ରୋହିତ ଶର୍ମାଙ୍କ ଅଷ୍ଟ୍ରେଲିଆ ଗସ୍ତ ନେଇ ବଡ ବୟାନ ଦେଲେ ଗାଙ୍ଗୁଲି, ଜଣାଇଲେ ଚୟନକର୍ତ୍ତାଙ୍କ କଣ ରହିଛି ଯୋଜନା

Published By : Prameya-News7 Bureau | November 03, 2020 IST

ନୂଆଦିଲ୍ଲୀ ୦୩।୧୧: ବିସିସିଆଇ ଯେବେଠୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଟିମ୍ ଘୋଷଣା କରିଛି ତେବେଠୁ ରୋହିତ ଶର୍ମାଙ୍କ ଫିଟନେସ୍‌ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି। ରୋହିତ ଶର୍ମା ଆଘାତଜନିତ ସମସ୍ୟା କାରଣରୁ ଗତ କିଛି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳି ନାହାନ୍ତି। ଅନ୍ୟପଟେ ବିସିସିଆଇ ରୋହିତଙ୍କ ଫିଟନେସ୍‌ ଉପରେ ନଜର ରଖିଛି। ତେଣୁ ତାଙ୍କୁ ଦଳରେ ସ୍ଥାନ ଦିଆଯାଇ ନାହିଁ। ଏହି ବିବାଦ ତେବେ ଆରମ୍ଭ  ହେଲା ଯେତେବେଳେ ଦଳ ଘୋଷଣା ପରେ ମୁମ୍ବାଇ ଇଣ୍ଡିଆନ୍ ରୋହିତ ଶର୍ମାଙ୍କ ନେଟ୍‌ରେ ବ୍ୟାଟିଂ କରୁଥିବା ଫଟୋ ସେୟାର କରିଥିଲା। ଫଟୋରେ ରୋହିତ ଶର୍ମା ଅନାୟସରେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଥିଲା। ଏହା ପରଠୁ ପ୍ରଶ୍ନ ଉଠି ଚାଲିଛି ଯେ, ରୋହିତଙ୍କୁ ଦଳରେ କଣ ପାଇଁ ନିଆଗଲା ନାହିଁ। ଏବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସାମ୍ନାକୁ ଆସି ଏହି ପ୍ରସଙ୍ଗରେ ନିଜର ରାୟ ରଖିଛନ୍ତି।

ଗାଙ୍ଗୁଲି କହିଛନ୍ତି ଚୟନକର୍ତ୍ତା ପୁନର୍ବାର ରୋହିତ ଶର୍ମାଙ୍କୁ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳରେ ସାମିଲ କରିବା ନେଇ ବିଚାର କରି ପାରନ୍ତି। ଗାଙ୍ଗୁଲି କହିଛନ୍ତି, ଆମେ ଚାହୁଁଛୁ ରୋହିତ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଫିଟ୍ ହୋଇ ଯାଆନ୍ତୁ। ଯଦି କୌଣସି ବି ସ୍ଥିତିରେ ସେ ଫିଟ୍ ହୁଅନ୍ତି ତେବେ ତାଙ୍କୁ ପୁଣି ଥରେ ଦଳରେ ସାମିଲ କରାଯିବା ନେଇ ଚିନ୍ତା କରାଯାଇପାରେ।

ରୋହିତ ଶର୍ମାଙ୍କ ବ୍ୟତୀତ ବରିଷ୍ଠ ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କ ଫିଟ୍‌ନେସ୍‌ ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଗାଙ୍ଗୁଲି କହିଛନ୍ତି ଦୁଇ ଖେଳାଳିଙ୍କ ଫିଟନେସ୍ ଉପରେ ନଜର ରଖାଯାଇଛି। ଇଶାନ୍ତ ସଂପୂର୍ଣ୍ଣ ଗସ୍ତରୁ ବାଦ୍‌ ପଡିନାହାନ୍ତି। ସେ ଟେଷ୍ଟ ଦଳରେ ସାମିଲ ହୋଇ ପାରନ୍ତି।

ଏହା ପୂର୍ବରୁ ମଧ୍ୟ ଅନେକ ବରିଷ୍ଠ ଖେଳାଳି ରୋହିତଙ୍କୁ ଅଷ୍ଟ୍ରେଲିଆ ଗସ୍ତରେ ସାମିଲ ନକରାଯିବା ନେଇ ପ୍ରଶ୍ମ ଉଠାଇଛନ୍ତି। ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କହିଥିଲେ, ରୋହିତଙ୍କ ଉପରେ ନଜର ରଖାଯାଇଛି। ଡାକ୍ତରୀ ଦଳ ଦେଇଥିବା ରିପୋର୍ଟ ଆଧାରରେ ଦଳର ଚୟନ କରାଯାଇଛି। ସେମାନେ ତାଙ୍କ କାମ କରୁଛନ୍ତି। ଡାକ୍ତରୀ ଦଳର ରିପୋର୍ଟ ବିଷୟରେ ହିଁ ମୁଁ କେବଳ ଜାଣିଛି। ଚୟନ ସହିତ ମୋର କୌଣସି ସଂପର୍କ ନାହିଁ ବୋଲି ଶାସ୍ତ୍ରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.