ପାକ୍ ସେନା ଓ ଇମ୍ରାନଙ୍କ ମଧ୍ୟରେ ବଢୁଛି ଦୂରତା, ଦେଶରେ ମିଳିଲାଣି ପରିବର୍ତ୍ତନର ଏଭଳି ଆଭାସ
18/08/2019 at 10:09 PM

ଇସ୍ଲାମାବାଦ: ଆତଙ୍କବାଦକୁ ନେଇ ଅନ୍ତର୍ଜାତୀୟ ଚାପରେ ଥିବା ପାକିସ୍ତାନରୁ ଏବେ ପରିବର୍ତ୍ତନର ଆଭାସ ମିଳିଲାଣି। ସେନା ସହ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଦୂରତା ଏବେ ବଢିବାକୁ ଲାଗିଛି। ଆମେରିକା ଗସ୍ତ ଓ ଭାରତ-ପାକ ସମ୍ପର୍କ ଭଳି ଗୁରୁତ୍ୱପୂର୍ଣ ପ୍ରସଙ୍ଗରେ ଇମ୍ରାନଙ୍କ ସ୍ଥିତି କୁ ନେଇ ସେନା ଏବେ ପୁରା ଖପ୍ପା ହୋଇ ରହଛି। ଏଣୁ ଦେଶ ପୁଣି ଏକ ବଡ ପରିବର୍ତ୍ତନ ଆଡକୁ ମୁହାଁଉଥିବା ଭଳି ଅନୁମାନ କରାଯାଉଛି। ଅତୀତରେ ପାକ୍ ସେନା ନିର୍ବାଚିତ ସରକାରମାନଙ୍କୁ କ୍ଷମତାରୁ ବେଦଖଲ କରିବାର ଅନେକ ଉଦାହରଣ ରହିଛି। ହୁଏତ ଏଥରବି ସେନା ପୁଣି ସେହି ଖେଳଖେଳିପାରେ ବୋଲି ଭାରତର କାଶ୍ମୀର ନୀତି ପରିବର୍ତ୍ତନ ପରେ ଜଣାପଡିଛି।

ଭାରତରେ ଆତଙ୍କବାଦ ଓ ଅସ୍ଥିରତା ପାକ୍ ସେନାର ଏକମାତ୍ର ଉଦ୍ଦେଶ୍ୟ। ଏଥିଲାଗି ସୀମାପାର ଆତଙ୍କବାଦ ନିମନ୍ତେ ବର୍ଡରରେ ପାକ୍ ସେନା ରୀତିମତ ଆତଙ୍କବାଦୀଙ୍କ ଅନୁପ୍ରବେଶ ଲାଗି ଉଦ୍ୟମ ଜାରି ରଖିଛି। ହେଲେ ଏଥିରେ ଏବେ ସଫଳତା ମିଳିପାରୁନଥିବା ବେଳେ ଇମ୍ରାନ ବାରମ୍ବାର କହୁଛନ୍ତି ତାଙ୍କ ସରକାର ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ କରୁଛି। ଏଣୁ ପ୍ରଧାନମନ୍ତ୍ରୀଙ୍କ ଉପରେ ସେନା ଚିଡିବା ସ୍ୱଭାବିକ । ଦେଶରେ ୧୦ ବର୍ଷକାଳ ଅଲ-କାଏଦା ମୁଖ୍ୟ ଓସାମାବିନ୍ ଲାଡେନକୁ ଲୁଚାଇ ରଖିଥିବା ପାକ୍ ସେନାର ଉଦ୍ଦେଶ୍ୟ ହେଉଛି ରାଜନୀତି ବାଟରେ ଆତଙ୍କବାଦୀଙ୍କୁ ମୁଖ୍ୟଧାରାକୁ ଆଣିବା। ଏଥିଲାଗି ସେନା ଦିନରାତି ଏକ କରିଦେଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ବୟାନବାଜୀରେ ସବୁ ଭଣ୍ଡୁର ହେବାରେ ଲାଗିଛି।

