ଦେଶର ସବୁଠୁ ବଡ ତଦନ୍ତକାରୀ ସଂସ୍ଥା ସିବିଆଇରେ ଗୋଷ୍ଠୀ ବିବାଦ : ବିଶ୍ୱସନୀୟତା ଓ ଗରୀମା ଉପରେ ପ୍ରଶ୍ନବାଚୀ

Published By : Prameya-News7 Bureau | October 08, 2018 IST

ନୂଆଦିଲ୍ଲୀ ୮/୧୦ : ଦେଶର ସବୁଠୁ ବଡ ତଦନ୍ତକାରୀ ସଂସ୍ଥା ସିବିଆଇ | ବଡ଼ ବଡ ଅପରାଧ ହେଉ କିଏ ଆର୍ଥିକ ଅନିୟମୀତତା | ବଡ ଦୁର୍ନୀତି ହେଉ କି ବଡ ଷଡଯନ୍ତ୍ର | ଏ ସବୁର ତଦନ୍ତ ଏବଂ ଅନୁସନ୍ଧାନର ଗୁରୁ ଦାୟିତ୍ୱ ବହନ କରିଥାଏ ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେସ୍ଟିଗେସନ ବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ | କେନ୍ଦ୍ର ସରକାରଙ୍କ ଏହି ସଂସ୍ଥା ସ୍ୱାଧୀନ ଏବଂ ନିରପେକ୍ଷ ବୋଲି ବରାବର ଦାବି କରାଯାଇଥାଏ | ହେଲେ ଏବେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ଭିତରେ ସବୁକଥା ଠିକଠାକ ଚାଲିନାହିଁ | କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ମଧ୍ୟରେ ଗୋଷ୍ଠୀ ବିବାଦ, ଅନ୍ତର୍ଦ୍ୱନ୍ଦ, ଗୋଛି କଟାକଟି ଏବଂ ହୀନ ରାଜନୀତି ଚାଲିଥିବା ଆଲୋଚନା ହେଉଛି | 'ଦ ୱାୟର' ୱେବର ଏ ସମ୍ପର୍କିତ ଏକ ରିପୋର୍ଟକୁ ଯଦି ବିଶ୍ୱାସକୁ ନିଆଯାଏ ତାହେଲେ ସିବିଆଇର ସ୍ଥିତି ଅତ୍ୟନ୍ତ ସାଙ୍ଘାତିକ | ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସିଧାସଳଖ ହସ୍ତକ୍ଷେପ ମଧ୍ୟ ସଂସ୍ଥାର ବିଶ୍ୱସନୀୟତା ନେଇ ମଧ୍ୟ ପ୍ରଶ୍ନ ଉଠିଛି | କେବଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନୁହେଁ, କର୍ପୋରେଟ ସଂସ୍ଥା ମଧ୍ୟ ସିବିଆଇର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରୁଥିବା ଅଭିଯୋଗ ଉଠିଛି | ସୂଚନାଯୋଗ୍ୟ ଯେ, ଆଲୋକ ବର୍ମା ଏବେ ସିବିଆଇର ନିର୍ଦେଶକ ଅଛନ୍ତି | ସେକେଣ୍ଡ ଇନ କମାଣ୍ଡ ଭାବେ ରାକେଶ ଅସ୍ଥାନାଙ୍କୁ ନିଯୁକ୍ତି ଦିଆଯାଇଛି | ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ହସ୍ତକ୍ଷେପରେ ରାଜୀବ ଅସ୍ଥାନାଙ୍କୁ ସ୍ୱତନ୍ତ୍ର ନିର୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି | ଏଭଳି ଏକ ନିଯୁକ୍ତି ଆଲୋକ ବର୍ମାଙ୍କୁ ଅସନ୍ତୁଷ୍ଟ କରିବା ସ୍ୱାଭାବିକ | ସ୍ୱତନ୍ତ୍ର ନିର୍ଦେଶକ ପଦବୀର କୌଣସି ଆବଶ୍ୟକତା ନଥିଲା