବ ।

ସରକାର ୨୦୧୭-୧୮ରେ ଭାରତୀୟଙ୍କ ଦୈନନ୍ଦିନ ଖର୍ଚ୍ଚ ଉପରେ ଏକ ସର୍ଭେ କରିଥିଲେ, କିନ୍ତୁ ଏହାକୁ ଜାରି କରାଯାଇନାହିଁ । ପ୍ରକାଶଯୋଗ୍ୟ, ବିଶ୍ୱସ୍ତରରେ ଗରିବଙ୍କୁ ୪ଟି କ୍ଷେତ୍ର ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନ ସ୍ତର, ଆବାସର ଗୁଣବତ୍ତା ସଂକ୍ରାନ୍ତ ୩୮ଟି ସଙ୍କେତ ଆଧାରରେ ମପାଯାଇଥାଏ । ଦାରିଦ୍ର‌୍ୟ କ୍ଷେତ୍ରରେ ଭାରତ ୦.୧୨୩ ଅଙ୍କ ସହିତ ବିଶ୍ୱର ୧୦୭ଟି ଦେଶ ମଧ୍ୟରେ ୬୨ ତମ ସ୍ଥାନରେ ରହିଛି ।

   Related Posts