ଗତ ୨୦୧୭ ମସିହା ଅକ୍ଟୋବର ମାସରେ ପାକ୍ ସେନାର ମୁଖପାତ୍ର ମେଜର ଜେନେରାଲ ଆସିଫ ଗଫୁର ପାକ୍ ସେନାର ଉଦ୍ଦେଶ୍ୟ ସମ୍ପର୍କରେ ପ୍ରଥମଥର ସୂଚନା ଦେଇଥିଲେ। ଯେଉଁଥିରେ ସଶସ୍ତ୍ରବଳର ଲୋକଙ୍କୁ ରାଜନୈତିକ ପ୍ରକ୍ରିୟାକୁ ଆଣିବା ଲାଗି ପାକ୍ ସେନା ଏକ ସ୍ୱତନ୍ତ୍ର ଯୋଜନାରେ ଏବେ କାମ କରୁଛି ବୋଲି କହିଥିଲେ । ୟୁରୋପୀୟ ଥିଙ୍କ ଟ୍ୟାଙ୍କ ‘ଏଫସାସ୍’ ଗଫୁରଙ୍କ ବୟାନର ଯାହା ତର୍ଜମା କରିଥିଲା ତାହା ଥିଲା ବାସ୍ତବିକ୍ ଭୟାନକ। ଥିଙ୍କ ଟ୍ୟାଙ୍କ ଅନୁସାରେ ଗଫୁରଙ୍କ ଯୋଜନା ଯଦି କାର୍ଯ୍ୟକାରୀ ହୁଏ ତେବେ କିଛି କାଳ ପରେ ଆତଙ୍କବାଦୀ ହିଁ ପାକିସ୍ତାନର ଶାସକ ଥିବେ। ଆତଙ୍କବାଦୀ ଓ ସେମାନଙ୍କ ସଙ୍ଗଠନକୁ ଯୋଡି ରାଜନୀତିରେ ସକରାତ୍ମକ ଭୂମିକା ଦେବା ହିଁ ପାକ୍ ସେନାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲା ଥିଙ୍କ ଟ୍ୟାଙ୍କ।

ହେଲେ ପାକ୍ ପ୍ରଧାନମନ୍ତ୍ରୀ ତାଙ୍କ ଦେଶରେ ଏବେବି ୪୦ ହଜାରରୁ ଅଧିକ ସଶସ୍ତ୍ର ଆତଙ୍କବାଦୀ ଥିବା ଓ ସେମାନେ ଲୋକଙ୍କୁ ଆତଙ୍କବାଦ ପ୍ରଶିକ୍ଷଣ ଦେଉଥିବା ଏକ ଅବସରରେ ସ୍ୱୀକାର କରିବାକୁ ବାଧ୍ୟ ହୋଇଥିଲେ। ଏଥିରେ ସେନା ପ୍ରଧାନମନ୍ତ୍ରୀଙ୍କ ଉପରେ ବିରକ୍ତ ଥିବା ବେଳେ ଅନୁଚ୍ଛେଦ ୩୭୦ ପ୍ରସଙ୍ଗରେ ଗତ ସ୍ୱାଧୀନତା ଦିବସରେ ଭାରତ ଗୋଲାମ କାଶ୍ମୀର ଉପରେ ବଡ ଧରଣର ଯୋଜନା ପ୍ରସ୍ତୁତ କରୁଥିବା ସାର୍ବଜନିକ ଭାବେ କହି ଦେଇଥିଲେ। ଏ ନେଇ ସେନା ଅବଗତ ଥିଲେ ବି ପାକ୍ ପ୍ରଧାନମନ୍ତ୍ରୀ ସେନା ସୂଚନା ଠାରୁ ବି ଭାରତ ଆହୁରି ଭୟାନକ ଯୋଜନା କରୁଥିବା କହିବା ସେନାର ଚିନ୍ତାକୁ ବଢାଇଦେଇଛି।

ପାକ୍ ସେନା ଆଜି ବି ଭାରତର ଏୟାର ଷ୍ଟ୍ରାଇକ୍ କୁ ଏକ ଫାଙ୍କା ଆବାଜ ବୋଲି କହୁଛି। ଏଥିଲାଗି ଅତୀତରେ ବିଦେଶୀ ସାମ୍ବାଦିକଙ୍କୁ ଘଟଣାସ୍ଥଳ ପରିଦର୍ଶନ କରାଇବା ସହ କୌଣସି ଧନ ଓ ଜୀବନହାନୀ ହୋଇନଥିବାର ପ୍ରମାଣ ବି ଦେଇଥିଲା। କିନ୍ତୁ ଇମ୍ରାନ ସବୁ ଚାଲକୁ ପଦାରେ ପକାଇ ଏବେ ସେନା ଗଳାରେ କଣ୍ଟା ପାଲଟିଯାଇଛନ୍ତି। ଏଣୁ ପାକିସ୍ତାନ ରାତାରାତ ଦେଶରେ ଶାସନ ପରିବର୍ତ୍ତନ ଯୋଜନାରେ ଥିବା ଭଳି ଆଶଙ୍କା କରାଗଲାଣି।