ସମ୍ଭାବ୍ୟ ବାତ୍ୟା ନେଇ ଗଞ୍ଜାମ ପ୍ରଶାସନର ସତର୍କତା : ସମୁଦ୍ର ଓ ନଦୀ କୁଳିଆ ଅଞ୍ଚଳ ଉପରେ ସ୍ବତନ୍ତ୍ର ଧ୍ୟାନ, ୨ ଦିନ ଗୋପାଳପୁର ବେଳାଭୂମି ବନ୍ଦ

Published By : Prameya-News7 Bureau | September 25, 2021 IST

ଖଲ୍ଲିକୋଟ ୨୫।୯: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରର ମିଆଁମାର ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇଛି । ୧୨ ଘଣ୍ଟାରେ ଏହା ଘନୀଭୂତ ହୋଇ ସାମୁଦ୍ରିକ ଝଡ ବା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ଓଡ଼ିଶାର ଗୋପାଳପୁର ଓ ଉତ୍ତର ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ମଧ୍ୟରେ କଳିଙ୍ଗପଟ୍ଟନମ୍ ଦେଇ ସ୍ଥଳଭାଗରେ ପ୍ରବେଶ କରିବ। ଏହାର ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ପବନର ମଧ୍ୟ ଆଶଙ୍କା କରାଯାଉଛି । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାକୁ ୭୦ରୁ ୮୦ କି.ମି. ରହିବ ବୋଲି ଆକଳନ କରାଯାଉଛି ।

ଏହି ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ପ୍ରଶାସନର ଏକ ଜରୁରୀ କାଳୀନ ବୈଠକ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଦ୍ୟୁତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଜିରୋ କାଜୁଆଲଟି ଉପରେ ଗୁରୁତ୍ବ ଦିଆଯାଇଛି । ସମୁଦ୍ରକୁଳିଆ ଓ ନଦୀ କୁଳିଆ ଅଂଚଳ ଉପରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ତହସିଲଦାରମାନଙ୍କୁ କୁହାଯାଇଛି । ଆବଶ୍ୟକ ପଡିଲେ ସେମାନଙ୍କୁ ସ୍ଥାନାନ୍ତରିତ କରାଯିବ । ସ୍କୁଲ, ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ସଫା ସୁତରା କରି ରଖିବାକୁ କୁହାଯାଇଛି । ହେଡକ୍ବାର୍ଟର କେହି ଛାଡ଼ିବେ ନାହିଁ ବୋଲି କୁହାଯାଇଛି । ରବିବାର ଓ ସୋମବାର ବେଳାଭୂମିକୁ ବାରଣ କରାଯାଇଛି । ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରି ରଖାଯିବ, ଆବଶ୍ୟକ ହେଲେ ମେଡିକାଲକୁ ସ୍ଥାନାନ୍ତର ହେବେ । ‘ତିତିଲି’ ସମୟରେ ଯେଉଁ ସବୁ ଅଂଚଳ କ୍ଷତି ହୋଇଥିଲା ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.