ଗଞ୍ଜେଇ ଗଛିତ ଗୋଦାମ ଉପରେ ଚଢାଉ, ୫୪୦ କେଜି ନୀଳ ଜହର ଜବତ
29/12/2020 at 8:16 AM

ଲମତାପୁଟ ୨୯।୧୨: ଗଞ୍ଜେଇ ଗୋଦାମ ଉପରେ କୋରାପୁଟ ଜିଲ୍ଲା ପାଡୁଆ ପୋଲିସର ଚଢାଉ । ଘରେ ଗୋଦାମ କରି ବସ୍ତା ବସ୍ତା ନୀଳ ଜହର ରଖାଯାଇଥିବା ବେଳେ ୧୯ଟି ବସ୍ତାରୁ ବିପୁଳ ଗଞ୍ଜେଇ ଜବତ କରିଛି ପୋଲିସ୍ । ପୋଲିସ ରେଡ୍ ଦେଖି ମୁଖ୍ୟ ଅଭଯୁକ୍ତ ବନମାଳୀ ଫେରାର ହୋଇଯାଇଛି । ତେବେ ତାଙ୍କ ଘରୁ ୫୪୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଯାହାର ମୂଲ୍ୟ ୫୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୋଲିସ କହିଛି।

ପ୍ରଥମ ଥର ପାଇଁ ବିପୁଳ ଗଞ୍ଜେଇ ଗଛିତ ଥିବା ଗୋଦାମ ଉପରେ ଚଢାଉ କରିଛି ପାଡୁଆ ପୋଲିସ । କୋରାପୁଟ ଏସ୍ ପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ୍ ଡ଼ିପିଓଙ୍କ ନେତୃତ୍ଵରେ ପାଡୁଆ ପୋଲିସ ୨ଜଣିଆ ଟିମ୍ ଗଠନ କରି ଏହି ଛାପା ମାରିଥିଲା । ପାଡୁଆ ଥାନା ଅନ୍ତର୍ଗତ ଆନ୍ଧ୍ର ସୀମାନ୍ତ ଡୁମୁରି ଗୁଡା ଗାଁର ବନମାଳୀ ପାଙ୍ଗୀଙ୍କ ଘରେ ରେଡ୍ କରିଥିଲା ପୋଲିସ୍ । ଏହି ଗଞ୍ଜେଇ ଅଟୋରେ ଆନ୍ଧ୍ରପ୍ରଦେଶକୁ ଚୋରା ଚାଲାଣ ହୋଇଥାନ୍ତା । ତେବେ ଚୋରା ଚାଲାଣରେ ବ୍ୟବହାର ହେଉଥିବା ଅଟୋ ମଧ୍ୟ ଜବତ କରିଛି ପୋଲିସ୍ ।
