ଗ୍ୟାଙ୍ଗଷ୍ଟରଙ୍କ ପ୍ରେମିକା

Published By : Prameya-News7 Bureau | May 24, 2018 IST

ଅଣ୍ଡର ୱାର୍ଲ୍ଡ ର ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟାର ଓ ଅଭିନେତ୍ରୀଙ୍କ ପ୍ରେମ କାହାଣୀକୁ ନେଇ ଅଛି ଅନେକ ରୋଚକ କାହାଣୀ । ଗ୍ୟାଙ୍ଗଷ୍ଟାରଙ୍କ ପଛରେ ପଡିଥିଲା, ଅନେକ ରାଜ୍ୟର ପୋଲିସ । କିନ୍ତୁ ସେମାନେ ପଡିଥିଲେ, ଗ୍ଲାମର ଦୁନିଆର ନାୟିକାଙ୍କ ପଛରେ । ଯେଉଁ ହିରୋଇନଙ୍କ ଗୋଟିଏ ଇସାରାରେ ହଜାର ହୃଦୟ ବିଛେଇ ହୋଇ ପଡିଥାନ୍ତା ତାଙ୍କ ପାଦ ତଳେ, କାହିଁକି କେଜାଣି, ସେମାନେ ସାଜିଲେ ଗ୍ୟାଙ୍ଗଷ୍ଟାରଙ୍କ ଗାର୍ଲଫ୍ରେଣ୍ଡ ଓ ପ୍ରେମିକା । ଏ କାହାଣୀର ଆରମ୍ଭ କରିବା ହାଜି ମସ୍ତାନ ଓ ବଲିଉଡର ବି-ଗ୍ରେଡ୍ ଅଭିନେତ୍ରୀ ସୋନାଙ୍କ ପ୍ରେମ କାହାଣୀରୁ । ସୁପାରୀ,ମର୍ଡର ଓ ପ୍ରୋଟେକସନ ଟଙ୍କା ପାଇଁ, ଫୋନ କଲରେ ଧମକ। ଗ୍ୟାଙ୍ଗଷ୍ଟାରଙ୍କ ଏ ରୋଲ ଓ ରୁବାବ ଦର୍ଶକ ଦେଖିଛନ୍ତି ସିନେମାରେ । ଗ୍ଲାମର ଦୁନିଆ ସହିତ ଅଣ୍ଡରୱାର୍ଲ୍ଡର ସମ୍ପର୍କ ଖୁବ ପୁରୁଣା । ୧୯୬୦ ପରେ ଏମିତି ଗ୍ଲାମର ଦୁନିଆ ଓ ଅଣ୍ଡରୱାର୍ଲ୍ଡରେ ରାଜତ୍ବ କରୁଥିଲେ, ମସ୍ତାନ ହାଇଦର ମିର୍ଜା ଔର ଅଫ ହାଜୀ ମସ୍ତାନ । ହାଜୀ ମସ୍ତାନ, ମଧୁବାଲାଙ୍କୁ କରୁଥିଲେ ଏକ ପାଖିଆ ପ୍ରେମ । ସମ୍ଭବ ନ’ଥିଲା ଏ ସମ୍ପର୍କ | ସେଥିପାଇଁ ମଧୁବାଲାଙ୍କ ପରି ଅବିକଳ ଚେହେରାର ବି-ଗ୍ରେଡ୍ ଅଭିନେତ୍ରୀ ସୋନାଙ୍କ ସହ ସମ୍ପର୍କ ରଖିଥିଲେ ହାଜୀ ମସ୍ତାନ୍ । କୁହାଯାଉଥିଲା ,ହାଜି ମସ୍ତାନ,ସୋନାଙ୍କୁ ବିବାହ କରିଥିଲେ । ସୋନାଙ୍କ ନାଁ ବଦଳାଇ ରଖିଥିଲେ ଶେହେଜାନ୍ ବେଗମ୍ । ପରେ ହାଜି ମସ୍ତାନ ଛାଡିଥିଲେ ଅଣ୍ଡରୱାର୍ଲ୍ଡ ଦୁନିଆ । ସମାଜ ସେବାରେ ହୋଇଥିଲେ ସାମିଲ । ହାଜି ମସ୍ତାନଙ୍କ ଜୀବନକୁ ନେଇ ତିଆରି ହୋଇଛି ‘ଦିୱାର’ ଓ ‘ୱାନ୍ସ ଅପନ ଏ ଟାଇମ୍ ଇନ୍ ମୁମ୍ବାଇ’ ପରି ଫିଲ୍ମ ।