୧ କ୍ୱିଣ୍ଟାଲର ଗଞ୍ଜେଇ ଜବତ, ଜଣେ ଗିରଫ : ପୋଲିସ ଗାଡିକୁ ଧକ୍କା ଦେଇ ଫେରାର ହୋଇଯାଉଥିଲେ ମାଫିଆ

Published By : Prameya-News7 Bureau | June 26, 2021 IST

ଲମତାପୁଟ, ୨୪/୦୬: ଗଞ୍ଜେଇ ଚୋରା ଚାଲାଣ ବେଳେ  ମାଫିଆଙ୍କୁ ମାଡି ବସିଲା  ମାଛକୁଣ୍ଡ   ପୋଲିସ  ।ମାଲକାନଗିରି ସୀମାନ୍ତରୁ ଭୁବନେଶ୍ୱର ଚୋରା ଚାଲଣ  ବେଳେ   ମାଛକୁଣ୍ଡ ପୋଲିସ   ହାତରେ ଧରା ପଡିଛି  ବିପୁଳ ପରିମାଣର ଗଞ୍ଜେଇ ।  

ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ  ଏସପିଙ୍କ ନିର୍ଦେଶ କ୍ରମେ ନନ୍ଦପୁର ଏସ.ଡ଼ି.ପିଓଙ୍କ ନେତୃତ୍ଵରେ  ମାଛକୁଣ୍ଡ ପୋଲିସ   ଚାଙ୍ଗୁଡ଼ିପଡ଼ା     ଗ୍ରାମ ନିକଟରେ  ନାକାବନ୍ଦୀ   କରିଥିଲା  । ମାଛକୁଣ୍ଡ ଅଞ୍ଚଳରୁ   ଦ୍ରୁତ ଗତିରେ ଆସୁଥିବା ଏକ କାରକୁ ଅଟକାଇ  ଥିଲା ପୋଲିସ । କାରଟି ପୋଲିସ ଗାଡ଼ିକୁ ଧକ୍କା ଦେଇ ଚାଙ୍ଗୁଡ଼ିପଡା  ଗ୍ରାମ ନିକଟ ଜଙ୍ଗଲକୁ ଦୃତ ଗତିରେ ଚାଲି ଯାଇଥିଲା । ପୋଲିସ ପିଛା କରିବା ଦେଖି ଦୃତ ଗତିରେ ଯାଉଥିବା   କାରଟି କାଦୁଅରେ ପଶି ଯାଇଥିଲ  ।  କାର ଆଗକୁ ନ ଯିବାରୁ  ଦେଖି  ଦୁଇ ଗଞ୍ଜେଇ ମାଫିଆ ଗାଡ଼ି ଛାଡ଼ି ଜଙ୍ଗଲ ଭିତରକୁ ଚମ୍ପଟ ମାରିଥିଲେ ।

ଅନ୍ୟପକ୍ଷରେ କାରକୁ ଏସ୍କର୍ଟ କରି ଆସୁଥିବା ମୋଟର ସାଇକେଲ ଚାଳକଙ୍କୁ କାବୁ କରିବାରେ ସଫଳ ହୋଇଥିଲା ପୋଲିସ । ମୋଟର ସାଇକେଲକୁ ଜବତ କରିବା ପରେ କାରକୁ ଯାଞ୍ଚ କରିବାରୁ  ଏକ କୁଇଣ୍ଟାଲ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା ପୋଲିସ ।  ଏହାର ମୂଲ୍ୟ ପ୍ରାୟ ୧୦  ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି ।   ଗିରଫ ଯୁବକ ଜଣକ ମାଲକାନଗରି ଜିଲ୍ଲା ଅଣ୍ଡରହାଲ୍ ଗ୍ରାମର  ରଘୁ ହେନ୍ତାଳ ବୋଲି ଜଣା ପଡିଛି । ଯୁବକକୁ ପଚରା ଉଚରା ପରେ ସ୍ଥାନୀୟ ଯୁବକଙ୍କ ସଂପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିବା ବେଳେ ସେମାନଙ୍କ ନାମ ଗୋପନ ରଖିଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ମାଛକୁଣ୍ଡ ପୋଲିସ  ଆଜି ପର୍ଯ୍ୟନ୍ତ ୨୩ଟି  ଗଞ୍ଜେଇ କାରବାରର ପର୍ଦ୍ଦାଫାସ କରିଥିବା ବେଳେ ୩୪ ଜଣଙ୍କୁ  ଗିରଫ କରି କୋର୍ଟ ଚାଲାଣ  କରିଛି । ଏହାସହ ସମୁଦାୟ ୫ ଟନ ୫୫୭ କେଜି  ଗଞ୍ଜେଇ  ଜବତ କରିଥିବା ବେଳେ ୨୦  ଟି ଗାଡି ଜବତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.