ଆତ୍ମହତ୍ୟା କଲେ ଗଣଦୁଷ୍କର୍ମ ପୀଡ଼ିତା : ସୁଇସାଇଡ ନୋଟରେ ଲେଖିଲେ ,‘ମିଳିଲାନି ନ୍ୟାୟ’

Published By : Prameya-News7 Bureau | November 17, 2020 IST

ବୁଲନ୍ଦସହର ୧୭/୧୧: ଉତ୍ତରପ୍ରଦେଶର ବୁଲନ୍ଦସହରରେ ଏକ ବିଏଏଲଏଲବି ଛାତ୍ରୀ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। କୁହାଯାଉଛି ଯେ କିଛି ଦିନ ତଳେ ଯୁବତୀଙ୍କ ପ୍ରେମିକ ଏବଂ ତାର କିଛି ବନ୍ଧୁ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏଥିରେ ମର୍ମାହତ ହୋଇ ଯୁବତୀ ଏପରି ନିଷ୍ପତ୍ତି ନେଇଥିଲେ। ଯୁବତୀଙ୍କ ବାପା ମାମଲା ରୁଜୁ କରିଛନ୍ତି ଏବଂ ପୋଲିସ୍ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି।

 ପୋଲିସ୍ ଅଭିଯୁକ୍ତଙ୍କୁ ଏବେ ସୁଦ୍ଧା ଗିରଫ କରିନାହିଁ। ସୁଇସାଇଡ ନୋଟରେ ପୀଡ଼ିତା ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ କରି ଆତ୍ମହତ୍ୟା କରିବା କଥା କହିଥିଲେ। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଛି।ଏହି ଘଟଣା ପରେ ଘରେ ହଇଚଇ ସୃଷ୍ଟି ହୋଇଛି।

ଯୁବତୀ ଜଣକ ବିଏଏଲଏଲବି ପ୍ରଥମ ବର୍ଷର ଛାତ୍ରୀ ଥିଲେ। ଯୁବତୀ ନିଜ ସୁଇସାଇଡ ନୋଟରେ ଲେଖିଛନ୍ତି ଯେ ଅଭିଯୁକ୍ତ କମରୁଦ୍ଦିନ ଅଧିକାଂଶ ସମୟରେ ତାଙ୍କ ଘରକୁ ଆସୁଥିଲା ଏବଂ ବେଳେବେଳେ ଫୋନରେ ମଧ୍ୟ କଥା ହେଉଥିଲେ।ଅକ୍ଟୋବର ୩ତାରିଖରେ ସେ ଯୁବତୀଙ୍କୁ ଫୋନ୍ କରି ଡକାଇଥିଲା ଏବଂ ତାଙ୍କ ସହ ଅସଦାଚରଣ କରିଥିଲା।

ଏହା ପରେ ଯୁବତୀ ଘଟଣା ବିଷୟରେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପୋଲିସରେ ମାମଲା ରୁଜୁ କରିବା ପରେ ଅଭିଯୁକ୍ତ କ୍ଷମା ମାଗି ତାଙ୍କ ସହ ବିବାହ କରିବାକୁ କଥା ଦେଇଥିଲା। ଏହା ପରେ ପୀଡ଼ିତା ନିଜ ବୟାନ ଫେରାଇ ନେଇଥିଲେ।

ଏହା ପରେ ଅକ୍ଟୋବର ୧୬ତାରିଖରେ ପୁଣି ଥରେ କମରୁଦ୍ଦିନ ପୀଡ଼ିତାଙ୍କୁ ଡକାଇଥିଲା ଏବଂ ନିଜ ୨ବନ୍ଧୁ ସହ ଗାଡ଼ିରେ ବସାଇ ଅବରାର ଘରକୁ ନେଇଯାଇଥିଲା। ପ୍ରଥମେ କମରୁଦ୍ଦିନ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା।ତା ବନ୍ଧୁମାନେ ଦୁଷ୍କର୍ମର ଭିଡିଓ କରିଥିଲେ ଏବଂ ତାଙ୍କୁ ବ୍ଲାକମେଲ୍ କରି ତା ବନ୍ଧୁମାନେ ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଥିଲେ ଏବଂ ତାଙ୍କୁ ପାଖ ଗାଁରେ ନେଇ ଛାଡ଼ି ଦେଇଥିଲେ। ଏହା ସହ କାହାକୁ ନ କହିବାକୁ ଧମକ ଦେଇଥିଲେ।

ଯୁବତୀଙ୍କ ସୁଇସାଇଡ ନୋଟ୍ ମୁତାବକ ମାମଲା ରୁଜୁ କରିବା ସତ୍ବେ ପୋଲିସ୍ ଅଭିଯୁକ୍ତମାନଙ୍କୁ ଗିରଫ କରିନଥିଲା। ଯାହା ଫଳରେ ପୀଡ଼ିତାଙ୍କ ମନୋବଳ ଭାଙ୍ଗି ଯାଇଥିଲା ଏବଂ ତାଙ୍କୁ ବାଧ୍ୟ ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ପଡ଼ିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.