‘ଦିୱାର’ ରେ ହାଜି ମସ୍ତାନଙ୍କ ଭୂମିକାରେ ଅମିତାଭ ବଚ୍ଚନ ଅଭିନୟ କରିଥିବା ବଳେ ‘ୱାନସ୍ ଅପନ ଏ ଟାଇମ୍ ଇନ୍ ମୁମ୍ବାଇ’ରେ ଅଭିନୟ କରିଛନ୍ତି ଅଜୟ ଦେବଗନ । ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟାର ଦାଉଦ ଇବ୍ରାହିମ୍ । ଦାଉଦର ପ୍ରେମିକା ଥିଲେ ମନ୍ଦାକିନୀ । ଅଶୀ ଦଶକରେ ରାଜ କପୁରଙ୍କ ଫିଲ୍ମ ‘ରାମ ତେରୀ ଗଙ୍ଗା ମୈଲୀ’ରେ ମନ୍ଦାକିନୀଙ୍କୁ ମିଳିଥିଲା ବିଗ-ବ୍ରେକ । ଫିଲ୍ମରେ ମନ୍ଦାକିନୀଙ୍କ ଆକ୍ଟିଂ ଠାରୁ ଅଧିକ ଚର୍ଚ୍ଚା ହେଉଥିଲା ତାଙ୍କ ବୋଲ୍ଡନେସକୁ ନେଇ । ‘ରାମ ତେରୀ ଗଙ୍ଗା ମୈଲୀ’ର ସଫଳତା ପରେ ମନ୍ଦାକିନୀ ସାଜିଲେ ଗ୍ୟାଙ୍ଗଷ୍ଟାର ଦାଉଦର ପ୍ରେମିକା । ଦୁହିଁଙ୍କୁ ଏକାଠି ଅନେକ ସ୍ଥାନରେ ଦେଖିବାକୁ ମିଳିଥିଲା । ୫ ବର୍ଷ ଧରି ଚାଲିଥିବା ଏ ସମ୍ପର୍କ ବାବଦରେ ମନ୍ଦାକିନୀ ସଫେଇ ଦେଇଥିଲେ - ଦାଉଦ ଆଉ ସେ କେବଳ ବନ୍ଧୁ । କିନ୍ତୁ ୧୯୯୩ ମୁମ୍ବାଇ ବମ୍ ବ୍ଲାଷ୍ଟ ସବୁକିଛି ବଦଳାଇ ଦେଲା । ଏ ଧମାକା ପରେ ଦାଉଦ ସାଜିଲା ତଡିପାର ଆତଙ୍କ ବାଦୀ । ଏକା ହୋଇଗଲେ ମନ୍ଦାକିନୀ । 1985ରେ ଆରମ୍ଭ ହୋଇଥିବା ମନ୍ଦାକିନୀଙ୍କ ଫିଲ୍ମୀ କ୍ୟାରିୟର ୧୯୯୬ ରେ ହିଁ ଶେଷ ହୋଇଗଲା । ପରେ ମନ୍ଦାକିନୀ, ଦଲାଇ ଲାମାଙ୍କ ଜଣେ ଅନୁଗାମୀଙ୍କୁ ବିବାହ କରି ଅଲଗା ଦୁନିଆ ବସାଇଛନ୍ତି। ମନ୍ଦାକିନୀଙ୍କ ଅଲଗା ହେବା ପରେ, ଦାମୀ ମଦ ଓ ମହିଳାଙ୍କ ସୌକିନୀ ଦାଉଦର ପ୍ରେମିକା ସାଜିଲେ ପାକିସ୍ତାନର ବୋଲ୍ଡ ଅଭିନେତ୍ରୀ ଅନୀତା ଆୟୁବ ।