ଜୁନ୍ ୧ରେ ଗଙ୍ଗା ଦଶହରା : ଜାଣନ୍ତୁ ଏହାର ପୂଜା ବିଧି ଏବଂ ମହତ୍ତ୍ବ
31/05/2020 at 11:27 AM

ମୁମ୍ବାଇ ୩୧/୫: କରୋନା ଭାଇରସ୍ ଏବଂ ଲକଡାଉନ୍ ମଧ୍ୟରେ ଏଥର ଜୁନ୍ ମାସରେ ଗଙ୍ଗା ଦଶହରା ପାଳନ କରାଯିବ। ସନାତନ ବୈଦିକ ଧର୍ମରେ ଗଙ୍ଗା ଦଶହରାର ବିଶେଷ ମହତ୍ତ୍ବ ରହିଛି। ଗଙ୍ଗା ଦଶହରା ପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ଶୁକ୍ଳ ଦଶମୀରେ ପାଳନ କରାଯାଇଥାଏ ଯାହା ଏଥର ଜୁନ୍ ୧ତାରିଖ ସୋମବାର ପଡ଼ିଛି। ପୌରାଣିକ କଥାରେ ଗଙ୍ଗା ଦଶହରା ଦିନ ଗଙ୍ଗା ସ୍ନାନ ଏବଂ ଦାନ-ପୁଣ୍ୟର ବିଶେଷ ମହତ୍ତ୍ବ ରହିଛି। ବିଶ୍ବାସ ରହିଛି ଯେ ଗଙ୍ଗା ଦଶହରାରେ ମା’ ଗଙ୍ଗାଙ୍କୁ ଶ୍ରଦ୍ଧାପୂର୍ବକ ସ୍ମରଣ କଲେ ସମସ୍ତ ପାପ ନଷ୍ଟ ହୋଇଯାଇଥାଏ।
ଗଙ୍ଗା ଦଶହରାର ପୂଜା ବିଧି : ବିଶ୍ବାସ ଅନୁସାରେ,ଗଙ୍ଗା ଦଶହରା ଦିନ ସକାଳେ ଗଙ୍ଗା ସ୍ନାନ କରିବା ଉଚିତ୍। ଏହା ସମ୍ଭବ ନ ଥିଲେ ପାଖରେ ଥିବା ନଦୀ କିମ୍ବା ପୋଖରୀରେ ସ୍ନାନ କରିବା ଉଚିତ୍। ଏହା ପରେ ଭଗବାନଙ୍କ ପୂଜା କରିବା ସହ ଗରିବ,ବ୍ରାହ୍ମଣଙ୍କୁ ଦାନ,ଦକ୍ଷିଣା ଦେବା ଉଚିତ୍। ଏପରି କରିବା ଦ୍ବାରା କେବଳ ଅଜାଣତରେ କରିଥିବା ପାପରୁ ମୁକ୍ତି ମିଳିନଥାଏ ବରଂ ଜୀବନରେ ଶାନ୍ତି ମଧ୍ୟ ଆସିଥାଏ। ଭକ୍ତଙ୍କ ଉପରେ ମା ଗଙ୍ଗାଙ୍କ କୃପା ସବୁବେଳେ ରହିଥାଏ।
ପୌରାଣିକ କଥାରେ ବର୍ଣ୍ଣିତ ହୋଇଛି ଯେ ମହାରାଜା ଭାଗୀରଥଙ୍କ ଅଖଣ୍ଡ ତପସ୍ୟାରେ ପ୍ରସନ୍ନ ହୋଇ ଯେଉଁ ଦିନ ମା’ ଗଙ୍ଗା ପୃଥିବୀପୃଷ୍ଠକୁ ଅବତୀର୍ଣ୍ଣ ହୋଇଥିଲେ ତାହା ଅତ୍ୟନ୍ତ ଦିବ୍ୟ ଏବଂ ପବିତ୍ର ଦିନ ଥିଲା। ଏହି ଦିନ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷର ଏକାଦଶୀ ଥିଲା। ପୃଥିବୀପୃଷ୍ଠରେ ମା ଗଙ୍ଗାଙ୍କ ଅବତରଣ ଦିବସକୁ ଗଙ୍ଗା ଦଶହରା ପାଳନ କରାଯାଏ। ବିଶ୍ବାସ ରହିଛି ଯେ ଏହି ଦିନ ଗଙ୍ଗା ସ୍ନାନ ଦ୍ବାରା ମନୁଷ୍ୟଙ୍କୁ ଅନେକ ଯଜ୍ଞ କରିବାର ସମାନ ପୁଣ୍ୟ ପ୍ରାପ୍ତି ହୋଇଥାଏ। ଏଥିପାଇଁ ଆସ୍ଥାବାନ୍ ମନୁଷ୍ୟଙ୍କୁ ପବିତ୍ର ମନ ସହ ଗଙ୍ଗା ସ୍ନାନ କରିବା ଉଚିତ୍।