ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ

Published By : Prameya-News7 Bureau | December 06, 2021 IST

ବ୍ରହ୍ମପୁର,୦୬/୧୨: କରୋନା ସଂକ୍ରମଣ ଏବେ ବି କମିନାହିଁ । ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଭାଇରସ୍‌କୁ ନେଇ ଏବେ ଚିନ୍ତା । ୬ ଜଣ ଓମିକ୍ରନ୍‌ ସଂକ୍ରମିତ ଦେଶରେ ଚିହ୍ନଟ ହୋଇସାରିଛନ୍ତି । ଏମାନଙ୍କ ମଧ୍ୟରେ ଗୁଜରାଟ ଜାମନଗରରେ ୭୨ବର୍ଷୀୟ ଜଣେ ବ୍ୟକ୍ତି ରହିଛନ୍ତି । ଆଫିକ୍ରୀୟ ଦେଶ ଜିମ୍ବାୱେରୁ ଫେରିବା ପରେ ତାଙ୍କ ଶରୀରେ ଓମିକ୍ରନ୍‌ ଭାଇରସ୍‌ ଥିବା ଜଣାପଡିଥିଲା । ଓମିକ୍ରନ ସଂକ୍ରମିତ ବ୍ୟକ୍ତି ଜଣକ ୧୦ଜଣ ଲୋକଙ୍କ ସଂସ୍ପର୍ଶରେ ଆସିଥିବା କହିବା ପରେ ସମସ୍ତଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । ଓମିକ୍ରନ୍‌ ଭାରଆଣ୍ଟକୁ ନେଇ ଆଇଆଇଟି କାନପୁର ସତର୍କବାଣୀ ଦେଇଛି । ନୂଆ ଭାରିଆଣ୍ଟ ଦ୍ୱାରା ସଂକ୍ରମଣ ପୁଣି ଦ୍ରୁତ ଗତିରେ ମାଡ଼ିବ । ଜାନୁଆରେ ମହାମାରୀ ତୃତୀୟ ଲହରୀ ଆରମ୍ଭ ହେବ ଏବଂ ଫେବ୍ରୁଆରୀରେ ସଂକ୍ରମଣ ସଂଖ୍ୟା ଦୈନିକ ଲକ୍ଷାଧିକ ରହିବ ବୋଲି ସତର୍କବାଣୀ ଦେଇଛି ।

ଗୁଜରାଟରେ ଏହି ଭାରିଆଣ୍ଟ ଦେଖାଯିବା ପରେ ଗଞ୍ଜାମ ପ୍ରତି ବିପଦ ରହିଥିବା ଆଶଙ୍କା ସୃଷ୍ଟି ହୋଇଛି । ଗୁଜରାଟରେ ଗଞ୍ଜାମ ଜିଲ୍ଲାରୁ ୭ଲକ୍ଷରୁ ଅଧିକ ଲୋକ ବିଭିନ୍ନ ସୂତାକଳ ସହ ଅନ୍ୟାନ୍ୟ କମ୍ପାନିରେ କାମ କରି ଜୀବିକା ନିର୍ବାହ କରନ୍ତି । ଡିସେମ୍ବର ଓ ଜାନୁଆରୀ ମାସରେ ବହୁ ସଂଖ୍ୟାରେ ବିବାହ, ବ୍ରତ ଓ ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟ ହେଉଛି । ଯାହାଫଳରେ ସୁରଟରେ ରହୁଥିବା ପ୍ରବାସୀ ମାନେ ନିଶ୍ଚିତ ଭାବେ ଘରକୁ ଫେରିବେ । ଏହାସହ ଗଞ୍ଜାମ ଜିଲ୍ଲାକୁ ନିୟମିତ ହଜାର ହଜାର ଓଡ଼ିଆ ପ୍ରବାସୀ ଗୁଜରାଟରୁ ଫେରୁଛନ୍ତି । ସେମାନେ ସୁରତ ସହ ଗୁଜୁରାଟର ବିଭିନ୍ନ ଅଞ୍ଚଳରେ କାମ କରନ୍ତି । ସପ୍ତାହରେ ୬ଟି ଟ୍ରେନ୍‌ ଗୁଜୁରାଟରୁ ବ୍ରହ୍ମପୁର ଦେଇ ବିଭିନ୍ନ ଜାଗାକୁ ଯାଉଛି । କୋଭିଡ୍‌ ପ୍ରଥମ ଲହରରେ ୨୦୨୦ ଏପ୍ରିଲ୍‌ ମାସ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲା ଗ୍ରୀନ୍‌ ଜୋନ୍‌ରେ ଥିଲା । ମେ ୨ରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ ଏବଂ ଧିରେ ଧିରେ ଗଞ୍ଜାମ ରାଜ୍ୟର ସର୍ବାଧିକ ସଂକ୍ରମଣ ଜିଲ୍ଲା ହୋଇଥିଲା । ଓଡ଼ିଆ ପ୍ରବାସୀଙ୍କ କାରଣରୁ ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ିବା ଅନ୍ୟତମ କାରଣ ଭାବେ କୁହାଯାଉଥିଲା ।

ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସୁନିଲ କୁମାର କୋଟା କହିଛନ୍ତି, କରୋନା ଡେଲ୍‌ଟା ଭାରିଆଣ୍ଟ ଠାରୁ ମଧ୍ୟ ଅଧିକ ଦ୍ରୁତ ଗତିରେ ବ୍ୟାପି ଓମିକ୍ରନ୍‌ । ପୂର୍ବରୁ ଯେଉଁସବୁ ବିପଦଜନକ ଭାରିଆଣ୍ଟ ଦେଖାଦେଇଥିଲା ତାଠାରୁ ଅଧିକ ଦ୍ରୁତ ଗତିରେ ଓମିକ୍ରନ୍‌ ବ୍ୟାପିବ । ବର୍ତ୍ତମାନ ଓମିକ୍ରନ୍‌ରେ ସାମାନ୍ୟ ଲକ୍ଷଣ ଦେଖାଦେଉଛି । ଯଦି ଅଧିକ ସଂଖ୍ୟକ ଲୋକଙ୍କ ଶରୀରରେ ବ୍ୟାପିବ ତା’ହେଲେ ଚିକିତ୍ସା ସମସ୍ୟା ହେବ । ପରିସ୍ଥିତି ଦେଖି ଏହାର ଭୟାବହତା ଜଣାପଡିବ ବୋଲି ଡାକ୍ତର କୋଟ।। କହିଛନ୍ତି । ଏହି ଭାରିଆଣ୍ଟ ଯେହେତୁ ଦ୍ରତ ଗତିରେ ବ୍ୟାପୁଛି, ତେଣୁ ସମସ୍ତେ ସତର୍କ ରହିବା ଆବଶ୍ୟକ ।

ଗଞ୍ଜାମ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଓମିକ୍ରନ୍‌କୁ ନେଇ ସତର୍କ କରାଯାଇଛି । ପୁଣି ସବୁଠି ମାସ୍କ, ସାମାଜିକ ଦୂରତା ଏବଂ ସମସ୍ତ ନିୟମାବଳିକୁ ଲାଗୁ ହୋଇଛି । ଯେଉଁମାନେ ନମାନିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଉଛି । ଶନିବାର ସନ୍ଧ୍ୟାରେ କୋର୍ଟପେଟା ଛକରେ ଜଣେ ଔଷଧ ଦୋକାନି ମାସ୍କ ପିନ୍ଧିନଥିବାରୁ ତାଙ୍କ ଠାରୁ ୧୦ହଜାର ଟଙ୍କା ଜରିମାନା ଆଦାୟ କରିଛି ବିଏମ୍‌ସି । ବ୍ରହ୍ମପୁର ମହାନଗର ନିଗମରେ ସଚେତନ ସହ ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି ବୋଲି କହିଛନ୍ତି ବିଏମ୍‌ସି କମିଶନର ଡ.ସିଦେ୍ଧଶ୍ୱର ବଳିରାମ ବୋନ୍ଦର । ଜନସାଧାରଣଙ୍କୁ ପୁଣି ସଚେତନ କରି ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବାକୁ ଅନୁରୋଧ କରାଯାଉଛି । ସବୁ କଟକଣା ହଟିଥିଲେ ମଧ୍ୟ ବିପଦ ମୁଣ୍ଡ ଉପରେ ରହିଛି । ଜିଲ୍ଲାରେ ୨୩ଜଣ କୋଭିଡ୍‌ ପଜିଟିଭ୍‌ ଆକ୍ଟିଭ୍‌ ହୋଇ ରହିଛନ୍ତି । ଜିଲ୍ଲାରେ ରବିବାର ୩ ପଜିଟିଭ୍‌ ଚିହ୍ନଟ ହେବା ପରେ ମୋଟ ସଂଖ୍ୟା ୩୩୯୩୪ ହୋଇଛି । ରବିବାର ୩ଜଣ ସୁସ୍ଥ ହୋଇଛନ୍ତି ଏବଂ ମୋଟ ୩୩୪୨୨ଜଣ ସୁସ୍ଥ ହୋଇଥିବା ଓଡ଼ିଶା ଡ୍ୟାସ୍‌ ବୋର୍ଡରୁ ସୂଚନା ମିଳିଛି । କୋଭିଡ୍‌ରେ ଜିଲ୍ଲାରେ ୪୮୧ଜଣଙ୍କ ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.