ଗ୍ୟାଙ୍ଗଷ୍ଟର ଟିଟୋର ମୁଖ୍ୟ ସହଯୋଗୀ ବାବୁ ସାହୁକୁ ଏନକାଉଣ୍ଟର
23/07/2018 at 10:54 AM

କୁଖ୍ୟାତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟର ଟିଟୋର ମୁଖ୍ୟ ସହଯୋଗୀ ବାବୁ ଓର୍ଫ ଭବାନୀ ଶଙ୍କର ସାହୁ ପୋଲିସ୍ ଗୁଳିରେ ଆହତ ହୋଇଛି। ସୋମବାର ପାହାନ୍ତାରେ କେନ୍ଦ୍ରାପଡା ଟାଉନ୍ ପାଲିସ୍ ଇଛାପୁର-ଛଘରିଆ ରାସ୍ତାରେ ବାବୁକୁ ଏନ୍କାଉଣ୍ଟର କରିଛି। ଦୀର୍ଘଦିନ ଧରି ପୋଲିସ ଆଖିରେ ଧୂଳିଦେଇ ବାବୁ ଫେରାର ହୋଇଥିଲା। ସୋମବାର ପାହାନ୍ତାରେ ବାବୁ କେନ୍ଦ୍ରାପଡା ସହର ଭିତରକୁ ଆସୁଥିବାର ଖବର ପାଇ କେନ୍ଦ୍ରାପଡା ଟାଉନ୍ ପୋଲିସ ବାବୁକୁ କାବୁ କରିବାକୁ ଚେଷ୍ଟା କରିବାରୁ ବାବୁ ଖସି ଯିବା ପାଇଁ ଉଦ୍ୟମ କରିବା ସହିତ ପୋଲିସ ଉପରକୁ ଗୁଳି ଚଳାଇଥିଲା। ଜବାବରେ ପୋଲିସ ପଟୁ ମଧ୍ୟ ଗୁଳି ଚାଳନା କରାଯାଇଥିଲା। ଏଥିରେ ବାବୁର ଡାହାଣ ଗୋଡରେ ଗୁଳି ବାଜିଥିଲା। ଆହତ ବାବୁକୁ ଚିକିତ୍ସା ପାଇଁ ପ୍ରଥମେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାଂତର କରାଯାଇଛି। ବାବୁ ନାମରେ ବିଭିନ୍ନ ଥାନାରେ ପ୍ରାୟ ୫୦ ରୁ ଅଧିକ ମାମଲା ରହିଛି। କେନ୍ଦ୍ରାପଡା ଟାଉନ୍ ଥାନାରେ ୧୧ ଗୋଟି ମାମଲାରେ ଜାମିନ ବିହୀନ ଗିରଫ ପରୱାନା ରହିଛି। ସେହିପରି ମାର୍ଶ।ଘାଇ ଥାନାରେ ୩ ଗୋଟି, ସଦର ଥାନାରେ ଗୋଟିଏ , ପାରାଦୀପ ଥାନାରେ ୨ଟି, ଯାଜପୁର ସଦରଥାନା ଏବଂ ଅଭୟଚନ୍ଦ୍ରପୁର ଥାନାରେ ମାମଲା ରହିଛି। ବାବୁ ଗ୍ୟାଙ୍ଗଷ୍ଟର ଟିଟୋର ନିର୍ଦ୍ଦଶରେ କେନ୍ଦ୍ରାପଡା ଏବଂ ଏହାର ଆଖପାଖ ଅଂଚଳରେ ବିଭିନ୍ନ ଅପରାଧ ଘଟାଉଥିଲା। ଏନକାଉଟର ସମୟରେ ବାବୁଠାରୁ ଏକ ମଟର ସାଇକଲ ଓ ମାଉଜର ଜବତ ହୋଇଛି।