ମନ୍ଦାକିନୀଙ୍କ ପରେ ଗ୍ୟାଙ୍ଗଷ୍ଟାର ଦାଉଦର ପ୍ରେମିକା ସାଜିଲେ ଅନୀତା ଆୟୁବ । ଅନୀତାଙ୍କ ପାଇଁ ଦାଉଦ, ଜଣେ ଫିଲ୍ମ ନିର୍ମାତାଙ୍କୁ ହତ୍ୟା ମଧ୍ୟ କରିଥିଲା । ଅନେକ ଦିନ ଧରି ଚାଲିଥିବା ଏ ସମ୍ପର୍କ, ବିବାହର ରୂପ ନେଲାନାହିଁ । ନିଜ ସେକ୍ସି ଓ ବୋଲ୍ଡ ଅନ୍ଦାଜ ପାଇଁ ଚର୍ଚ୍ଚିତ ଥିବା ଅନୀତା ଆଜି ମୁଖ୍ୟ ଧାରା ସିନେମା ଠାରୁ ଅନେକ ଦୂରରେ । ଅଣ୍ଡରୱାର୍ଲ୍ଡ ଗ୍ୟାଙ୍ଗଷ୍ଟାର ଓ ଅଭିନେତ୍ରୀଙ୍କ ସମ୍ପର୍କର ଚର୍ଚ୍ଚା ଭିତରେ ବେଶ ଲୋକପ୍ରିୟ ଆବୁ ସାଲେମ୍ ଓ ମୋନିକା ବେଦୀଙ୍କ ପ୍ରେମ କାହାଣୀ । କୁହାଯାଉ ଥିଲା, ମୋନିକାଙ୍କୁ ଜଣା ନ’ଥିଲା ତାଙ୍କ ହୃଦୟ ଆବୁ ସାଲେମଙ୍କ ପାଇଁ ଧକ ଧକ କରୁଛି ବୋଲି । ଆବୁ ସାଲେମଙ୍କ ସହିତ ମୋନିକା ଫୋନରେ କଥା ହେଉଥିଲେ । ଆଉ ଧିରେ ଧିରେ ମୋନିକା ଫୋନରେ ଏ ସ୍ବର ଶୁଣିବାକୁ ହୋଇ ପଡିଥିଲେ ବ୍ୟାକୁଳ । ଏହା ଭିତରେ ସେ ଆବୁ ସାଲେମଙ୍କର ସାଜି ସାରିଥିଲେ ପ୍ରେମିକା ।ତେଲଗୁ, ତାମିଲ୍, ହିନ୍ଦୀ ଓ ପଂଜାବୀ ଫିଲ୍ମର ହଟ୍ ହିରୋଇନ ମୋନିକା ବେଦୀ । ୧୯୯୪ ର ଫିଲ୍ମ ମେଁ ତେରା ଆଶିକ ରୁ ସିଲଭର ସ୍କ୍ରିନକୁ କରିଥିଲେ ପ୍ରବେଶ । କ୍ୟାରୀୟରର ଆରମ୍ଭରେ ମୋନିକାଙ୍କୁ ମିଳିନ’ଥିଲା ସଫଳତା । ଫୋନ ଫୋନରେ ମୋନିକା ପଡିଗଲେ ଗ୍ୟଙ୍ଗଷ୍ଟାର ଆବୁ ସାଲେମର ପ୍ରେମରେ । ଆବୁ ସାଲେମ ମୋନିକାଙ୍କ ସହିତ ଅସଲମ୍ ଅଲ୍ଲୀ ନାମରେ କଥା ହେଉଥିଲା । ଧିରେ ଧିରେ ଆବୁ ସାଲେମଙ୍କ କଳା ଦୁନିଆର ପୃଷ୍ଠା ପଢିଲେ ମୋନିକା । ଦେଖିଲେ ଖୁବ ପାଖରେ । ଏହା ପରେ ସିଦ୍ଧାନ୍ତ କଲେ, ଦୁହେଁ, ଦୁହିଁଙ୍କ ପାଇଁ ନୁହେଁ । 