ଗ୍ୟାଙ୍ଗଷ୍ଟର ହାଇଦରର ଖେଳ ଶେଷ : ରିକ୍ସା ବାଲାରୁ କୁଖ୍ୟାତ ଡନ୍, ଶେଷରେ ଏନକାଉଣ୍ଟର…ଏମିତି ଥିଲା ହାଇଦରର ଉତ୍ଥାନ ଏବଂ ପତନ

Published By : Prameya-News7 Bureau | July 24, 2021 IST

ଭୁବନେଶ୍ବର ୨୪/୦୭ : ଗ୍ୟାଙ୍ଗଷ୍ଟର ହାଇଦରର କଳା ସାମ୍ରାଜ୍ୟର ପତ୍ତନ । ପୋଲିସ ଏନ୍‌କାଉଣ୍ଟରରେ ସଫା ହୋଇଛି କୁଖ୍ୟାତ ଡନ୍‌ ହାଇଦର । ଏଥି ସହିତ ଦୀର୍ଘଦିନ ଧରି ପତିଆରା ବିସ୍ତାର କରିଥିବା ସେଖ୍ ହାଇଦର ଯୁଗ ​‌ଶେଷ ହୋଇଛି । ଶନିବାର ହାଇଦର୍‌କୁ ଚୌଦ୍ୱାର ଜେଲ୍‌ରୁ ବାରିପଦା ଜେଲ୍‌କୁ ନେଉଥିବା ସମୟରେ ରାସ୍ତାରେ ସେ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ଏନ୍‌କାଉଣ୍ଟର କରିଥିଲା ପୋଲିସ । ତାର ଗୋଡ଼ ଏବଂ ପେଟରେ ଗୁଳି ବାଜିଥିଲା ପରେ ତାକୁ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାର ମୃତ୍ୟୁ ଘଟିଛି ।

କେମିତି ଆରମ୍ଭ ହୋଇଥିଲା ହାଇଦରର ପତିଆରା ?

କେନ୍ଦ୍ରାପଡା​‌​‌ର ରଣପୁରରେ ଜନ୍ମ ଗ୍ରହଣ କରିଥିବା ସେଖ୍ ହାଇଦାର ଆଦୌ ସ୍କୁଲ ମାଟି ମାଡିନଥିଲା । ରୋଜଗାର ପାଇଁ ୧୯୮୦ ଦଶକରେ ରିକ୍ସା  ସେ ଚଳାଉଥିଲା । ପରିବାର ଚଳାଇବା ପାଇଁ ଏକାମାତ୍ର ମାଧ୍ୟମ ଥିଲା ରିକ୍ସା । ପରେ ସେ ଦୁର୍ଦ୍ଦାନ୍ତ ଅପରାଧୀ ରବୀନ୍ଦ୍ର ବେହେରା ସଂସ୍ପର୍ଶରେ ଆସିଥିଲା । ସେଇଠୁ ଆରମ୍ଭ ହୋଇଥିଲା ହାଇଦରର ଅପରାଧିକ କାର୍ଯ୍ୟକଳାପ । ପରେ ପରେ ସେ ଅପରାଧ କରି ଚାଲିଲା । ସେତେବେଳେ ଦୁର୍ଦ୍ଦାନ୍ତ ଅପରାଧୀ କୁହାଯାଉଥିବା ରବୀନ୍ଦ୍ର ୩ ଜଣଙ୍କୁ ନେଇ ପ୍ରଭାବ ବିସ୍ତାର କରିଥିଲା । ସେହି ୩ ଜଣ ହେଉଛନ୍ତି ଓଡିଶାରେ ସେତେବେଳେ ଭୟର ବାତାବରଣ ଖେଳାଇଥିବା ଟିଟୋ, ହାଇଦର ଏବଂ ସୁଲେମାନ । କେନ୍ଦ୍ରପଡାର ଗୁଲନଗର ଅଞ୍ଚଳରେ ରହି ପୁରା ଚେନ୍‌ ଚଳାଇଥିଲେ ଏମାନେ ।

