ଆରମ୍ଭ ହେଲା ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା, ଗଞ୍ଜାମ ଜିଲ୍ଲାରେ ୨୯ କେନ୍ଦ୍ରରେ ୧୩୧୯ ପରୀକ୍ଷାର୍ଥୀ

Published By : Prameya-News7 Bureau | July 30, 2021 IST

ଖଲ୍ଲିକୋଟ, ୩୦/୦୭ : ଶୁକ୍ରବାରଠୁ ଆରମ୍ଭ ହୋଇଛି ଅଫଲାଇନ୍ ମାଟ୍ରିକ ପରୀକ୍ଷା । ଗଞ୍ଜାମ  ଜିଲାରେ ପରୀକ୍ଷା ପାଇଁ ୨୯ ଟି କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଏଥିରେ ମୋଟ ୧୩୧୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଜିଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।

ଏମାନଙ୍କ ମଧ୍ୟରେ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ( ଏଚ୍ଏସସି)  ୭୦୮  ଜଣ ପରୀକ୍ଷାର୍ଥୀ ଦେଉଥିବା ବେଳେ ଓଡିଶା ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟରେ  ୬୧୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । କରୋନାର ପ୍ରକୋପ ଯୋଗୁଁ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ବନ୍ଦ ହୋଇଯାଇଥିଲା । ବିକଳ୍ପ ବ୍ୟବସ୍ଥାରେ ମୂଲ୍ୟାୟନ କରାଯିବା ପରେ ଫଳ ପ୍ରକାଶ ପାଇଥିଲା । ହେଲେ ରେଜଲ୍ଟ ପରେ  ଅନେକ ଛାତ୍ରଛାତ୍ରୀ  ଅସନ୍ତୋଷ ପ୍ରକାଶ କରିଥିଲେ । ଯେଉଁମାନେ ଫଳାଫଳକୁ ନେଇ ସନ୍ତୁଷ୍ଟ ନଥିଲେ ସେମାନଙ୍କ ପାଇଁ ଶ୍ରେଣୀ ଗୃହ ପରୀକ୍ଷା ପାଇଁ  ବିକଳ୍ପ ବ୍ୟବସ୍ଥା କରାଯାଇଥିଲା ।

ଏଥିପାଇଁ ପୂର୍ବରୁ ଫର୍ମପୂରଣ ମଧ୍ୟ କରାଯାଇଥିଲା । ପରୀକ୍ଷା ୧୦ ଟାରୁ ଆରମ୍ଭ ହେବାକୁ ଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ ପୂର୍ବାହ୍ନ ୯ ଟାରୁ ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସାମାଜିକ ଦୂରତା ସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଥିଲା ।  ସେମାନଙ୍କୁ ଥର୍ମାଲ ସ୍କ୍ରିନିଂ ମଧ୍ୟ କରାଯାଉଥିଲା ।

କରୋନା ପାଇଁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି । ପରୀକ୍ଷା ପୂର୍ବରୁ ସମସ୍ତ  ଶ୍ରେଣୀକୁ ସାନିଟାଇଜ୍ କରାଯାଇଛି । ଥର୍ମାଲ ସ୍କ୍ରିନିଂ ସମୟରେ ଯେଉଁ ପରୀକ୍ଷାର୍ଥୀଙ୍କ କିଛି ଲକ୍ଷଣ ଦେଖାଦେବ ସେଥିପାଇଁ ଆଇସୋଲେସନ ଗୃହର ବ୍ୟବସ୍ଥା କରାଯାଇଛି । ସେଠାରେ ପରୀକ୍ଷାର୍ଥୀ ପରୀକ୍ଷା ଦେଇପାରିବେ ବୋଲି ଛତ୍ରପୁର ବିଇଓ ଅବିନାଶ ଶତପଥୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.