ଗଞ୍ଜେଇ ଚାଷ ନଷ୍ଟକୁ ଆଦିବାସୀଙ୍କ ବିରୋଧ, ମାସକରେ ପ୍ରଶାସନ କାଟିଲାଣି ୬୦ କୋଟି ଟଙ୍କାର ଗଛ

Published By : Prameya-News7 Bureau | December 05, 2021 IST

ମାଲକାନଗିରି,୦୫|୧୨: ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଗଞ୍ଜେଇ ଚାଷ ନଷ୍ଟ କରାଯାଉଥିବାରୁ ସ୍ଥାନୀୟ ଆଦିବାସୀମାନେ ଏହାକୁ ବିରୋଧ କରୁଛନ୍ତି । ମାସେ ମଧ୍ୟରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଅପରେସନରେ ଚିତ୍ରକୋଣ୍ଡା ଅଞ୍ଚଳର ୪୦୦ ଏକରରୁ ଅଧିକ ଜମିରେ ପ୍ରାୟ ୬୦ କୋଟି ଟଙ୍କାର ଗଞ୍ଜେଇ ଫସଲ କାଟି ନଷ୍ଟ କରାଯାଇଛି । କିନ୍ତୁ ସ୍ୱାଭିମାନ ଅଞ୍ଚଳର ଆଦିବାସୀ ଲୋକେ ଏହାକୁ ବିରୋଧ କରି ପ୍ରଜାମେଳି କରୁଛନ୍ତି ।

ରାସ୍ତା କଡ଼ ଠାରୁ ଆରମ୍ଭ କରି ଦୁର୍ଗମ ଅଞ୍ଚଳର ପାହାଡ ପର୍ଯ୍ୟନ୍ତ ସବୁଠି ଲାଗିଛି କେବଳ ଗଞ୍ଜେଇ ଗଛ । ପୋଲିସ ଓ ଅବକାରୀ ବିଭାଗକୁ ଭୟ ନାହି କି ପ୍ରଶାସନକୁ ଖାତିର ନାହିଁ । ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ବିଚ୍ଛିନ୍ନାଞ୍ଚଳରୁ ସ୍ବାଭିମାନ ଅଞ୍ଚଳ ହେଲା ଚିତ୍ରକୋଣ୍ଡା ବୁଡି ଅଞ୍ଚଳ । ହେଲେ ଏଠାକାର ଆଦିବାସୀମାନେ ଜମିର ଫସଲ କହିଲେ ବୁଝନ୍ତି କେବଳ ଗଞ୍ଜେଇ ଚାଷକୁ । ଆଦିବାସୀଙ୍କ କହିବା କଥା ଏଠି ଅନ୍ୟ କୌଣସି ଫସଲ ହେଉ ନାହିଁ । ତେଣୁ ନିଜର ଜୀବନ ଓ ଜୀବିକା ପାଇଁ ଆଦିବାସୀମାନେ କୁଆଡ଼େ ଗଞ୍ଜେଇ ଚାଷ କରୁଛନ୍ତି ।

ଗତ ମାସକ ମଧ୍ୟରେ ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢଉ କରି ବେଶ ସଫଳ ହୋଇଛି । ଚିତ୍ରକୋଣ୍ଡା ଅଞ୍ଚଳର ପ୍ରାୟ ୪୨୭ ଏକର ଜମିର ଗଞ୍ଜେଇ ଗଛ କାଟି ନଷ୍ଟ କରିଛି । ଯାହାର ବଜାର ମୂଲ୍ୟ ପ୍ରାୟ ୬୦ କୋଟି ଟଙ୍କା ହେବ । ସେପଟେ ଗଞ୍ଜେଇ ଚାଷ ନଷ୍ଟକୁ ବିରୋଧ କରି ପ୍ରଜା ମେଳି କରୁଛନ୍ତି ଆଦିବାସୀ । ବାହାର ରାଜ୍ୟର ମାଫିଆମାନେ ଆଦିବାସୀ ଲୋକଙ୍କ ସରଳତାର ଫାଇଦା ନେଇ ବେଶ କିଛି ବର୍ଷ ଧରି ଏଠାରେ ଗଞ୍ଜେଇ ଚାଷ କରି ଆସୁଛନ୍ତି ବୋଲି ଜଣାପଡ଼ିଛି । ଆଦିବାସୀଙ୍କ ଆର୍ଥିକ ମାନଦଣ୍ଡରେ ସୁଧାର ଲାଗି ବିରି, ମାଣ୍ଡିଆ, ଶୁଆଁ, ଅଳସୀ, ଅଦା ଓ ହଳଦି ପରି ଲାଭ ଦାୟକ ଫସଲ କରିବା ପାଇଁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି ।

ସବୁଜ ଜହରର ମୂଳ ପୋଛ କରିବା ଲାଗି ପ୍ରତି ବର୍ଷ କେବଳ ଗଛ କାଟିଲେ ହେବ ନାହିଁ । ବରଂ ଆଦିବାସୀଙ୍କୁ ସଚେତନ ଏବଂ ସ୍ବାବଲମ୍ବୀ କରିବା ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.