୩ ଡକାୟତଙ୍କୁ ଘରେ କିଛି ନ ମିଳିବାରୁ ଭାଇ ସମ୍ମୁଖରେ ଭଉଣୀକୁ କଲେ ଗଣଦୁଷ୍କର୍ମ

Published By : Prameya-News7 Bureau | March 19, 2019 IST

ଲୁଧିଆନା ୧୯/୩: ଲୁଧିଆନାର ରାମଗଡ଼ ଗାଁରେ ଲୁଟ ଉଦ୍ଦେଶ୍ୟରେ ଘରେ ପଶିଥିବା ୩ଜଣ ଡକାୟତ ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ତାଙ୍କ ଭାଇଙ୍କ ସାମନାରେ ଗଣଦୁଷ୍କର୍ମ କରିଛନ୍ତି। ଯନ୍ତ୍ରଣାରେ ଛଟପଟ ହେଉଥିବା ପୀଡ଼ିତା ଯୁବତୀଙ୍କୁ ଦେଖି ପଡ଼ୋଶୀମାନେ ପଚାରିବାରୁ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ପଡ଼ୋଶୀ ଜଣକ ଯୁବତୀଙ୍କ ବାପା ମାଆ ଏବଂ ପୋଲିସଙ୍କୁ ସୂଚନା ଦେଇଥିଲେ। ରାମଗଡ଼ ପୋଲିସ୍ ଅଜଣା ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଦେଇଛି।

ପୀଡ଼ିତାଙ୍କ ବାପାଙ୍କ କହିବାନୁସାରେ ସେ ଏବଂ ତାଙ୍କ ପତ୍ନୀ ଏକ ଫ୍ୟାକ୍ଟ୍ରିରେ କାମ କରନ୍ତି। ଝିଅ ବ୍ୟତୀତ ତାଙ୍କର ଏକ ୭ବର୍ଷର ପୁଅ ରହିଛି। ଉଭୟେ ଭାଇ ଓ ଭଉଣୀ ମାନସିକ ବିକାରଗ୍ରସ୍ତ। ସୋମବାର ସକାଳ ସାଢ଼େ ୭ଟାରେ ସେ ଆଉ ତାଙ୍କ ପତ୍ନୀ କାମକୁ ବାହାରିଯାଇଥିଲେ। ପାଖାପାଖି ସାଢ଼େ ୮ଟାବେଳେ ମୁଖା ପିନ୍ଧିଥିବା ୩ଜଣ ଦୁର୍ବୃତ୍ତ ବାଇକରେ ଆସିଥିଲେ।  ସେମାନେ ପ୍ରଥମେ ଘରେ ଜିନିଷ ଖୋଜିଥିଲେ,କିନ୍ତୁ କିଛି ମିଳିନଥିଲା। ଏହା ପରେ ସେମାନେ ତାଙ୍କ ପୁଅକୁ ବାନ୍ଧି ଦେଇଥିଲେ ଏବଂ ଝିଅ ପାଟିରେ କପଡ଼ା ପୂରାଇ ଗଣ ଦୁଷ୍କର୍ମ କରିଥିଲେ।

ପରିବାରଲୋକେ ଏହା ଅଭିଯୋଗ କରିଛନ୍ତି ଯେ ତାଙ୍କ  ଝିଅଙ୍କ ମେଡିକାଲ ଯାଞ୍ଚ ପାଇଁ ତାଙ୍କୁ ହସ୍ପିଟାଲ୍ ନେଇଯାଇଥିଲେ। ଡାକ୍ତର ରିପୋର୍ଟ ଦେବା ପୂର୍ବରୁ ପ୍ରଥମେ କେସର କପି ମାଗିଥିଲେ ଏହାପରେ ଯାଇ ପୋଲିସ୍ ମାମଲା ରୁଜୁ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.