20 ସେପ୍ଟମ୍ବର 2002ରେ ଆବୁ ସାଲେମଙ୍କ ସହିତ ଆରେଷ୍ଟ ହୋଇଥିଲେ ମୋନିକା । ସେତେବେଳକୁ ଦୁହିଁଙ୍କ ଭିତରେ ହୋଇ ସାରିଥିଲା ବ୍ରେକପ୍ । ଆଜିକାଲି ଜେଲ୍ ର ଅଂଧାରୀ ସେଲ ଭିତରେ ଆବୁ ସାଲେମ ଆଉ ଜୀବନର କଳା ସମୟ ଭୁଲି ମୋନିକା ବଞ୍ଚୁଛନ୍ତି ନୂଆ ଜୀବନ । ଗ୍ୟାଙ୍ଗଷ୍ଟାରଙ୍କ ପ୍ରେମିକାର ଆଉ ଏକ ପୃଷ୍ଠାଲେଖା ହୋଇଛି ଭିକି ଗୋସ୍ବାମୀ ଓ ମମତା କୁଲକର୍ଣ୍ଣିଙ୍କୁ ନେଇ । ବଲିଉଡର ସେକ୍ସି ସାଇରନ୍ ଭାବେ ଚର୍ଚ୍ଚିତ ମମତା କୁଲକର୍ଣ୍ଣି । ଖାସ କରି ଷ୍ଟାରଡଷ୍ଟ ମ୍ୟାଗଜିନରେ ମମତା କୁଲକର୍ଣ୍ଣିଙ୍କ କଭରପେଜ ଫଟୋ ସୃଷ୍ଟି କରିଥିଲା ଚର୍ଚ୍ଚା। ନବେ ଦଶକରେ ଅଣ୍ଡରୱାର୍ଲ୍ଡ ସହିତ ମମତା କୁଲକର୍ଣ୍ଣିଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିଲା । କୁହାଯାଉ ଥିଲ ମମତା ଗ୍ୟାଙ୍ଗଷ୍ଟାର ଛୋଟା ରାଜନର ପ୍ରେମିକା ।ଛୋଟା ରାଜନ ପାଇଁ ମମତା କୁଲକର୍ଣ୍ଣିଙ୍କୁ ଫିଲ୍ମ ଘାୟଲ ଓ ଚାଇନା ଗେଟ୍ ରେ ମିଳିଥିଲା ରୋଲ । ଗ୍ୟାଙ୍ଗଷ୍ଟାର ଛୋଟା ରାଜନ ସହିତ ମମତା କୁଲକର୍ଣ୍ଣିଙ୍କ ପ୍ରେମ କାହାଣୀ କିନ୍ତୁ ଆଗକୁ ବଢିନ’ଥିଲା । ଛୋଟା ରାଜନ ଦେଶ ଛାଡିବା ପରେ ତା’ ମୁମ୍ବାଇ କାରବାର ସମ୍ଭାଳୁ ଥିଲା ଭିକି ଗୋସ୍ବାମୀ । ଫିଲ୍ମଠୁ ଅଲଗା ହେବା ପରେ ମମତା କୁଲକର୍ଣ୍ଣି କିଛି ଦିନ ପ୍ରାଇଭେଟ ପାର୍ଟିରେ ଡ୍ୟାନ୍ସ କରୁଥିଲେ । ଏହାରି ଭିତରେ ସେ ଆସି ସାରିଥିଲେ ଭିକି ଗୋସ୍ବାମୀର ସମ୍ପର୍କରେ ଓ ସାଜି ଥିଲେ ଗ୍ୟଙ୍ଗଷ୍ଟାର ଭିକିର ପ୍ରେମିକା । ଚର୍ଚ୍ଚା ହେଉଥିଲା ମମତା ଧର୍ମ ବଦଳାଇ ଭିକିକୁ ବିବାହ କରିଛନ୍ତି ଓ କେନିଆରେ ରହୁଛନ୍ତି । ଡ୍ରଗସ୍ କାରବାର ମାମଲାରେ ଭିକିଙ୍କ ସହିତ ଗିରଫ ହୋଇଛନ୍ତି ମମତା କୁଲକର୍ଣ୍ଣି । ଭିକିଙ୍କୁ ସଜା ହୋଇଛି । କୋର୍ଟରୁ ନିର୍ଦ୍ଦୋଶରେ ମୁକୁଳିବା ପରେ ମମତା କରିଛନ୍ତି ଭିକିଙ୍କୁ ସମର୍ଥନ । କହିଛନ୍ତି, ଭିକି ନିର୍ଦ୍ଦୋଶ । ଏହା ପ୍ରମାଣିତ କରୁଛି, ଗ୍ୟାଙ୍ଗଷ୍ଟାର ଓ ଡ୍ରଗ ମାଫିଆ ଭିକିଙ୍କ ସାଥି ଥିଲେ ମମତା କୁଲକର୍ଣ୍ଣି । ଓଡିଆ ଫିଲ୍ମ ଜଗତରେ ବି’ ଉଠିଛି, ଗ୍ୟାଙ୍ଗଷ୍ଟାର ଓ ଅଭିନେତ୍ରୀଙ୍କ ସମ୍ପର୍କର ଚର୍ଚ୍ଚା । ଯାହା ପାଇଁ, ଅପହରଣ ହୋଇଛି, ହତ୍ୟା ହୋଇଛି । ଗ୍ୟାଙ୍ଗଷ୍ଟାରଙ୍କୁ ହୋଇଛି ଜେଲ୍ ଓ ଅଭିନେତ୍ରୀ ଛାଡିଛନ୍ତି ଗ୍ଲାମର ଜଗତ । ଏମିତି ଏକ କାହାଣୀ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଓ ଲେସଲୀ ତ୍ରିପାଠୀଙ୍କୁ ନେଇ । ୨୦୦୮ ରେ ଚର୍ଚ୍ଚା ଉଠିଥିଲା, ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ଓ ଲେସଲୀ ତ୍ରିପାଠୀଙ୍କ ସମ୍ପର୍କ । ମ୍ୟୁଜିକ ଭିଡିଓର ଅଭିନେତ୍ରୀ, ଲେସଲୀ ତ୍ରିପାଠୀ ୨୦୦୮ ଫ୍ରେବୃଆରୀ ୧୮ ରେ ରାଜା ଆଚାର୍ଯ୍ୟଙ୍କ ବିରୋଧରେ ପୋଲିସରେ ଆଣିଥିଲେ ଅଭିଯୋଗ । କାରଣ ଥିଲା, ରାଜା ତାଙ୍କୁ ବିବାହ ପାଇଁ ବାରମ୍ବାର ଫୋନ କରୁଥିଲା ଓ ଅପହରଣ ପାଇଁ ଦେଉଥିଲା ଧମକ । କିନ୍ତୁ ଏ ମାମଲାରେ ରାଜାର ବୟାନ ଥିଲା, ଠିକ ଓଲଟା । ରାଜା ଓ ଲେସଲୀର ଏକ ତରଫା ପ୍ରେମ କାହାଣୀ ଭିତରେ ଲେସଲୀଙ୍କ ଅନ୍ତରଙ୍ଗ ସାଙ୍ଗ ଅଭିନେତ୍ରୀ ବିଦୁସ୍ମିତାଙ୍କୁ ମିଳିଥିଲା ରାଜାର ଧମକ । ବିଦୁସ୍ମିତାଙ୍କ ଭାଇ କୁହାଯାଉଥିବା ଅରୁଣ ମନ୍ତ୍ରୀଙ୍କୁ କରାଯାଇଥିଲା ଅପହରଣ । ୨୦୦୮ ଏପ୍ରିଲ ୧୩ । ରାଜା ଓ ଲେସଲୀଙ୍କ ବିବାଦରେ ମଧ୍ୟସ୍ତତା କରିବାକୁ ଯାଇ ହତ୍ୟାର ଶିକାର ହୋଇଥିଲେ ବୁଦ୍ଧିଆ ସିଂହର ଗୁରୁ, ଜୁଡୋ କୋଚ୍ ବିରଞ୍ଚି ଦାସ । ଏକ ତରଫା ଏ ପ୍ରେମ କାହାଣୀ ପାଇଁ ରାଜା ଜେଲରେ ଥିଲେ । ବର୍ତ୍ତମାନ ତାଙ୍କୁ ମିଳିଛି ଜାମିନ୍ । ହେଲେ, ଲେସଲୀ ତ୍ରିପାଠୀ ଛାଡିଛନ୍ତି ଆଲବମ ଜଗତ । ଉପସ୍ଥାପନା : ସୁବ୍ରତ ଜେନା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.