ବୋଲି ଆଲୋକ ବର୍ମା ଅସନ୍ତୋଷ ସରକାରୀ ଭାବେ ମଧ୍ୟ ପ୍ରକାଶ କରିଛନ୍ତି | ଫଳରେ ଆଲୋକ ବର୍ମା ଏବଂ ରାଜୀବ ଅସ୍ଥାନାଙ୍କୁ ଦୁଇଟି ଗୋଷ୍ଠୀ ଏବେ ସିବିଆଇ ଭିତରେ ମୁହାଁମୁହିଁ ସ୍ଥିତିରେ ରହିଥିବା ଆଲୋଚନା ହେଉଛି | ଏହି ବିବାଦ ଏବେ ଆଭ୍ୟନ୍ତରୀଣ ଏବଂ ଗୋପନ ବିବାଦ ମଧ୍ୟରେ ସୀମିତ ନହୋଇ ଗଣମାଧ୍ୟମକୁ ମଧ୍ୟ ଆସିଲାଣି | ନିକଟରେ ଆର.ଯେ.ଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ଦୁର୍ନୀତି ସମ୍ପର୍କରେ ତଦନ୍ତ କରିବା ପାଇଁ ରାଜୀବ ଅସ୍ଥାନା ସେଣ୍ଟ୍ରାଲ ଭିଜିଲାନ୍ସ କମିଶନଙ୍କୁ ଏକ ଚିଠି ଲେଖିଥିଲେ | ଏହି ଚିଠିକୁ ଗଣମାଧ୍ୟମରେ ଲିକ କରିବା ସହ ସିବିଆଇ ନିର୍ଦେଶକ ଆଲୋକ ବର୍ମା ତଦନ୍ତ ପାଇଁ ଅନୁମତି ଦେଇନଥିବା ଗଣମାଧ୍ୟମରେ ପ୍ରଚାର କରାଯାଇଥିଲା | ଅପରପକ୍ଷରେ ଆଲୋକ ବର୍ମା କହିଥିଲେ ଯେ, ନିଜେ ରାଜୀବ ଅସ୍ଥାନାଙ୍କ ବିରୋଧରେ ଥିବା ୬ଟି ମାମଲାର ଅନୁସନ୍ଧାନ ଚାଲିଛି | ତେଣୁ ସେ କେଉଁ ଆଧାରରେ ଅନୁସନ୍ଧାନ କରିବେ ବୋଲି ସିବିଆଇ ନିର୍ଦେଶକ ଆଲୋକ ବର୍ମା ପ୍ରଶ୍ନ ଉଠାଇଛନ୍ତି | ଗତ ଜୁଲାଇ ମାସରେ ସିଭିସିକୁ ଆଲୋକ ବର୍ମା କହିଥିଲେ ଯେ, ତାଙ୍କ ଅନୁପସ୍ଥିତିରେ ରାଜୀବ ଅସ୍ଥାନା ସିବିଆଇରେ କୌଣସି ଅଧିକାରୀଙ୍କୁ ଭର୍ତ୍ତି କରିପାରିବେ ନାହିଁ | ଅସ୍ଥାନା ଏବଂ ବର୍ମାଙ୍କ ମଧ୍ୟରେ ବିବାଦର ଆଉ ଗୋଟିଏ ଅଧ୍ୟାୟ ହେଲା କୋଇଲା ସ୍କାମର ତଦନ୍ତ | ପଶ୍ଚିମବଙ୍ଗର ଏକ ସଂସ୍ଥାକୁ କୋଇଲା ବ୍ଲକ ପ୍ରଦାନ କରିବା କ୍ଷେତ୍ରରେ ପଶ୍ଚିମବଙ୍ଗ କ୍ୟାଡର ଆଇଏଏସ ଅଧିକାରୀ ଭାସ୍କର କୁଲେବଙ୍କଙ୍କ ଭୂମିକା ନେଇ ତଦନ୍ତରେ ମଧ୍ୟ ଦୁଇ ଅଧିକାରୀ ଆଲୋକ ବର୍ମା ଏବଂ ରାଜୀବ ଅସ୍ଥାନା ମୁହାଁମୁହିଁ ହୋଇଥିଲେ | ଏହି କୋଇଲା ସ୍କାମ ବେଳେ କୁଲବେ ପଶ୍ଚିମବଙ୍ଗ ସରକାରଙ୍କ ଶିଳ୍ପ ବିଭାଗର ଉପଦେଷ୍ଟା ଥିଲେ | କୁଲବେ ଜଣେ ପ୍ରଭାବଶାଳୀ ଆଇଏଏସ ଅଧିକାରୀ | ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ସଚିବ ଭାବେ ସେ ନରେନ୍ଦ୍ର ମୋଦିଙ୍କ ଡାହାଣ ହାତ କହିଲେ ଭୁଲ ହେବ ନାହିଁ | ସେହିଭଳି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ପ୍ରମୁଖ ସଚିବ ପି.କେ.