ସତର୍କ ନରହିଲେ ତୃତୀୟ ଲହର ସମ୍ଭାବନା, ଡାକ୍ତରଙ୍କୁ ହେଡ୍ କ୍ବାର୍ଟର ନଛାଡିବାକୁ ପରାମର୍ଶ ଦେଲେ ଜିଲ୍ଲାପାଳ

Published By : Prameya-News7 Bureau | November 27, 2021 IST

ଛତ୍ରପୁର ୨୭।୧୧: ଗଞ୍ଜାମ ଜିଲ୍ଲାବାସୀ ସତର୍କତା ଏବଂ ସମ୍ପୂର୍ଣ୍ଣ ଟିକାକରଣ ନହେଲେ ଆଗାମୀ ଦିନରେ ତୃତୀୟ ଲହର ସଂକ୍ରମଣରୁ ବର୍ତ୍ତିବା ସମ୍ଭବପର ହେବ ନାହିଁ । ଜନସାଧାରଣଙ୍କ ଢିଲା ଓ ଖାମଖିଆଲି ମନଭାବ ପୁଣି ବିପଦ ଆଡକୁ ଟାଣିନେବ । ଏହି ସମ୍ପର୍କିତ ଏକ ଗୁରୁତ୍ବପୂର୍ଣ୍ଣ ଆଭାସି ବୈଠକ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ କହିଛନ୍ତି ଯେ, ଜିଲ୍ଲାରେ ଏଯାବତ ୮୨ ପ୍ରତିଶତ ଲୋକ ଟିକା ନେଇଥିବା ବେଳେ ୧୮ ପ୍ରତିଶତ ଲୋକଙ୍କ ଟିକାକରଣ ବାକି ରହିଛି । ଜିଲ୍ଲାରେ କେହି ଜଣେ ହେଲେ ବ୍ୟକ୍ତି ଟିକାକରଣରୁ ବଞ୍ଚିତ ରହିବେ ନାହିଁ । ସେଥିପାଇଁ ସମସ୍ତ ଅଧିକାରୀ ଧ୍ୟାନ ଦିଅନ୍ତୁ ।  

ଆଗାମୀ ଡିସେମ୍ବର ମାସ ୧୫ ତାରିଖ ସୁଦ୍ଧା ଟିକାକରଣରୁ ବଞ୍ଚିତ ଥିବା ୧୮ ପ୍ରତିଶତ ଲୋକ ପ୍ରଥମ ଡୋଜ ଶେଷ କରନ୍ତୁ । ଡାକ୍ତରମାନେ ଟିକାକରଣକୁ ଚାଲେଞ୍ଜ ଭାବେ ଗ୍ରହଣ କରି ଯୁଦ୍ଧକାଳୀନ ଭିତ୍ତିରେ ଏହି କାର୍ଯ୍ୟ ସମ୍ପନ୍ନ କରନ୍ତୁ । ସେମାନେ ନିଜନିଜ ହେଡ କ୍ବାର୍ଟର ଛାଡ଼ନ୍ତୁ ନାହିଁ ନଚେତ ପାଣ୍ଡାମିକ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବୁ । "ହର ଘର ଦସ୍ତକ" କାର୍ଯ୍ୟକ୍ରମରେ ପ୍ରତିଟି ଘରକୁ ଯାଇ ସର୍ଭେ କରନ୍ତୁ ।

ଜିଲ୍ଲାରେ ୨୭୨୨୯୦୬ ବ୍ୟକ୍ତିଙ୍କୁ ୨୫ ନଭେମ୍ବର ୨୦୨୧ ସୁଦ୍ଧା ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୧୮ ବର୍ଷ ବୟସ୍କ ପର୍ଯ୍ୟନ୍ତ ୨୨୩୩୯୫୮ ଜଣ ପ୍ରଥମ ଡୋଡ୍ ୧୯୨୬୪୯୩ ଜଣ ଦ୍ବିତୀୟ ଡୋଜ ଗ୍ରହଣ କରିଛନ୍ତି । ୩୫୭୦୯୦ ଲୋକଙ୍କ ନିମନ୍ତେ କୋଭାକ୍ସିନ ଏବଂ ୩୩୪୮୦ ଲୋକଙ୍କ ପାଇଁ କୋଭାକ୍ସିନ ଟିକା ମହଜୁଦ ରହିଛି । ଜିଲ୍ଲାପାଳ ସମସ୍ତ ବ୍ଲକର ସମୀକ୍ଷା କରିଥିଲେ ଏବଂ ଟିକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଜଣାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.