କୋରାପୁଟରେ ବଢୁଛି ଗଞ୍ଜେଇ କାରବାର, ପୋଲିସ ପାଟ୍ରୋଲିଂ ବେଳେ ଟ୍ରକରୁ ପ୍ରାୟ ୩ କ୍ବିଣ୍ଟାଲ ଗଞ୍ଜେଇ ଜବତ

Published By : Prameya-News7 Bureau | November 18, 2020 IST

ଲମତାପୁଟ ୧୮।୧୧: ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ବେଳେ ରାଇପୁରର ଦୁଇ ଗଞ୍ଜେଇ ମାଫିଆଂକୁ ମାଡି ବସିଲା ମାଛକୁଣ୍ଡ ପୋଲିସ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ବଡକିଚବ ଅଞ୍ଚଳରୁ ରାୟପୁର ଚାଲାଣ ବେଳେ ପୋଲିସ ହାତରେ ଧରା ପଡିଛି ବିପୁଳ ପରିମାଣର ଗଞ୍ଜେଇ ।

କୋରାପୁଟ ଏସ୍ ପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡ଼ିପିଓ, ମାଛକୁଣ୍ଡ ଥାନା ଅଧିକାରୀ, ଲମତାପୁଟ ଏବଂ ଜୋଲାପୁଟ ଫାଣ୍ଡି ଅଧିକାରୀ ମିଳିତ ଭାବେ ଗୁନେଇପଡା ଶିବମନ୍ଦିର ନିକଟରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଧରାପଡିଛି ୩୦ ଲକ୍ଷ ଟଙ୍କାର ଗଞ୍ଜେଇ । ଗୁନେଇପଡା ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା ଟ୍ରକକୁ ଅଟକାଇ ଯାଞ୍ଚ କରିବାରୁ ପ୍ରଥମେ କିଛି ବି ସୁରାଗ ପାଇନଥିଲା ପୋଲିସ । କିନ୍ତୁ ଗଞ୍ଜେଇ ଗନ୍ଧରେ ଫାଟି ପଡୁଥାଏ ଟ୍ରକ। ପ୍ରାୟ ଏକ ଘଣ୍ଟା ଧରି ଗାଡିକୁ ଯାଞ୍ଚ କରିବାରୁ ଟ୍ରକ ର ଡାଲାରେ ସ୍ଵତନ୍ତ୍ର ଚାମ୍ବର ରେ ବିପୁଳ ପରିମାଣ ରେ ଗଞ୍ଜେଇ ଥିବା ଜଣାପଡିଥିଲା ।

ଗଞ୍ଜେଇ ଚାଲାଣରେ ବ୍ୟବହୃତ ହୋଇଥିବା ଟ୍ରକ ସହ ଦୁଇ ଜଣକୁ ଅଟକ ରଖିଛି ପୋଲିସ । ଟ୍ରକରେ ପ୍ରାୟ ୩ କୁଇଣ୍ଟାଲ ଗଞ୍ଜେଇ ଥିବା ଜାଣିବାକୁ ପାଇଛି ପୋଲିସ ଯାହାର ମୂଲ୍ୟ ୩୦ ଲକ୍ଷ ହେବ ବୋଲି ପୋଲିସ ସୂଚନା ଦେଇଛି । ଅଟକ ଯୁବକ ଉତରପ୍ରଦେଶ ଅଞ୍ଚଳର ବିପିନ ମିସ୍ରା ଏବଂ ଅରୁଣ ଦୁବେ । ଏମାନେ ଏହି ଗାଡିଟି କେବଳ ଗଞ୍ଜେଇ ଚୋରା ଚାଲାଣରେ ବ୍ୟବହାର କରୁଥିଲେ । ଅନ୍ୟପକ୍ଷରେ ଗାଡିରେ ସ୍ଵତନ୍ତ୍ର ଚାମ୍ବର ତିଆରି କରି ଗଞ୍ଜେଇ ଚୋରା ଚାଲାଣ କରୁଥିବା ନେଇ ଗାଡି ମାଲିକଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.