ମିଶ୍ରଙ୍କର ମଧ୍ୟ ସେ ଅତ୍ୟନ୍ତ ନିକଟତମ ବ୍ୟକ୍ତି | ଏହି ପରିପ୍ରେକ୍ଷୀରେ କୋଇଲା ଦୁର୍ନୀତିର ଅନୁସନ୍ଧାନ କରୁଥିବା ଅଧିକାରୀମାନେ କୁଲବେଙ୍କୁ ଜଣେ ଅଭିଯୁକ୍ତ ଭାବେ ଗ୍ରହଣ କରିବାକୁ ଚାହୁଁଥିଲେ | ସୂଚନାଯୋଗ୍ୟ ଯେ, ଝାରଖଣ୍ଡ କୋଇଲା ବ୍ଲକ ଦୁର୍ନୀତି ମାମଲାରେ ପୂର୍ବତନ କୋଇଲା ସଚିବ ଏଚ.ସି.ଗୁପ୍ତାଙ୍କୁ ଅଭିଯୁକ୍ତ କରାଯାଇଥିଲା | ପରବର୍ତ୍ତୀ ସମୟରେ ଅଦାଲତରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ତାଙ୍କୁ ୩ବର୍ଷ ଜେଲ ଦଣ୍ଡ ହୋଇଥିଲା | ଏହି ଆଧାରରେ କୁଲବେଙ୍କୁ ଅଭିଯୁକ୍ତ ଭାବେ ଗ୍ରହଣ କରିବା ପାଇଁ ସିବିଆଇର ତଳୁ ଉପର ପର୍ଯ୍ୟନ୍ତ ସମସ୍ତେ ଚାହୁଁଥିବା ବେଳେ ରାଜୀବ ଅସ୍ଥାନ କିନ୍ତୁ ଷଣ୍ଢ ପୁରାଇଥିଲେ | କୁଲବେଙ୍କୁ ଅଭିଯୁକ୍ତ କରିବା ବଦଳରେ ତାଙ୍କୁ ରାଜ ସାକ୍ଷୀ କରିବା ପାଇଁ କହିଥିଲେ | ରାଜୀବ ଅସ୍ଥାନାଙ୍କ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସହ ସମ୍ପର୍କକୁ ବିଚାରକୁ ନେଲେ ତାଙ୍କର ଏଭଳି ବକ୍ତବ୍ୟ ଜମା ଆଶ୍ଚର୍ଯ୍ୟଜନକ ନୁହେଁ | ସୂଚନାଯୋଗ୍ୟ ଯେ, ରାଜୀବ ଅସ୍ଥାନାଙ୍କୁ ସିବିଆଇର ସ୍ୱତନ୍ତ୍ର ନିର୍ଦେଶକ ଭାବେ ନିଯୁକ୍ତି ବେଳେ ନିର୍ଦେଶକ ଆଲୋକ ବର୍ମା ଲିଖିତ ଭାବେ ଆପତ୍ତି କରିଥିଲେ | ଫଳରେ ବିବାଦୀୟ ପରିସ୍ଥିତି ଉପୁଜିଥିଲା | ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ପ୍ରମୁଖ ସଚିବ ପି.କେ.ମିଶ୍ର ସି.ଭି.ସି ନିର୍ଦେଶକଙ୍କୁ ଡାକି ରାଜୀବ ଅସ୍ଥାନା ଯେପରି ସିବିଆଇର ସ୍ୱତନ୍ତ୍ର ନିର୍ଦେଶକ ଭାବେ ନିଯୁକ୍ତ ହୁଅନ୍ତି ତାହା ଦେଖିବାକୁ କହିଥିଲେ | ଗୁଜରାଟ କ୍ୟାଡରର ଆଇଏଏସ ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅତି ନିକଟତମ ବ୍ୟକ୍ତି | ସରକାରୀ ସ୍ଥରରେ ସମସ୍ତ ବଦଳି ଓ ନିଯୁକ୍ତି ତାଙ୍କ ନିର୍ଦେଶରେ ହୋଇଥାଏ | ସ୍ୱତନ୍ତ୍ର ନିର୍ଦେଶକ ଭାବେ ନିଯୁକ୍ତି ବେଳେ ପିଏମଓ କାର୍ଯ୍ୟାଳୟରୁ ପାଇଥିବା ସାହାଯ୍ୟ ପ୍ରତିବଦଳରେ କୁଲବେଙ୍କୁ କୋଇଲା ଦୁର୍ନୀତିର ଅଭିଯୁକ୍ତ କରିବାକୁ ରାଜୀବ ଅସ୍ଥାନା ବିରୋଧ କରିଥିବା କୁହାଯାଉଛି | ସିବିଆଇ ଉପରେ ସମଗ୍ର ଦେଶ ଆଶା ରଖିଥିବା ବେଳେ ସିବିଆଇ ଭିତରେ ଏଭଳି ଗୋଷ୍ଠୀ ବିବାଦ ଏବେ ସଂସ୍ଥାର ଗରୀମା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏଥିରେ ହସ୍ତକ୍ଷେପ ଓ ଭୂମିକା ନେଇ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.