ଗାନ୍ଧୀଙ୍କ ଭାରତ ଆଜି ଗୋଡସେର ଭାରତରେ ବଦଳୁଛି, ଭାରତ-ପାକ୍ ମ୍ୟାଚ୍ କଥା କହି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ମୁଫତି

Published By : Prameya-News7 Bureau | December 07, 2021 IST

ନୂଆଦିଲ୍ଲୀ ୦୭।୧୨: ପିପୁଲ୍ସ ଡେମୋକ୍ରାଟିକ୍ଟ(ପିଡିପି) ମୁଖ୍ୟ ମେହବୁବା ମୁଫତିଙ୍କ ପାକିସ୍ତାନ ପ୍ରେମ କାହାକୁ ଅଛପା ନୁହେଁ। ସମୟ ସମୟରେ ତାଙ୍କର ପାକିସ୍ତାନ ପ୍ରେମ ଜାଗି ଉଠେ। ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୁଣି ଥରେ ସେହି କାମ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଭାରତ-ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ଆୟୋଜନ ଉଲ୍ଲେଖ କରି ମୋଦୀ ସରକାର ଉପରେ ହମଲା କରିଛନ୍ତି। ସେ କହିଛନ୍ତି, ଏମିତି ଲାଗୁଛି ମହାତ୍ମା ଗାନ୍ଧୀଙ୍କ  ଭାରତ ଗୋଡସେର  ଭାରତରେ ବଦଳିବାରେ ଲାଗିଛି। ନୂତନ କାଶ୍ମୀରର ନାରା ଦେଇ କେନ୍ଦ୍ର ସରକାର ମିଥ୍ୟା ପ୍ରଚାର କରୁଥିବା କହିଛନ୍ତି ମୁଫତି।

ମଙ୍ଗଳବାର ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ଏଥିପାଇଁ ସେ  ଭାରତ-ପାକିସ୍ତାନ ମ୍ୟାଚ୍‌ର ଉଦାହରଣ ଦେଇଛନ୍ତି। ସେ କହିଛନ୍ତି, ମୋତେ ବାଜପେୟୀଙ୍କ ଅମଳରେ  ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ମନେ ରହିଛି। ସେହି ସମୟରେ ପାକିସ୍ତାନର ନାଗରିକ  ଭାରତ ପାଇଁ ଜୟ ଜୟକାର କରୁଥିଲେ।  ଅନ୍ୟପଟେ ଭାରତର ନାଗରିକ ମଧ୍ୟ ପାକିସ୍ତାନ ପାଇଁ ଜୟ ଜୟକାର କରୁଥିଲେ।

ମୁଫତି କହିଛନ୍ତି, ମ୍ୟାଚ୍ ତ ମ୍ୟାଚ୍ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ ତତ୍କାଳୀନ ଭାରତୀୟ ଅଧିନାୟକ ଏମଏସ ଧୋନୀଙ୍କ ପ୍ରଶଂସା ମଧ୍ୟ କରିଥିଲେ। ମାତ୍ର କିଛି ଦିନ ପୂର୍ବେ ଆଗ୍ରାର କିଛି ଯୁବକ ଟି-୨୦ କ୍ରିକେଟ୍  ବିଶ୍ଵ  କପରେ ପାକିସ୍ତାନର ଜୟ ଜୟକାର କଲେ। ତେବେ କେହି ହେଲେ ସେମାନଙ୍କ ପକ୍ଷ ନେବାକୁ ପ୍ରସ୍ତୁତ ହେଲେ ନାହିଁ। ଏମିତି ଲାଗୁଛି ଗାନ୍ଧୀଙ୍କ ଭାରତ ଗୋଡସେର  ଭାରତରେ ବଦଳୁଛି।

ଭାରତ ୨୦୦୩-୦୪ରେ ପାକିସ୍ତାନ ଗସ୍ତ କରିଥିଲା। ଏହି ସିରିଜ୍‌ ସାମସଙ୍ଗ କପ୍‌ ନାମରେ ନାମିତ ଥିଲା। ସେହି ସମୟରେ ଭାରତ ୩-୨ରେ ଦିନିକିଆ ସିରିଜ୍ ଏବଂ ୨-୧ରେ ଟେଷ୍ଟ ସିରିଜ୍ ଜିତିଥିଲା। ଏହା ପରେ ୨୦୦୫-୦୬ରେ  ଭାରତୀୟ କ୍ରିକେଟ୍ ଦଳ ପୁଣି ପାକିସ୍ତାନ  ଗସ୍ତ କରିଥିଲା। ତିନି ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ରେ ପାକିସ୍ତାନ ୧-୦ରେ ବିଜୟ ହାସଲ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.