ଆଜି ରାଜ୍ୟପାଳ ଭାବେ ଶପଥ ନେବେ ପ୍ରଫେସର ଗଣେଶୀ ଲାଲ୍

Published By : Prameya-News7 Bureau | May 29, 2018 IST

ଆଜି ରାଜ୍ୟପାଳ ଭାବେ ଶପଥ ନେବେ ପ୍ରଫେସର ଗଣେଶୀ ଲାଲ୍ । ରାଜଭବନରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବିନୀତ ଶରଣ ତାଙ୍କୁ ଶପଥ ପାଠ କରାଇବେ । ଓଡ଼ିଶା ଦାୟିତ୍ବରେ ଥିବା ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିବେ ପ୍ରଫେସର ଗଣେଶୀ ଲାଲ୍ । ଗତକାଲିଠୁ ରାଜଧାନୀ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି ପ୍ରଫେସର ଗଣେଶୀ ଲାଲ୍ । ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା, ପୋଲିସ୍ କମିଶନର୍ ୱାଇ. ବି. ଖୁରାନିଆ, ଡିସିପି ଅନୁପ ସାହୁ ଏବଂ ମେୟର୍ ଅନନ୍ତ ନାରାୟଣ ଜେନା ପ୍ରମୁଖ ନୂଆ ରାଜ୍ୟପାଳଙ୍କୁ ସ୍ବାଗତ କରିଥିଲେ । ଡକ୍ଟର୍ ଏସ୍. ସି. ଜମିର୍, ଗତ ମାର୍ଚ୍ଚ ମାସରେ ଓଡ଼ିଶା ରାଜ୍ୟପାଳ ପଦରୁ ଅବସର ନେଇଛନ୍ତି । ବିହାର ରାଜ୍ୟପାଳ ଥିବା ସତ୍ୟପାଲ ମଲ୍ଲିକଙ୍କୁ ଓଡ଼ିଶାର ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଗତ ମାର୍ଚ୍ଚ ୨୧ ତାରିଖରୁ ଓଡ଼ିଶା ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି ସତ୍ୟପାଲ ମଲ୍ଲିକ । ତେବେ ଗତ ଶୁକ୍ରବାର ରାଷ୍ଟ୍ରପତି ଭବନ ପକ୍ଷରୁ ଓଡ଼ିଶା ଏବଂ ମିଜୋରାମ ପାଇଁ ରାଜ୍ୟପାଳ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହରିୟାଣାର ବିଜେପି ନେତା ପ୍ରଫେସର ଗଣେଶୀ ଲାଲଙ୍କୁ ଓଡ଼ିଶା ଏବଂ କୁମାନନ ରାଜଶେଖରନଙ୍କୁ ମିଜୋରାମ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ହରିୟାଣା ବିଜେପିର ପୂର୍ବତନ ସଭାପତି ଥିଲେ ପ୍ରଫେସର ଗଣେଶୀ ଲାଲ୍ । ସିର୍ସାରୁ ବିଜେପି ବିଧାୟକ ମଧ୍ୟ ଥିଲେ । ଆଉ ୧୯୯୬ରୁ ୧୯୯୯ ମଧ୍ୟରେ ବଂଶୀଲାଲଙ୍କ ମେଣ୍ଟ ସରକାରରେ ହରିୟାଣାର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଥିଲେ ସେ । ପ୍ରଫେସର ଗଣେଶୀ ଲାଲ୍ ହେବେ ଓଡ଼ିଶାର ୪୬ତମ ରାଜ୍ୟପାଳ । ଆସନ୍ତା ୫ ବର୍ଷ ଯାଏ, ରାଜ୍ୟର ପ୍ରଥମ ନାଗରିକ ହୋଇ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.