ଗାଙ୍ଗୁଲିଙ୍କ ଅର୍ଦ୍ଧଶତକ ନିଷ୍ଫଳ, ସଭାପତି ଏକାଦଶକୁ ମାତ୍ ଦେଲା ଜୟ ଶାହାଙ୍କ ଟିମ୍

Published By : Prameya-News7 Bureau | December 23, 2020 IST

ଅହମ୍ମଦାବାଦ ୨୩।୧୨: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ବାର୍ଷିକ ସାଧାରଣ ବୈଠକ(ଏଜିଏମ) ଅହମ୍ମଦାବାଦରେ ଡିସେମ୍ବର ୨୪ରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ବୁଧବାର ଏଠାରେ ସର୍ଦ୍ଦାର ପଟେଲ ମୋଟେରା ଷ୍ଟାଡିୟମରେ ଏକ ବନ୍ଧୁତ୍ଵପୂର୍ଣ୍ଣ ମ୍ୟାଚ୍‌ ଖେଳା ଯାଇଛି। ଏହି ମ୍ୟାଚ୍‌ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସଂପାଦକ ଜୟ ଶାହାଙ୍କ ଦଳ ମଧ୍ୟରେ ହୋଇଛି।

ନବନିର୍ମିତ ମୋଟେରା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଜୟ ଶାହାଙ୍କ ନେତୃତ୍ଵାଧୀକ ସେକ୍ରେଟାରୀ ଏକାଦଶ ସୌରଭ ଗାଙ୍ଗୁଲିଙ୍କ ସଭାପତି ଏକାଦଶକୁକ ୨୮ ରନରେ ପରାସ୍ତ କରିଛି। ୧୨ ଓଭର ମୁକାବିଲାରେ ସେକ୍ରେଟାରୀ ଏକାଦଶ ପ୍ରଥମେ ବ୍ୟାଟିଂ କରି ମହମ୍ମଦ ଅଝହରୁଦ୍ଦୀନଙ୍କ ୩୭ ରନ ଏବଂ ବିସିସିଆଇର ପୂର୍ବତନ ସଂପାଦକ ନିରଞ୍ଜନ ଶାହାଙ୍କ ପୁତ୍ର ଜୟଦେବ ଶାହାଙ୍କ ୩୮ ରନ ଇନିଂସ ବଳରେ ୩ ଓ୍ଵିକେଟ୍ ହରାଇ ୧୨୮ ରନ କରିଥିଲା।

ଜବାବରେ ସଭାପରି ଏକାଦଶ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୦୦ ରନ କରିବାକୁ ସକ୍ଷମ ହୋଇଥିଲା। ଦଳ ପାଇଁ ସୌରଭ ଗାଙ୍ଗୁଲି ୩୨ ବଲରୁ ଅପରାଜିତ ୫୩ ରନ କରିଥିଲେ। ହେଲେ ତାଙ୍କର ଏହି ଇନିଂସ ଦଳର ବିଜୟ ପାଇଁ ପର୍ଯ୍ୟାପ୍ତ ନଥିଲା। ଗାଙ୍ଗୁଲିଙ୍କ ଇନିଂସରେ ୬ ଚୌକା ଓ ଏକ ଛକା ସାମିଲ। ଜୟ ଶାହା ୨ଟି ଓ୍ଵିକେଟ୍ ନେଇଛନ୍ତି।

ଅଜହରୁଦ୍ଦୀନ ୨୨ ବଲର ନିଜର ଇନିଂସରେ ୭ ଚୌକା ମାରିଥିଲେ। ଗାଙ୍ଗୁଲି ବୋଲିଂ କରି ୩ ଓଭରରେ ୨୬ ରନ ଦେଇ ଏକ ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.