ଦିଲ୍ଲୀରେ ପୁଣି ଗ୍ୟାଙ୍ଗଓ୍ବାର୍‌, କୁଖ୍ୟାତ ଗ୍ୟାଙ୍ଗଷ୍ଟର ମନଜିତ୍‌ ମହଲର ସହଯୋଗୀକୁ କାର ଭିତରେ ଗୁଳିକରି ହତ୍ୟା

Published By : Prameya-News7 Bureau | September 27, 2021 IST

ନୂଆଦିଲ୍ଲୀ ୨୭/୦୯ : ପୁଣି ରକ୍ତ ରଞ୍ଜିତ ହୋଇଛି ରାଜଧାନୀ ଦିଲ୍ଲୀ ।  ପୁଣି ହୋଇଛି ଗ୍ୟାଙ୍ଗ ଓ୍ବାର୍‌ । ସଶସ୍ତ୍ର ଆକ୍ରମଣକାରୀମାନେ ପଶ୍ଚିମ ଦିଲ୍ଲୀର ନଜଫଗଡ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ମନଜିତ୍ ମହଲର ସହଯୋଗୀ ଯୁବକକୁ ଗୁଳିକରି ହତ୍ୟା କରାଯାଇଛି । ମୃତକ ଯୁବକ ଜଣକର ନାଁ ଶିବାଙ୍ଗ ବୋଲି ଜଣାପଡିଛି । ନଜଫଗଡ ନିକଟ ଖୈରା ରୋଡରେ ଯାଉଥିବା ସମୟରେ କାର ଭିତରେ ହିଁ ଶିବାଙ୍ଗକୁ ଗୁଳି କରି ହତ୍ୟା କରାଯାଇଛି । ପୁରା ଘଟଣା ସିସିଟିଭିରେ ମଧ୍ୟ କଏଦ ହୋଇଛି ।

ମୃତକ ଶିବଙ୍ଗ ମୁଣ୍ଡେଲା ଖୁର୍ଦରେ ରହୁଥିଲା । ତାର ଶରୀରରେ ଦୁଇଟି ଗୁଳି ବାଜିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ଘଟିଛି । ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଶିବାଙ୍ଗକୁ ହତ୍ୟା କରିଥିବା ଅଭିଯୁକ୍ତମାନେ ଏକ ସ୍ୱିଫ୍ଟ କାରରେ ଆସିଥିଲେ । କାରରେ ଦୁଇ ବା ତିନି ଜଣ ଥିଲେ । ଏହା ମଧ୍ୟ ସୂଚନା ମିଳିଛି ଯେ ମୃତ ଯୁମକ ମନଜିତ୍ ମହଲ ଗ୍ୟାଙ୍ଗର ଥିଲେ ଏବଂ ଯେଉଁମାନେ ହତ୍ୟା କରିଛନ୍ତି ସେମାନେ ନନ୍ଦୁ ଗ୍ୟାଙ୍ଗର ଥିଲେ ।

ସୂଚନା ଥାଉକି, ୨ ଦିନ ପୂର୍ବରୁ ହିଁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ମାନ ଓରଫ୍‌ ଗୋଗୀକୁ ରୋହିଣୀ କୋର୍ଟ ପରିସରରେ ହିଁ ଦୁଇଜଣ ସଶସ୍ତ୍ର ଆକ୍ରମଣକାରୀ ହତ୍ୟା କରିଥିଲେ । ଆଇନଜୀବୀ ପୋଷାକରେ ଆସି କୋର୍ଟ ପରିସରରେ ବିଚାରପତିଙ୍କ ସମ୍ମୁଖରେ ହିଁ ଏଭଳି ଭୟଙ୍କର ହତ୍ୟାକାଣ୍ଡ ଘଟିଥିଲା । ତେବେ ଗୋଗୀକୁ ଜେଲରୁ କୋର୍ଟକୁ ଆଣିଥିବା ଦିଲ୍ଲୀ ପୋଲିସର ଯବାନମାନେ ଅଭିଯୁକ୍ତମାନଙ୍କୁ ସେହି କୋର୍ଟ ଭିତରେ ହିଁ ଗୁଳିକରି ହତ୍ୟା କରିଥିଲେ ।  ଜେଲରୁ ଆଣିଥିବା ଦିଲ୍ଲୀ ପୋଲିସ କର୍ମଚାରୀ ଦୁଷ୍କର୍ମ କରି ଉଭୟ ଦୁଷ୍କର୍ମକାରୀଙ୍କୁ ହତ୍ୟା କରିଥିଲେ। ଉଭୟ ଅଭିଯୁକ୍ତ ଟିଲ୍ଲୁ ଗ୍ୟାଙ୍ଗର ବୋଲି ଜାଣିବାକୁ ପାଇଥିଲା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.