ଗାଙ୍ଗୁଲିଙ୍କ ପ୍ରଶଂସାରେ ଶତମୁଖ ଅଖତାର, କହିଲେ- 'ଦାଦା ଜଣେ ସାହସୀ ବ୍ୟାଟ୍ସମ୍ୟାନ'

Published By : Prameya-News7 Bureau | June 13, 2020 IST

ଲାହୋର, ୧୩|୦୬:    ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ପ୍ରଶଂସା କରିଛନ୍ତି ପୂର୍ବତନ ପାକିସ୍ତାନୀ ବୋଲର ସୋଏବ ଅଖତାର । ଗାଙ୍ଗୁଲି ସର୍ବଶ୍ରେଷ୍ଠ ବାମହାତୀ ବ୍ୟାଟସମ୍ୟାନ୍ ବୋଲି ଅଖତାର କହିଛନ୍ତି ।

ଅଖତାର କହିଛନ୍ତି ଯେ, ଗାଙ୍ଗୁଲି ଜଣେ ଚମତ୍କାର ବ୍ୟାଟସମ୍ୟାନ । ସେ ବାମହାତୀ ବ୍ୟାଟସମ୍ୟାନଭାବେ ସ୍ପିନରଙ୍କ ବିପକ୍ଷରେ ଭଲ ପ୍ରଦର୍ଶନ କରିଥାନ୍ତି । ସ୍ପିନ୍ ବଲକୁ ଛକାରେ ପରିଣତ କରିବାର କ୍ଷମତା ଗାଙ୍ଗୁଲିଙ୍କର ରହିଛି । ତେବେ ଗାଙ୍ଗୁଲି ସର୍ଟ ପିଚ୍ ବଲ୍ ଖେଳିବାରେ ଅସୁବିଧାର ସାମ୍ନା କରନ୍ତି । କିଛି ବ୍ରେଟ୍ ଲି, ଗ୍ଲେନ୍ ମ୍ୟାକଗ୍ରାଥଙ୍କ ଭଳି ବୋଲରଙ୍କୁ ମୁକାବିଲା କରିବାରେ ସମସ୍ୟା ଉପୁଜେ ବୋଲି କହିଥାନ୍ତି । କିନ୍ତୁ ଏହା ସମ୍ପୂର୍ଣ୍ଣ ମିଛ । ଗାଙ୍ଗୁଲି ଜଣେ ସାହସୀ ବ୍ୟାଟସମ୍ୟାନ । ସେ ଜଣେ ଓପନର ଯିଏ ନୂଆ ବଲରେ ତାଙ୍କର ସାମ୍ନା କରିପାରନ୍ତି । ଏକ ସାକ୍ଷାତକାରରେ ଅଖତାର ଏହା କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଗାଙ୍ଗୁଲିଙ୍କ ଶରୀରକୁ ଟାର୍ଗେଟ୍ କରି ବଲ ପିଙ୍ଗିଲେ ମଧ୍ୟ ସାହସର ସହ ଗାଙ୍ଗୁଲି ରନ୍ ସଂଗ୍ରହ କରିଥାନ୍ତି । ଗାଙ୍ଗୁଲିଙ୍କଠରୁ ଶ୍ରେଷ୍ଠ ଅଧିନାୟକ ଭାରତରେ ନାହାଁନ୍ତି । ଧୋନୀ ମଧ୍ୟ ଜଣେ ଭଲ ଅଧିନାୟକ । କିନ୍ତୁ ଦସ ଗଠନରେ ଗାଙ୍ଗୁଲିଙ୍କ ଯୋଗଦାନ ଅଧିକ ରହିଛି ।

ସୂଚନାଯୋଗ୍ୟ, ସୋଏବ ପାକିସ୍ତାନ ତରଫରୁ ୪୬ଟି ଟେଷ୍ଟ ଓ ୧୬୩ଟି ଦିନିକିଆ ଖେଳି ଯଥାକ୍ରମେ ୧୭୮ ଓ ୨୪୭ଟି ଓ୍ୱିକେଟ୍ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.