ରବୀନ ଠାରୁ ଅପରାଧିକ କାର୍ଯ୍ୟକଳାପ ବାବଦରେ ଜାଣିବା ପରେ ତାକୁ ତାର ଘର ସାମ୍ନାରେ ହିଁ ହତ୍ୟା କରିଥିଲେ ଟିଟୋ, ହାଇଦର ଏବଂ ସୁଲେମାନ । ପରେ ଟିଟୋ ହୋଇଥିଲା ଗ୍ୟାଙ୍ଗ୍‌ର ଲିଡର । ପରେ ୩ ଜଣଙ୍କ ମଧ୍ୟରେ ବିବାଦ ହେବାରୁ ଟିଟୋ ଏବଂ ହାଇଦର ମିଶି ୨୦୦୯ ମସିହାରେ ସୁଲେମାନକୁ ହତ୍ୟା କରିଥିଲେ । ସିଲେମାନକୁ ରାସ୍ତାରୁ ହଟାଇବା ପରେ ଅଲଗା ଗ୍ୟାଙ୍ଗ କରିଥିଲେ ହାଇଦର ଏବଂ ଟିଟୋ ।

୧୯୯୧ ମସିହାରେ କେନ୍ଦ୍ରାପଡା କୋର୍ଟ ପରିସରରେ ବୁଲା ସେଠୀ ନାମକ ଜଣେ ଅପରାଧୀକୁ ଗୁଳିକରି ହତ୍ୟା କରିଥିଲା ହାଇଦାର । ସେହିଠାରୁ ରାତାରାତି ଚର୍ଚ୍ଚାକୁ ଆସିଥିଲା ସେ । ୧୯୯୭ ମସିହାରେ ପୋଲିସ ଏନ୍‌କାଉଣ୍ଟରରେ ଆହତ ହୋଇଥିଲା ହାଇଦର । ୨୦୦୫ ମସିହାରେ ସୁଲେମାନର ସାନ ଭାଇ ସେଖ୍‌ ଚୁନାକୁ ହତ୍ୟା କରିଥିଲା ହାଇଦର । ଏହି ମାମଲାରେ ତାକୁ ଆଜୀବନ କାରାଦଣ୍ଡ ହୋଇଥିଲା ।

ଭୁବନେଶ୍ବର ଜେଲରେ ଥାଇ ମଧ୍ୟ ଅପରାଧିକ ସାମ୍ରାଜ୍ୟ ଚଳାଇଥିଲା ହାଇଦର । ୨୦୦୭ ମସିହାରେ କେନ୍ଦୁଝର ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ର ଏବଂ ତାଙ୍କ ଡ୍ରାଇଭରକୁ ଯୋଜନାବଦ୍ଧ ଭାବେ ଜେଲରେ ଥାଇ ହତ୍ୟା କରିଥିଲା ହାଇଦର । ୨ କୋଟି ଟଙ୍କା ଲାଞ୍ଚ ମାଗିବା ପରେ ରଶ୍ମିରଞ୍ଜନ ୧.୧୨ କୋଟି ଟଙ୍କା ଦେଇଥିଲେ ତଥାପି ତାଙ୍କୁ ହତ୍ୟାକରି ପୋଡିଦେଇଥିଲା ହାଇଦର । ଏହି ମାମଲାରେ ୨୦୧୫ ମସିହାରେ ତାକୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା । ସେବେଠାରୁ  ସେ ଜେଲରେ ଥିଲା ।

ପୁଣି କେବେ ଚର୍ଚ୍ଚାକୁ ଆସିଥିଲା ହାଇଦର ?

