‘ସୁରକ୍ଷିତ ବାୟୋ ବବଲରେ ବି IPLରେ କିପରି ପଶିଲା କରୋନା, ଏହା କହିବା ମୁସ୍କିଲ’ : ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି

Published By : Prameya-News7 Bureau | May 06, 2021 IST

ନୂଆଦିଲ୍ଲୀ ୦୬/୦୫ : ଆଇପିଏଲ ବାୟୋ ବବଲରେ କିପରି ପଶିଲା କୋଭିଡ୍‌ ? ସୁରକ୍ଷିତ ଏବଂ କଠୋର ବୟୋ ବବଲ୍‌ ପରେ ବି କିଛି ଖେଳାଳୀ ଏବଂ ଟିମ ସଦସ୍ୟ କରୋନା ସଂକ୍ରମିତ ହେବା ବିସିସିଆଇର ଚିନ୍ତା ବଢାଇଦେଇଛି । IPLର ୧୪ ତମ ସଂସ୍କରଣକୁ ଅଧାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ମଧ୍ୟ ରଖାଯାଇଛି । ତେବେ ଆଇପିଏଲରେ କିଭଳି କରୋନା ପ୍ରବେଶ କଲା ତାହାର ଉତ୍ତର ବିସିସିଆଇ ଅଧ୍ୟକ୍ଷ ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ନିକଟରେ ମଧ୍ୟ ନାହିଁ ।

ଏହାକୁ ନେଇ ଗାଙ୍ଗୁଲି କହିଛନ୍ତି, ‘ବାୟୋ ବବଲ୍‌ରେ କୌଣସି ଉଲ୍ଲଂଘନ ହୋଇନାହିଁ । ତେଣୁ ଖେଳାଳୀମାନଙ୍କୁ କିଭଳି କରୋନା ହେଲା ତାହା କହିବା ବର୍ତ୍ତମାନ ପାଇଁ ମୁସ୍କିଲ । ଦେଶରେ କେତେ ଲୋକ ପ୍ରକୃତରେ ସଂକ୍ରମିତ ହେୁଛନ୍ତି ତାହା କହିବା ମଧ୍ୟ କଷ୍ଟକର । ତେଣୁ ଏ ନେଇ ଅନୁଧ୍ୟାନ କରାଯିବ ଏବଂ ଖେଳାଳୀ ତଥା ଟିମ ସଦସ୍ୟଙ୍କ ସମସ୍ତ ପ୍ରକାର ସହଯୋଗ କରାଯିବ ।’

ଏହା ସହିତ ଗାଙ୍ଗୁଲି କହିଛନ୍ତି, ଭାରତରେ କରୋନା ସଂକ୍ରମଣ କମ ଥିବା ବେଳେ IPL ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସେହି କ୍ରମରେ ଖେଳ ମଧ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଖେଳ ଜାରି ରହିଥିବା ବେଳେ ହଠାତ ସଂକ୍ରମଣ ବୃଦ୍ଧିପାଇଥିଲା । ଫେବୃଆରୀରେ କରୋନା ସଂକ୍ରମଣ କମ ଥିଲା କିନ୍ତୁ ମାର୍ଚ୍ଚ ମାସରେ ବୃଦ୍ଧି ପାଇଥିଲା । IPL ବନ୍ଦ ହୋଇଯାଇଥିବା ବେଳେ ବିଦେଶୀ ଖେଳାଳୀମାନେ କିଭଳି ଫେରିବେ ସେ ନେଇ ବ୍ୟବସ୍ଥା କରାଯାଉଛି । ବିଦେଶ ଖେଳାଳୀମାନଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ପଠାଯିବାକୁ ଆଶ୍ବାସନା ଦେଇଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.