ଅପରାଧିକ ଚେନ୍ ଭାଙ୍ଗିବା ପାଇଁ ହାଇଦରକୁ ବିଭିନ୍ନ ଜେଲକୁ ପଠାଯାଉଥିଲା । ଭୁବନେଶ୍ବର, ବଲାଙ୍ଗିର, ସମ୍ବଲପୁର ଏବଂ ବାରିପଦା ଜେଲକୁ ପଠାଯାଉଥିଲା । କାରଣ ଜେଲରୁ ଥାଇ ମଧ୍ୟ ଅପରାଧିକ ସାମ୍ରାଜ୍ୟ ଚଳାଉଥିଲା ଗ୍ୟାଙ୍ଗଷ୍ଟର ହାଇଦର । ତେବେ କିଛି ଦିନ ଜେଲରେ ରହିବା ପରେ ଅସୁସ୍ଥତା କାରଣରୁ ତାକୁ କଟକ ଏସ୍‌ସିବି ମେଡିକାଲକୁ ଅଣାଯାଇଥିଲା ଏବଂ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍‌ସିବିରୁ ଗତ ଏପ୍ରିଲ ୧୦ ତାରିଖରେ ଫେରାର ହୋଇଯାଇଥିଲା ହାଇଦର । ଏହା ପରେ କମିସନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ତେଲେଙ୍ଗାନାରୁ ହାଇଦରକୁ ଧରିବାରେ ସକ୍ଷମ ହୋଇଥିଲା । ହାଇଦରକୁ ଓଡିଶା ଅଣାଯାଇ ରିମାଣ୍ଡ ପାଇଁ ଆବେଦନ କରିଥିଲା ପୋଲିସ । JMFC କୋର୍ଟ ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ । ଏହା ସହିତ ହାଇଦରକୁ ଫେରାର କରାଇବା ଘଟଣାରେ ଗିରଫ ହୋଇଥିବା ୨ ଯୁବକ ଏବଂ ଜଣେ ଯୁବତୀକୁ ପୋଲିସ ଗିରଫ କରିଥିଲା । ପରେ ହାଇଦରକୁ ଝାରପଡା ଜେଲରେ ରଖାଯାଇଥିଲା ।

ହାଇଦର ସାମ୍ରାଜ୍ୟର ଅନ୍ତ

ଶନିବାର ହାଇଦରକୁ ଚୌଦ୍ୱାର ଜେଲ୍‌ରୁ ବାରିପଦା ଜେଲ୍‌କୁ ନେଉଥିବା ସମୟରେ ରାସ୍ତାରେ ସେ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ଏନ୍‌କାଉଣ୍ଟର କରିଥିଲା ପୋଲିସ । ତାର ଗୋଡ଼ ଏବଂ ପେଟରେ ଗୁଳି ବାଜିଥିଲା ପରେ ତାକୁ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାର ମୃତ୍ୟୁ ଘଟିଥିଲା । ବାଲେଶ୍ୱର ସିମୁଳିଆ ନିକଟରେ ହୋଇଥିଲା ଏହି ଏନ୍‌କାଉଣ୍ଟର । ସୁରକ୍ଷା ଦୃଷ୍ଟିରୁ ତାକୁ ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର ହେଉଥିବା ସମୟରେ ସେ ରାସ୍ତାରେ ପରିଶ୍ରା କରିବା ପାଇଁ କହିଥିଲା । ଏହି ସମୟରେ ସେ ଗାଡ଼ିରେ ଥିବା ପୋଲିସ୍‌ଙ୍କ ଠାରୁ ବନ୍ଧୁକ ଛଡ଼ାଇ ଦୌଡ଼ିବାକୁ ଚେଷ୍ଟା କରିଥିଲା । ତାକୁ ଧରିବା ପାଇଁ ପୋଲସ୍‌ ବାଧ୍ୟ ହୋଇ ତା ଉପରେ ଗୁଳିଚାଳନା କରିଥିଲା । ଏଥିରେ ସେ ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ ବାଲେଶ୍ବର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ହିଁ ତାର ମୃତ୍ୟୁ ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.